ନୂତନ ଗଜପତି ଜିଲ୍ଲାପାଳ ଭାବେ ମଧୁମିତାଙ୍କ ଯୋଗଦାନ

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଶ୍ରୀମତୀ ମଧୁମିତା , ଭା.ପ୍ର.ସେ. ଆଜି ଯୋଗଦାନ କରିଛନ୍ତି । ପୁର୍ବରୁ ଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ , ଭା.ପ୍ର.ସେ.ଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଛି।
ଆଜି ନୂତନ ଜିଲ୍ଲାପାଳ ପୂର୍ବାହ୍ନ ଜିଲ୍ଲା କାର୍ଯ୍ୟାଳୟ ଠାରେ ଦାୟିତ୍ୱ ଗ୍ରହଣ କରିବା ସହ ସରକାରୀ କାର୍ଯ୍ୟରେ ସ୍ଵଚ୍ଛତା ଓ ସମାୟାନୁ ବର୍ତ୍ତିତା ଅବଲମ୍ବନ ସକାଶେ ଉପସ୍ଥିତ ପଦାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ସରକାରଙ୍କ ର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ସହ ହିତାଧିକାରୀ ମାନଙ୍କ ନିକଟରେ ଏହାର ସଫଳତାର ସହ ପହଞ୍ଚାଇବା ଓ ଜନସାଧାରଣଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ନୂତନ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। ସେହିପରି ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ ଯୋଜନାକୁ ଗୁରୁତ୍ଵ ଦେବା ସହିତ କାର୍ଯ୍ଯକାରି ହେଉଥିବା ବିଭିନ୍ନ କାମକୁ ତୁରନ୍ତ ଶେଷ କରାଯିବ ଓ ଜିଲ୍ଲାର ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ତାଙ୍କର ପ୍ରାଥମିକତା କାର୍ଯ୍ୟ ହେବ ବୋଲି ନୂତନ ଜିଲ୍ଲାପାଳ କହଛନ୍ତି।
ଶ୍ରୀମତୀ ମଧୁମିତା ପୂର୍ବରୁ ଗଞ୍ଜାମ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଭାବରେ କାର୍ଯ୍ୟ ନିର୍ବାହ କରୁଥିଲେ। ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ୍ ଆଲ୍ଲୀ ସମେତ ସମସ୍ତ ତହସିଲଦାର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ।

Leave A Reply

Your email address will not be published.