ଭୁବନେଶ୍ୱର : ଲଗାତାର ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ସରକାର ଗଠନ କରି ଯେଉଁ ରେକର୍ଡ କରିବେ ବୋଲି ବିଜେଡି ଯେଉଁ ସ୍ବପ୍ନ ଦେଖିଥିଲା ତାହା ଆଜି ଚୁରମାର ହୋଇଯାଇଛି | ପାଞ୍ଚ ପାଳିର ସରକାର ପରେ ଆଜି ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିଛି ବିଜୁ ଜନତା ଦଳ | ଏକଦା ଲୋକପ୍ରିୟତାର ଶୀର୍ଷରେ ଥିବା ନବୀନ ପଟ୍ଟନାୟକଙ୍କ ହାତରୁ କ୍ଷମତା ଛଡ଼ାଇ ଆଣିବାକୁ ସମର୍ଥ ହୋଇଛି ଭାରତୀୟ ଜନତା ପାର୍ଟି ସମସ୍ତଙ୍କୁ ଚକିତ କରି । ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ବିଜେପି ୭୮ ଟି ଆସନ ଦଖଲ କରି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବିଜେଡି ମାତ୍ର ୫୧ ଆସନରେ ସୀମିତ ରହିଯାଇଛି । କଂଗ୍ରେସ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରି ୧୪ ଟି ଆସନ ପାଇଛି । ସିପିଏମ୍ ର ଲକ୍ଷ୍ମଣ ମୁଣ୍ଡା ତାଙ୍କ ବଣାଇ ଆସନ ବଜାୟ ରଖିଥିଲା ବେଳେ ମାହାଙ୍ଗା, ଧର୍ମଶାଳା ଏବଂ ବଡମ୍ବା ଆସନରୁ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିଭଳି ୨୧ଟି ଲୋକସଭା ଆସନରୁ ବିଜେପି ୧୯ ଟି ଆସନ ପୋଛି ନେଇଥିବା ବେଳେ କଂଗ୍ରେସ ହାତରେ ଗୋଟେ ଓ ବିଜେଡି ଭାଗରେ ଗୋଟେ ଆସନ ପଡିଛି । ଦଳର ବହୁ ଭେଟେରାନ ନେତା ପରାଜୟର ସ୍ୱାଦ ଚାଖିଥିବା ବେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ଦ୍ଵିତୀୟ ଆସନ କଣ୍ଟାବାଞ୍ଜିରୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାଜୟ | କେବଳ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳିରୁ ସେ ବିଜୟୀ ହୋଇଛନ୍ତି |
୪ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନର ଫଳାଫଳକୁ ନେଇ ଉଭୟ ବିଜେଡି ଏବଂ ବିଜେପି ପକ୍ଷ ସମ୍ପୂର୍ଣ୍ଣ ଆଶାବାଦୀ ଥିଲା ବେଳେ ପ୍ରାୟ ସବୁ ଜାତୀୟ ସଂସ୍ଥାର ଏକଜିଟ୍ ପୋଲ୍ ଓଡ଼ିଶାରେ ବିଜେପିକୁ ୧୫ ରୁ ଅଧିକ ଲୋକସଭା ଆସନ ଦେଇଥିଲେ । ଓଡ଼ିଶା ବିଧାନସଭାର ଫଳାଫଳ ନେଇ ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ ତା’ର ଏକଜିଟ୍ ପୋଲ୍ ରେ ବିଜେପି ଏବଂ ବିଜେଡିକୁ ସମାନ ଭାବେ ୬୨ରୁ ୮୦ ସିଟ୍ ର ଆକଳନ କରିଥିଲା । ତେବେ ବିଜେଡି ଏହାକୁ ଗ୍ରହଣ କରି ନ ଥିଲା। ୧୨ ଲୋକସଭା ଏବଂ ୧୧୫ ବିଧାନସଭା ଆସନରେ ଜିତିବୁ ବୋଲି ଦମ୍ଭ ଦେଖାଇଥିଲା । ଅବଶ୍ୟ ଓଡ଼ିଶା ବିଜେପିର ରଣନୀତିକାରମାନେ ବିଜେପି ୮୦ ରୁ ଅଧିକ ଆସନ ପାଇ ନିଶ୍ଚିତ ସରକାର ଗଢ଼ିବ ବୋଲି ଦୃଢ଼ତା ଦେଖାଇଥିଲେ ।
ଆଜି ସକାଳେ ଭୋଟ ଗଣତି ଆରମ୍ଭରୁ ହିଁ ବିଜେପିର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୧୭/୧୮ ଲୋକସଭା ଆସନରେ ବିଜେଡିଠାରୁ ଆଗୁଆ ଚାଲିଥିଲା । ଦୁଇ ତିନୋଟି ଆସନରେ କମ୍ ବ୍ୟବଧାନରେ ଆଗପଛ ହୋଇ ଚାଲିଥିଲେ । ସେହିଭଳି ପ୍ରାୟ ୮୫ ବିଧାନସଭା ଆସନ ପର୍ଯ୍ୟନ୍ତ ଦଳର ପ୍ରାର୍ଥୀମାନେ ଆଗୁଆ ରହିଥିଲେ । ବିଜେଡି ୪୫ ରୁ ୬୦ ଆସନ ମଧ୍ୟରେ ଲଢ଼େଇ କରିଥିଲା । ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ଓ ଓ ଅପରାଜେୟ ଆସିକା ଲୋକସଭା ଆସନ ବିଜେପି ହାତକୁ ଯାଇଥିଲା ବେଳେ ୧୨ ବିଧାନସଭା ଆସନରୁ ୧୦ଟି ଆସନ ବିଜେପିକୁ ଯାଇଛି ।
ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ରାଜନୈତିକ ପତିଆରା ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ସମ୍ବଲପୁୁର ଲୋକସଭା ଆସନରେ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ସେ ଲକ୍ଷାଧିକ ଭୋଟରେ ହାରିଥିବା ବେଳେ କୋରେଇରେ ପ୍ରାର୍ଥୀ ହୋଇଥିବା ତାଙ୍କ ମା’ ସଂଧ୍ୟାରାଣୀ ଦାସ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକଙ୍କଠାରୁ ପରାସ୍ତ ହୋଇଛନ୍ତି ।
ଏହି ନିର୍ବାଚନରେ ପରାଜୟ ବରଣ କରିଥିବା ବିଜେଡିର ତୁଙ୍ଗନେତାଙ୍କ ମଧ୍ୟରେ ଅଛନ୍ତି- ଦେବୀ ପ୍ରସାଦ ମିଶ୍ର, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ପ୍ରଦୀପ କୁମାର ଅମାତ, ବିକ୍ରମ କେଶରୀ ଆରୁଖ, ଅଶୋକ ପଣ୍ଡା, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ରୀତା ସାହୁ, ପ୍ରୀତିରଞ୍ଜନ ଘଡ଼େଇ, ସୁଶାନ୍ତ ସିଂ, ରୋହିତ ପୂଜାରୀ । ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ସୌମ୍ୟରଂଜନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି ।
ଓଡ଼ିଶାରେ ବିଜେପିର ପ୍ରଦର୍ଶନ ନେଇ ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ପ୍ରଥମ ଥର ପାଇଁ ବିଜେପି ସରକାର ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଭୂମିର ସେବା କରିବାର ସୁଯୋଗ ବିଜେପିକୁ ଦେଇଥିବାରୁ ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ହାସଲ ହୋଇଥିବା ଏହି ବିଜୟ “ବିକଶିତ ଭାରତ, ବିକଶିତ ଓଡ଼ିଶା’ ର ସଂକଳ୍ପକୁ ସାକାର କରିବ । ମୁଁ ରାଜ୍ୟବାସୀଙ୍କୁ ନିଶ୍ଚିତ କରୁଛି ଯେ ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଆ ସାହିତ୍ୟକୁ ପ୍ରୋତ୍ସାହିତ କରି ବିଜେପି ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିବ ।
ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ତାଙ୍କ ପ୍ରତିକ୍ରିୟାରେ ଓଡ଼ିଶାର ବିଜେପି କାର୍ଯ୍ୟକର୍ତ୍ତା ବିଶେଷକରି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉଦ୍ୟମ ଓ ପରିଶ୍ରମକୁ ପ୍ରଶଂସା କରିଛନ୍ତି । ସେମାନଙ୍କର କଠିନ ପରିଶ୍ରମ ପାଇଁ ଏହି ଫଳ ମିଳିଲା ବୋଲି କହିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ବିଜୟ ଉତ୍ସବ ପାଳନରେ ନବନିର୍ବାଚିତ ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡାଙ୍କ ଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ |
ସେପଟେ ବିଜେଡି ଏହି ପରାଜୟକୁ ସ୍ୱୀକାର କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଡ. ସସ୍ମିତ୍ ପାତ୍ର ଏବଂ ସୁଲତା ଦେଓ କହିଛନ୍ତି ଯେ “ବିଜେଡି ଓଡ଼ିଶାବାସୀଙ୍କ ସେବାରେ ଗତ ୨୪ ବର୍ଷ ଧରି ନିରନ୍ତର ରହି ଆସିଛି । ଜନମତକୁ ନମ୍ରତାର ସହ ସ୍ଵୀକାର କରିବା ସହ ଏବେ ଓଡ଼ିଶାବାସୀ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ନିଷ୍ଠାର ସହ ପାଳନ କରିବାକୁ ଦଳ ପ୍ରତିଶ୍ରୁତିବଦ୍ଧ” ।
Sign in
Sign in
Recover your password.
A password will be e-mailed to you.
Next Post