ବିଭିନ୍ନ ଶ୍ରେଣୀରେ ନାମଲେଖା ଜାରି ରହିଛି
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ ୨୦୨୪-୨୫ ନୂତନ ଶିକ୍ଷାବର୍ଷ ପାଇଁ ପାଠପଢ଼ା ଆରମ୍ଭ ହୋଇଛିା ନୂତନ ଶିକ୍ଷାବର୍ଷକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖିବାକୁ ମିଳିଛିା ଗ୍ରୀଷ୍ମପ୍ରବାହ ଏବଂ ବର୍ଦ୍ଧିତ ତାପମାତ୍ରାର ଆଶଙ୍କାକୁ ଗୁରୁତ୍ୱ ଦେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସକାଳୁଆ ବିଦ୍ୟାଳୟ ଆରମ୍ଭ ହୋଇଥିବାବେଳେ ନୂତନଭାବେ, ଉପଯୁକ୍ତ ବୟସ ପାଇଁ ଉପଯୁକ୍ତ ଶ୍ରେଣୀରେ ପିଲାମାନଙ୍କର ନାମଲେଖା ମଧ୍ୟ ଜାରି ରହିଛିା ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ବିଦ୍ୟାଳୟରେ ନାମ ଲେଖାଉଛନ୍ତିା
ଶିକ୍ଷା ବର୍ଷର ପ୍ରଥମ ଦିନରେ ସମସ୍ତ ଅଭିଭାବକମାନଙ୍କୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛିା ଏଥିରେ ପୂର୍ବ ଶିକ୍ଷା ବର୍ଷ(୨୦୨୩-୨୪)ରେ ହୋଇଥିବା ସମେଟିଭ୍ ଆସେସ୍ମେଣ୍ଟ -୨ ରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଏବଂ ଉପଲବ୍ଧିକୁ ଅଭିଭାବକମାନଙ୍କ ସହିତ ଆଲୋଚନା କରାଯାଇଥିଲାା ଏହି ପରିପ୍ରେକ୍ଷୀରେ ପରୀକ୍ଷା ଫଳାଫଳ ସହିତ ସାମଗ୍ରିକ ପ୍ରଗତି ପତ୍ର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲାା ନୂତନ ଶିକ୍ଷାବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ନୂତନ ପାଠ୍ୟ ପୁସ୍ତକ ମଧ୍ୟ ପ୍ରଦାନ କରାଯାଉଛିା ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ବେଶ୍ ଉତ୍ସାହ ଜନକ ରହିଥିଲାା