ସମାଜକୁ ଶୃଙ୍ଖଳିତ, ନିଶାମୁକ୍ତ ଏବଂ ରାମମୟ କରିବା – ଧର୍ମେନ୍ଦ୍ର ପ୍ରଧାନ

12

ସମ୍ବଲପୁରରେ ଦୁର୍ଗା ମନ୍ଦିର ଓ ପୂଜା ମଣ୍ଡପ ଦର୍ଶନ ସହ ରାମଲୀଳା ଉତ୍ସବରେ ଯୋଗଦେଲେ ସାଂସଦ

• ଦଶହରାର ଶୁଭେଚ୍ଛା ଜଣାଇବା ସହ ମା’ ଦୁର୍ଗାଙ୍କ ପାଖରେ ଜଗତର କଲ୍ୟାଣ କାମନା କଲେ
• ମହାନବମୀରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବା ମୋର ସୌଭାଗ୍ୟ
• ଦୁର୍ଗାପୂଜା ଅଧର୍ମ ଉପରେ ଧର୍ମର ବିଜୟ, ସଦ୍ଭାବନା, ସମର୍ପଣ ଏବଂ ଆସ୍ଥାର ପ୍ରତୀକ
• ସମ୍ବଲପୁର ରାମଲୀଳା ଆମର ସନାତନ ସଂସ୍କୃତି ଓ ଭକ୍ତିଭାବକୁ ପ୍ରତିଫଳିତ କରୁଛି

ସମ୍ବଲପୁର, ୧୯ ଅକ୍ଟୋବର, ୨୦୨୬ – ପବିତ୍ର ନବରାତ୍ରୀ ଅବସରରେ ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଗସ୍ତ କରି ମା’ ସମଲେଶ୍ୱରୀଙ୍କ ଦର୍ଶନ ସହ ନଗରର ବିଭିନ୍ନ ଦୁର୍ଗା ମନ୍ଦିର ଓ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି । ଏହାସହ ‘ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ସମିତି’ ଦ୍ୱାରା ଆୟୋଜିତ ଭବ୍ୟ ରାମଲୀଳା ଓ ରାବଣ ଦହନ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶରେ ଏକ ଶୃଙ୍ଖଳିତ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି ।

ଶ୍ରୀ ପ୍ରଧାନ ନିଜ ଗସ୍ତ କାଳରେ ପ୍ରଥମେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ, ପରେ ଲପଙ୍ଗା ଓ ଠେମରା ସ୍ଥିତ ରଣେଶ୍ୱରୀ ରାମଚଣ୍ଡୀ ପୀଠ ଏବଂ ଶକ୍ତି ଛକ ସ୍ଥିତ ମା’ ଭୁବନେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା କରି ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ । ସମ୍ବଲପୁର ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପଗୁଡ଼ିକୁ ପରିଦର୍ଶନ କରି ମା’ ଦୁର୍ଗାଙ୍କ ଆଶୀର୍ବାଦ ନେଇଥିଲେ । ୧୦୮ତମ ସାର୍ବଜନୀନ ଦୁର୍ଗାପୂଜା ପାଳନ କରୁଥିବା କାଲିବାଡ଼ି ଦୁର୍ଗାପୂଜା କମିଟି ସମେତ ବିଭିନ୍ନ ଆୟୋଜକ ବୃନ୍ଦଙ୍କୁ ସୁନ୍ଦର ଓ ଶୃଙ୍ଖଳିତ ଆୟୋଜନ ପାଇଁ ସେ ଧନ୍ୟବାଦ ଜଣାଇଥିଲେ । ସେ ଦଶହରାର ଶୁଭେଚ୍ଛା ଜଣାଇବା ସହ କହିଥିଲେ, ଆମର ପର୍ବପର୍ବାଣୀ ଗୁଡ଼ିକ ଆମର ପରିଚୟ ଏବଂ ଦୁର୍ଗାପୂଜା ଅଧର୍ମ ଉପରେ ଧର୍ମର ବିଜୟ, ସଦ୍ଭାବନା, ସମର୍ପଣ ଏବଂ ଆସ୍ଥାର ପ୍ରତୀକ । ମା’ ଦୁର୍ଗାଙ୍କ ଆରାଧନାର ଏହି ମହାନ ପର୍ବ ସମାଜରେ ନୂତନ ଉର୍ଜା, ସାହସ ଓ ଆଧ୍ୟାତ୍ମିକତାର ନୂଆ ବାତାବରଣ ତିଆରି କରିଛି।

ସମ୍ବଲପୁରରେ ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ସମିତି ଦ୍ୱାରା ଆୟୋଜିତ ରାମଲୀଳା ଓ ରାବଣ ଦହନ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ, ସମ୍ବଲପୁରରେ ଅତ୍ୟନ୍ତ ଭବ୍ୟତା ଓ ଉଚ୍ଚକୋଟିର ରାମଲୀଳା ଆୟୋଜନ କରାଯାଉଛି, ଯାହା ଆମର ସନାତନ ସଂସ୍କୃତି ଓ ଭକ୍ତିଭାବକୁ ପ୍ରତିଫଳିତ କରୁଛି । ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଦେଶରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହୋଇଛି । କେବଳ ପ୍ରଭୁ ରାମଙ୍କୁ ପୂଜାର୍ଚ୍ଚନା କଲେ ହେବ ନାହିଁ, ପ୍ରଭୁ ଶ୍ରୀରାମଙ୍କ ଆଦର୍ଶରେ ଆମ ସମାଜକୁ ସ୍ୱଚ୍ଛ, ସୁସ୍ଥ, ନିଶାମୁକ୍ତ ଏବଂ ‘ରାମମୟ’ କରିବାକୁ ପଡ଼ିବ । ସମ୍ବଲପୁରର ଏହି ପବିତ୍ର ରାମଲୀଳା ମଞ୍ଚରୁ ହିଁ ସେହି ବାର୍ତ୍ତା ହିଁ ପ୍ରସାରିତ ହେଉଛି । ସମାଜରେ ପ୍ରଭୁ ଶ୍ରୀରାମଙ୍କ ମୂଲ୍ୟବୋଧ ଓ ନୈତିକତାକୁ ଆଣିବା ପାଇଁ ଆମେ ସମସ୍ତେ ପ୍ରୟାସ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

Leave A Reply

Your email address will not be published.