ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥ ଜିଲ୍ଲାରେ ଶୁଭାରମ୍ଭ ହୋଇଯାଇଛି।
ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ଓ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଜିଲ୍ଲାର ପାରଳାଖେମୁଣ୍ଡି ପୌରାଞ୍ଚଳ , ବିଜ୍ଞାପିତ ଅଞ୍ଚଳ ପରିଷଦ , କାଶୀନଗର ସମେତ ଜିଲ୍ଲାର ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ପରିକ୍ରମା କରି ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରିବା ସହିତ ଜନସାଧାରଣଙ୍କ ପାଖରେ ବାର୍ତ୍ତା ପହଞ୍ଚାଇ ପାରିବ।
ଶିଶୁ ଶ୍ରମିକ ଭାବେ କାମରେ ନିୟୋଜିତ କରୁଥିବା ବ୍ୟକ୍ତି ସାବଧାନ , ୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ଅଟେ।୧୫ ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ କାମରେ(ବୃତ୍ତି ଓ ପ୍ରକ୍ରିୟା) ନିୟୋଜନକୁ ବାରଣ କରାଯାଇଛି। ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଯାଏଁ ଜୋରିମାନା ଦେବାକୁ ପଡିବ। କେବଳ ଜୋରିମାନା ନୁହେଁ , ବରଂ ଶିଶୁଙ୍କୁ କୌଣସି କାର୍ଯ୍ୟରେ ଓ କିଶୋରଙ୍କୁ ବୃତ୍ତିଗତ ପ୍ରକ୍ରିୟା ରେ ନିୟୋଜିତ କରୁଥିଲେ ୨ ବର୍ଷ ଯାଏଁ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି , ଏପରିକି ଉଭୟ ଜେଲଦଣ୍ଡ ଜୋରିମାନା ହୋଇପାରେ।
ଏପରି ଭୁଲ ଦ୍ଵିତୀୟ ଥର ହେଲେ ୩ ବର୍ଷ ଯାଏଁ କାରାଦଣ୍ଡ ମଧ୍ୟ ହୋଇପାରିବ। ୧୪ ବର୍ଷରୁ କମ୍ ଶିଶୁ କୁ କୌଣସି କାର୍ଯ୍ୟରେ ନିୟୋଜନ କରିବା ଏକ ଅପରାଧ ଅଟେ , ଯଦି କୌଣସି ବ୍ୟକ୍ତି ୧୪ ବର୍ଷରୁ କମ୍ ବୟସର ପିଲାଙ୍କୁ କାମରେ ନିୟୋଜିତ କରୁଛନ୍ତି କିମ୍ବା ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଙ୍କୁଳ କାର୍ଯ୍ୟରେ ନିୟୋଜନ କରୁଛନ୍ତି ତେବେ ଜିଲ୍ଲା ଶ୍ରମ ଅଧିକାରୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରିପାରିବେ। ଏତତ୍ ବ୍ୟତୀତ , ନିଃଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ ନଂ ୧୫୫୩୬୮ ଏବଂ ଚାଇଲଡ଼ ଲାଇନ ନଂ ୧୦୯୮କୁ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏହି ଅବସରରେ ବିଭିନ୍ନ ସଂଗଠନର ମହିଳାମାନଙ୍କୁ ନେଇ ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନତା କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ଶ୍ରମ ଆୟୁକ୍ତ ଗଜପତି ତଥା ଜିଲ୍ଲା ଶ୍ରମ ଅଧିକାରୀଣୀ ଭାରତୀ ବେହେରା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ସୁକାନ୍ତ କୁମାର ପଣ୍ଡା ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.