ସଞ୍ଜ ନଇଁଲେ ଏଠି ଅନ୍ଧାରର ରାଜୁତି, ମୌଳିକ ସୁବିଧା ଏହି ଅପହଞ୍ଚ

0

ବିକାଶ ହୁଡ଼ି ଯାଇଛି ଭରିଭଟା ଗାଁର ବାଟ

କଲ୍ୟାଣସିଂହପୁର: ସଞ୍ଜ ନଇଁଲେ ଏଠି ଅନ୍ଧାରର ରାଜୁତି। ମୌଳିକ ସୁବିଧା ଏହି ଅପହଞ୍ଚ | ସତେ ଯେମିତି ସରକାରଙ୍କ ବହୁଚର୍ଚ୍ଚିତ ଓ ତଥାକଥିତ ବିକାଶ ହୁଡ଼ି ଯାଇଛି ଭରିଭଟା ଗାଁର ବାଟ |
ଭରିଭଟା ଗାଁ…ଏ ହେଉଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକର ସରକାରଙ୍କ ବିକାଶ ଗପରେ ସ୍ଥାନ ପାଇନଥିବା ଗୋଟେ ହତଭାଗା ଗାଁ | ନାଇଁ ନାଇଁରେ ବଞ୍ଚିଛନ୍ତି ଏଇ ଗାଁର ଲୋକ,ସତେ ଯେମିତି ଏମାନେ ସରକାର ବା ପ୍ରଶାସନ ନଜରରେ ସାବତ |
କଲ୍ୟାଣସିଂହପୁର ବ୍ଳକରେ ଆଜି ମଧ୍ୟ ବିଜୁଳି ଆଲୁଅ ଭଳି ମୌଳିକ ସୁବିଧା ରୁ ବଂଚିତ ଅନେକ ଗାଁ । ସେଇ ଭାତ ହାଣ୍ଡି ରୁ ଗୋଟାଏ ଚାଉଳ ଭଳି କଲ୍ୟାଣସିଂହପୁର ବ୍ଳକ ସିଙ୍ଗାରି ପଞ୍ଚାୟତର ବରିଭଟା ଗାଁ । ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ଆସେ ଏହି ଗାଁ | ସଞ୍ଜ ହେଲେ ଦ୍ୱୀପ ର ମିଞ୍ଜି ମିଞ୍ଜି ଆଲୁଅରେ ନିଜ ଭବିଷ୍ୟତ ଖୋଜୁଛନ୍ତି ଏଠାକାର ଛାତ୍ର ଛାତ୍ରୀ |ମାଟି ତେଲ ଥିବା ଯାଏଁ ପାଠ ପଢ଼ନ୍ତି, ତେଲ ସରିଗଲେ ପାଠ ପଢ଼ା ଠପ । ବେଳ ଥାଉ ଥାଉ ଏଠାକାର ଲୋକେ ରନ୍ଧା ବଢ଼ା ସାରିଦିଅନ୍ତି | ଆଉ ସନ୍ଧ୍ୟା ପରେ ଏଭଳି ଅନ୍ଧାର ରେ ରାତି ବିତାଉଛନ୍ତି
ଗାଁ ଲୋକେ | କେବଳ ବିଜୁଳି ଆଲୁଅ ନୁହେଁ, ଗାଁ କୁ ଯିବା ପାଇଁ ପକା ରାସ୍ତା ଟିଏ ନାହିଁ।ଗ୍ରୀଷ୍ମ ଋତୁରେ ଚଳିଯାଏ, କିନ୍ତୁ ବର୍ଷା ଦିନରେ ଅନେକ ଦୁର୍ଦ୍ଦଶା ଭୋଗୁଛନ୍ତି ଗାଁ ଲୋକେ। ସାମାନ୍ୟ ଅସୁସ୍ଥତା ହେଉ କିମ୍ଵା ଗର୍ଭବତୀ ମହିଳା ସେମାନଙ୍କୁ ଖଟିଆ ହିଁ ଭରସା ।

ସମସ୍ୟା ଏତକି ରେ ସରିନାହଁ | ଗାଁ ରେ ଥିବା ଏକମାତ୍ର ସୌର ଚାଳିତ ନଳକୂପ ଅଚଳ ହୋଇ ଏକ ମାସ ବିତିଗଲାଣି | କିନ୍ତୁ ପ୍ରଶାସନ କିମ୍ବା ନେତା କାହାରି ଧ୍ୟାନ ନାହି ।ଚଳିତ ବର୍ଷ ନିର୍ବାଚନ ରେ ଭୋଟ୍ ନ ଦେବାକୁ ସିଧା ସିଧା ଶୁଣେଇଛନ୍ତି ଗ୍ରାମବାସୀ । ଏ ସବୁ ସମସ୍ୟା ନେଇ ସ୍ଥାନୀୟ ନେତା ବ୍ଲକ ପ୍ରଶାସନ ପରେ ଜିଲ୍ଲା ପ୍ରଶାସନ ନିକଟକୁ ଅନେକ ଥର ଗୁହାରି ପରେ ମଧ୍ୟ ସମସ୍ୟା ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଗାଁ କୁ ରାସ୍ତା ନଥିବାରୁ ଗାଁ କୁ ପହଂଚି ପାରୁନାହିଁ ବିକାଶ ।ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଗାଁ ରେ ପହଞ୍ଚିବ ଏବଂ କେବେ ଗାଁ ର ମୌଳିକ ସମସ୍ୟା ଦୂର ହେବ । ଗ୍ରାମର କୁନାକା ସନ୍ଦେରା, ସୀତାନୁ କରସିକା, କୁନାକା ରାଣୀମା , କୁନାକା ସାଜେ, ରାଇସିଙ୍ଗ କରସିକା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.