ସର୍ବଭାରତୀୟ ଦ୍ୱିତୀୟ ଡେଭିଡ୍ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

40

ସୁନ୍ଦରପଦା ଓ ଜଟଣୀ ଇଲେଭେନ ବିଜୟୀ


ଓଡ଼ଗାଁ, ୧୯।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଦ୍ୱିତୀୟ ଡେଭିଡ୍ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୬ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଦିବସରେ ଅନୁଷ୍ଠିତ ଦୁଇଟି ଲିଗ୍ ମ୍ୟାଚ୍‌ରେ କଳିଙ୍ଗ ୱାରହକ୍ସ ସୁନ୍ଦରପଦା ଓ ଜଟଣୀ ଇଲେଭେନ ବିଜୟୀ ହୋଇଛନ୍ତି। ପ୍ରଥମ ଲିଗ୍ ମ୍ୟାଚ୍‌ରେ କନ୍ଧମାଳର କେକେ ଇଲେଭେନ ଓ ଖୋର୍ଦ୍ଧାର କଳିଙ୍ଗ ୱାରହକ୍ସ ମଧ୍ୟରେ ମୁକାବିଲା ହୋଇଥିଲା। ଟସ୍ ଜିତି କେକେ ଇଲେଭେନ ପ୍ରଥମେ ବୋଲିଂ କରିଥିଲା। ଜବାବରେ କଳିଙ୍ଗ ୱାରହକ୍ସ ନିର୍ଦ୍ଧାରିତ ୧୦ ଓଭରରେ ୬ଟି ୱିକେଟ୍ ହରାଇ ୧୭୬ ରନ୍ ସଂଗ୍ରହ କରିଥିଲା। ଦ୍ୱିତୀୟ ଇନିଂସରେ କେକେ ଇଲେଭେନ ୯.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୨ ରନ୍ କରିପାରିଥିଲା। ଫଳରେ କଳିଙ୍ଗ ୱାରହକ୍ସ ୫୪ ରନ୍‌ରେ ବିଜୟୀ ହୋଇଥିଲା। ବିଜୟୀ ଦଳର ଭିକୁ ମାତ୍ର ୧୮ଟି ବଲ୍‌ରୁ ୬୬ ରନ୍ ସଂଗ୍ରହ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଦ୍ୱିତୀୟ ଲିଗ୍ ମ୍ୟାଚ୍‌ରେ ଭୁବନେଶ୍ୱରର ବରମୁଣ୍ଡା ଇଲେଭେନ ଓ ଜଟଣୀ ଇଲେଭେନ ମଧ୍ୟରେ ଖେଳ ହୋଇଥିଲା। ଟସ୍ ଜିତି ଜଟଣୀ ଇଲେଭେନ ପ୍ରଥମେ ବୋଲିଂ କରିଥିଲା। ବରମୁଣ୍ଡା ଇଲେଭେନ ୮ ଓଭରରେ ୭ଟି ୱିକେଟ୍ ହରାଇ ୫୯ ରନ୍ କରିଥିଲା। ଜବାବରେ ଜଟଣୀ ଇଲେଭେନ ୭.୪ ଓଭରରେ ୬ଟି ୱିକେଟ୍ ହରାଇ ୬୦ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଜଟଣୀ ଦଳର ବିମଳ ୨ ଓଭରରେ ମାତ୍ର ୩ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରି ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ରଘୁନାଥ ଆଥଲେଟିକ୍ ଆସୋସିଏସନ୍‌ର ସମ୍ପାଦକ ତଥା କ୍ରୀଡ଼ା ସଂଗଠକ ଦିବାକର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ଗାଁ ଆଦର୍ଶ ଥାନାର ଆଇଆଇସି ସତ୍ୟନାରାୟଣ ବାରିକ, ସବ୍‌ଇନ୍ସପେକ୍ଟର ଚକ୍ରଧର ସିଂ, କୃପାସିନ୍ଧୁ ଗୌଡ଼, ଉମାକାନ୍ତ ଦାଶ, ସନ୍ତୋଷ ପ୍ରଧାନ ଓ ଦୀନନାଥ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଜ୍ଞାନରଞ୍ଜନ ଓ ବାଦଲ ରାଜକୁମାର ମ୍ୟାଚ୍ ପରିଚାଳନା କରିଥିଲେ। ମଙ୍ଗଳବାର ତୃତୀୟ ଲିଗ୍ ମ୍ୟାଚ୍‌ରେ ଭୁବନେଶ୍ୱରର ସହିଦନଗର ଦଳ ଓ କଳାହାଣ୍ଡିର ଭବାନୀପାଟଣା ଦଳ ମଧ୍ୟରେ ମୁକାବିଲା ହେବ। ସେହିପରି ଚତୁର୍ଥ ଲିଗ୍ ମ୍ୟାଚ୍‌ରେ ନୟାଗଡ଼ର ଜ୍ୟୋତି ଇଲେଭେନ ଓ ଗଞ୍ଜାମର ପାଢ଼ୀ ଇଲେଭେନ ପରସ୍ପରକୁ ଭେଟିବେ।

Leave A Reply

Your email address will not be published.