- କୋଟିଆରେ ଆନ୍ଧ୍ରର ନିର୍ବାଚନ ଘୋଷଣା ଓଡିଶାର ଆଞ୍ଚଳିକ ଅଖଣ୍ଡତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
- କୋଟିଆ ସଂକ୍ରାନ୍ତୀୟ ନିର୍ବାଚନ ପ୍ରତିଶୃତି ପାଳନରେ ଡବଲ ଇଞ୍ଜିନ ସରକାର ପଛଘୁଞ୍ଚା ଦେଉଛି କାହିଁକି ?
- ତୁରନ୍ତ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନବୀନ ପଟ୍ଟନାୟକଙ୍କ ଦାବୀ ।
ଭୁବନେଶ୍ୱର, ତା 19.10.26 ରିଖ: ଓଡିଶାର ଉପାନ୍ତ ଅଞ୍ଚଳ କୋଟିଆରେ ନିର୍ବାଚନ କରିବା ପାଇଁ ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ୍ ସରକାରଙ୍କର ଘୋଷଣା ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍ବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି କୋଟିଆ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବୀ କରିଛନ୍ତି ।
ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କୋଟିଆ ହେଉଛି ଓଡିଶାର ଅଭିନ୍ନ ଅଙ୍ଗ । କିନ୍ତୁ ସେଠାରେ ନିର୍ବାଚନ କରିବା ପାଇଁ ଆନ୍ଧ୍ର ସରକାରଙ୍କ ଘୋଷଣା ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡିଶା ସରକାର ରାଜ୍ୟର ଆଞ୍ଚଳିକ ଅଖଣ୍ଡତା ସୁରକ୍ଷା ପାଇଁ ସଂଗ୍ରାମ କରୁଥିଲେ । ଅତୀତରେ ମଧ୍ୟ ବିଜେପିର ନେତା ମାନେ କୋଟିଆ ଓଡିଶାର ବୋଲି ଦାବୀ କରି ଆସୁଥିଲେ ଏବଂ Go Back Andhra Slogan ଦେଉଥିଲେ । ୨୦୨୪ ନିର୍ବାଚନ ଇସ୍ତାହାରରେ ବିଜେପି ପ୍ରତିଶୃତି ଦେଇଥିଲା ଯେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିଲେ କୋଟିଆ ସମସ୍ୟାର ସବୁଦିନ ପାଇଁ ସମାଧାନ କରାଯିବ । ରାଜ୍ୟର ଆଞ୍ଚଳିକ ଅଖଣ୍ଡତା ସୁରକ୍ଷିତ ରଖାଯିବ ଏବଂ ଓଡିଆ ସ୍ୱାଭିମାନ ଫେରାଇ ଅଣାଯିବ।
କିନ୍ତୁ ଏବେ ସେ ପ୍ରତିଶୃତି କୁଆଡେ ଗଲା ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ର ରେ ପ୍ରଶ୍ନ କରିଛନ୍ତି ।
ଆଜି ରାଜ୍ୟରେ ତଥାକଥିତ ଡବଲ ଇଞ୍ଜିନ ସରକାର ଶାସନ ଦାୟୀତ୍ୱରେ ରହିଛି । କିନ୍ତୁ ଉଦ୍ବେଗର ବିଷୟ ଏହି ଯେ ଆନ୍ଧ୍ର ସରକାର କୋଟିଆରେ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି । ଏ ପରିପ୍ରେକ୍ଷୀରେ କୋଟିଆ ଓଡିଶାର – ବିଜେପିର ଏ ଆଶ୍ୱାସନା କୁଆଡେ ଗଲା ବୋଲି ଶ୍ରୀ ପଟ୍ଟନାୟକ ପୁଣି ପ୍ରଶ୍ନ କରିଛନ୍ତି ।
ବର୍ତ୍ତମାନ ଆନ୍ଧ୍ରରେ ତେଲୁଗୁ ଦେଶମ୍ ସରକାର ଶାସନ କରୁଛି ଏବଂ ଏହା କେନ୍ଦ୍ରରେ ଶାସନ କରୁଥିବା NDA ସରକାରର ପ୍ରମୁଖ ଅଂଶୀଦାର । କେନ୍ଦ୍ର ସରକାରଙ୍କ ସ୍ଥାୟୀତ୍ୱ ବଜାୟ ରଖିବାରେ ତେଲୁଗୁ ଦେଶମ୍ ଦଳର ବିଶେଷ ଭୂମିକା ରହିଛି । ତେଣୁ ଓଡିଶା ର ବିଜେପି ସରକାରର ନୀରବତା କଣ କେନ୍ଦ୍ରରେ NDA ସରକାରର ରାଜନୈତିକ ନିର୍ଭରଶୀଳତା ଜନିତ ବାଧ୍ୟବାଧ୍ୟକତା କି ବୋଲି ଶ୍ରୀ ପଟ୍ଟନାୟକ ପୁଣି ପ୍ରଶ୍ନ କରିଛନ୍ତି ।
ଏଥିପାଇଁ କଣ ଓଡିଶାର ସ୍ୱାର୍ଥ ଓ ଆଞ୍ଚଳିକ ଅଖଣ୍ଡତା ସହିତ ବିଜେପି ସରକାର ବୁଝାମଣା କରିଦେଇଛି କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସେ ଆହୁରି ପ୍ରଶ୍ନ କରିଛନ୍ତି ଯେ ୨୦୨୫ ମସିହାରେ କୋଟିଆ ସଂକ୍ରାନ୍ତ ରେ ଗଠିତ ୧୬ ଜଣିଆ ଉଚ୍ଚସ୍ତରୀୟ କମିଟିର ସୁପାରିଶ କୁଆଡେ ଗଲା ? ଏବଂ ଏହା କାହିଁକି କାର୍ଯ୍ୟକାରୀ କରାଯାଉ ନାହିଁ ?
କୋଟିଆ ସଂକ୍ରାନ୍ତରେ ଓଡିଶା ସରକାରଙ୍କର ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ ଉତ୍ତର ପାଇବା ଓଡିଶାବାସୀଙ୍କର ଅଧିକାର । ତେଣୁ ବିଜେପି ସରକାର ତାଙ୍କ ପ୍ରତିଶୃତି ଉପରେ ଉତ୍ତର ଦାୟୀତ୍ୱ୍ ନେବାକୁ ବାଧ୍ୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଡବଲ ଇଞ୍ଜିନ ସରକାର ଓଡିଶାର ଆଞ୍ଚଳିକ ଅଖଣ୍ଡତା, ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଦୃଢ ଭାବରେ ଠିଆ ହୋଇ ପାରିବ କି ? କିମ୍ବା ପୁଣି ଥରେ କେନ୍ଦ୍ର ସରକାରଙ୍କର ଚାପ ଆଗରେ ନଇଁ ଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ନିର୍ବାଚନ ସମୟରେ ଜନସାଧାରଣଙ୍କୁ ଦେଇଥିବା ଅନ୍ୟ ପ୍ରତିଶୃତି ପରି ଏହା ମିଳାଇ ଯିବ ନାହିଁ ତ ? Go Back Andhra ସ୍ଲୋଗାନ କେବଳ ଭୋଟ ହାତେଇବା ପାଇଁ ନିର୍ବାଚନୀ ହଟଚମଟ ଥିଲା କି ? ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
କୋଟିଆ ଉପରେ ଓଡିଶାର ସାର୍ବଭୌମତ୍ୱ ବଜାୟ ରଖିବା ସହିତ ଓଡିଶାର ଆଞ୍ଚଳିକ ଅଖଣ୍ଡତାର ସୁରକ୍ଷା ପାଇଁ ରାଜ୍ୟ ସରକାର ନିର୍ଣ୍ଣୟାତ୍ମକ ପଦକ୍ଷେପ ନେବା ପାଇଁ ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଦୃଢ ଦାବୀ କରିଛନ୍ତି ।