ଜଗଦମ୍ବା ଜୟନ୍ତୀ ଓ କାର୍ତ୍ତିକ ଆକାଶଦୀପ ପ୍ରଜ୍ଜ୍ୱଳନ ସହିତ ବହୁମୁଖୀ ସଂସ୍କାର କାର୍ଯ୍ୟକ୍ରମ

9

ରାଜଗୁରୁ ବିଦ୍ୟାଳୟ ଛାତ୍ରାବାସରେ ମନ ନିୟନ୍ତ୍ରଣ ଶିକ୍ଷା ଏବଂ ପରିଚ୍ଛା ମଠରେ ପିତୃପୁରୁଷଙ୍କୁ ‘ବଡ଼ବଡୁଆ’ ଡାକ


‎ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସହରର ଅଗ୍ରଣୀ ଆଧ୍ୟାତ୍ମିକ ଓ ସାମାଜିକ ଅନୁଷ୍ଠାନ ବାଳ-ମୁକୁନ୍ଦ କେନ୍ଦ୍ର ପକ୍ଷରୁ ରବିବାର ପବିତ୍ର ଦିବସବ୍ୟାପୀ ଭକ୍ତି ଓ ସଂସ୍କାରମୂଳକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ପ୍ରେମରସାବତାର ଜଗଦ୍‌ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ଧର୍ମପତ୍ନୀ ପରମ ପୂଜନୀୟା ଜଗଦମ୍ବା ମାତାଜୀଙ୍କ ଆବିର୍ଭାବ ତିଥି ଏବଂ କାର୍ତ୍ତିକ ଦୀପୋତ୍ସବକୁ ନେଇ ସହରର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ଉତ୍ସାହ ଦେଖିବାକୁ ମିଳିଥିଲା।
‎ପ୍ରାତଃ ସମୟରେ ବାଳ-ମୁକୁନ୍ଦ କେନ୍ଦ୍ରରେ ଉତ୍କଳୀୟ ଶ୍ରୀଜଗନ୍ନାଥ ପରମ୍ପରା ଅନୁଯାୟୀ ମାତାଜୀଙ୍କ ପ୍ରତିକୃତିରେ ଆଳତି ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଗୃହସ୍ଥ ଜୀବନରେ ରହି ମଧ୍ୟ ନିରହଂକାର ସେବା ଓ ନିଃସ୍ୱାର୍ଥପର ପ୍ରେମ ମାଧ୍ୟମରେ କିପରି ଭଗବତ୍ ପ୍ରାପ୍ତି ସମ୍ଭବ, ତାହା ମାତାଜୀଙ୍କ ଜୀବନରୁ ଶିଖିବାକୁ ଶିଶୁମାନଙ୍କୁ ପରାମର୍ଶ ଦିଆଯାଇଥିଲା।
‎ଅପରାହ୍ନ ବେଳା ଡଃ ସତ୍ୟନାରାୟଣ ରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରେ ଆନ୍ତେବାସୀ ଛାତ୍ରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଜୀବନ-ନିର୍ମାଣ ଶିବିର ବସିଥିଲା। ଏଥିରେ ଜଗଦ୍‌ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ରୂପଧ୍ୟାନ ପଦ୍ଧତି ତଥା ପୂଜ୍ୟ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ବ୍ୟବହାରିକ ‘ମନ ନିୟନ୍ତ୍ରଣ’ ସୂତ୍ରକୁ ଆଧାର କରି ଛାତ୍ରମାନଙ୍କ ମାନସିକ ଏକାଗ୍ରତା , ଦୈନନ୍ଦିନ ବ୍ୟକ୍ତିଗତ ପରିଚ୍ଛନ୍ନତା ଏବଂ ସୁସ୍ଥ ଚରିତ୍ର ନିର୍ମାଣ ଉପରେ ଶିକ୍ଷାଦାନ କରାଯାଇଥିଲା।
‎ସଞ୍ଜ ନଇଁବା ପରେ ଐତିହାସିକ ଶ୍ରୀରସିକରାଜ ମନ୍ଦିର (ପରିଚ୍ଛା ମଠ)ରେ ଏକାଠି ହୋଇଥିଲେ ବହୁ ଶ୍ରଦ୍ଧାଳୁ। କାର୍ତ୍ତିକ ବ୍ରତର ବିଧି ମୁତାବକ ସାନ୍ଧ୍ୟ ଧୂପ-ଆଳତି ଓ ଭାବପୂର୍ଣ୍ଣ ରାଧା-ଗୋବିନ୍ଦ ନାମ ସଂକୀର୍ତ୍ତନ ସହ ମଠର ଉଚ୍ଚ ଶିଖରରେ ପବିତ୍ର ‘ଆକାଶଦୀପ’ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହା ସହିତ କଉଁରିଆ କାଠି ଜଳାଇ ‘ବଡ଼ବଡୁଆ ହୋ, ଅନ୍ଧାରରେ ଆସ ଆଲୁଅରେ ଯାଅ’ ଧ୍ୱନି ଦେଇ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଭକ୍ତିପୂର୍ଣ୍ଣ ଡାଙ୍ଗ ଦେଖା ନୀତି ସମ୍ପାଦିତ ହୋଇଥିଲା।
‎କାର୍ଯ୍ୟକ୍ରମର ସମସ୍ତ ପର୍ଯ୍ୟାୟକୁ ବାଳ-ମୁକୁନ୍ଦ କେନ୍ଦ୍ରର ସ୍ୱେଚ୍ଛାସେବୀ ସତ୍ୟ ନାରାୟଣ ଆପଟ୍ଟ , ଶିଶୁ ଶିକ୍ଷାର୍ଥୀବୃନ୍ଦ , ପରିଚ୍ଛା ମଠର ପରିଚାଳକ ମୂରଲୀଧର ପରିଚ୍ଛା , ବାସନ୍ତୀ ଚୌଧୁରୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ସକ୍ରିୟ ଭାବେ ପରିଚାଳନା କରିଥିଲେ।

Leave A Reply

Your email address will not be published.