ଭାରତ ଆର୍‌ଇ ସମ୍ମିଳନୀରେ ସବୁଜ ଶକ୍ତି ସହଯୋଗ ନେଇ ଆଇଆଇଟି ଭୁବନେଶ୍ୱରର ଏମ୍‌ଓୟୁ ସ୍ୱାକ୍ଷର

8

ଭୁବନେଶ୍ୱର, ୯ ନଭେମ୍ବର ୨୦୨୬: ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ, ଅକ୍ଷୟ ଶକ୍ତିର ସମନ୍ୱୟ, ବିଦ୍ୟୁତ୍ ଗ୍ରିଡ୍‌ର ଆଧୁନିକୀକରଣ ଏବଂ ଶକ୍ତି ବ୍ୟବସ୍ଥାରେ ଉଦୀୟମାନ ନୂତନ ପ୍ରଯୁକ୍ତିର ବିକାଶକୁ ସହଯୋଗ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଓ ମଧ୍ୟପ୍ରଦେଶ ସରକାରଙ୍କ ମଧ୍ୟରେ ଶିକ୍ଷା, ବୈଷୟିକ ଜ୍ଞାନ, ଗବେଷଣା ଏବଂ ଅନୁଷ୍ଠାନିକ ସହଯୋଗ ପାଇଁ ଏକ ବ୍ୟାପକ ରୂପରେଖ ପ୍ରସ୍ତୁତ କରିବା ଲକ୍ଷ୍ୟରେ, ୨୦୨୬ ନଭେମ୍ବର ୩ ତାରିଖରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ଭାରତ ନବୀକରଣଯୋଗ୍ୟ ଶକ୍ତି ଶିଖର ସମ୍ମିଳନୀ–୨୦୨୬ର ଓଡ଼ିଶା ରାଜ୍ୟ ଅଧିବେଶନରେ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଗ୍ରିଡ୍‌କୋ, ଓଡ଼ିଶା; ମୌଲାନା ଆଜାଦ୍ ଜାତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ମାନିଟ୍), ଭୋପାଳ, ମଧ୍ୟପ୍ରଦେଶଠାରେ ଅବସ୍ଥିତ ଶକ୍ତି ପରିବର୍ତ୍ତନ ମିଶନ୍ କେନ୍ଦ୍ର (ସିଏମ୍‌ଇଟି) ଏବଂ ମଧ୍ୟପ୍ରଦେଶ ଉର୍ଜା ବିକାଶ ନିଗମ ଲିମିଟେଡ୍ (ଏମ୍‌ପିୟୁଭିଏନ୍‌ଏଲ୍) ସହିତ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିଛି।

ବୁଝାମଣାପତ୍ର (ଏମ୍‌ଓୟୁ) ଆଦାନପ୍ରଦାନ ସମାରୋହ ମାନନୀୟ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, ମାନନୀୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନନୀୟ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମ୍‌ଏନ୍‌ଆର୍‌ଇ)ର ସଚିବ ଶ୍ରୀ ସନ୍ତୋଷ କୁମାର ଷଡ଼ଙ୍ଗୀ, ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ମଧ୍ୟପ୍ରଦେଶ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମନୁ ଶ୍ରୀବାସ୍ତବ ଏବଂ ଗ୍ରିଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥଙ୍କ ଗରିମାମୟ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଆଇଆଇଟି ଭୁବନେଶ୍ୱରର ସ୍ନାତକୋତ୍ତର ଓ ଗବେଷଣା କାର୍ଯ୍ୟକ୍ରମର ଡିନ୍ ପ୍ରଫେସର ଏସ୍. ଆର୍. ସାମନ୍ତରାୟ ଯୋଗଦେଇ ବୁଝାମଣାପତ୍ର ଆଦାନପ୍ରଦାନ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିନିଧିତ୍ୱ କରିଥିଲେ।

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ, ଅକ୍ଷୟ ଶକ୍ତିର ସମନ୍ୱୟ, ବିଦ୍ୟୁତ୍ ଗ୍ରିଡ୍‌ର ଆଧୁନିକୀକରଣ ଏବଂ ଶକ୍ତି ବ୍ୟବସ୍ଥାରେ ଉଦୀୟମାନ ପ୍ରଯୁକ୍ତିର ବିକାଶକୁ ସମର୍ଥନ କରିବା ନିମନ୍ତେ ଶିକ୍ଷା, ବୈଷୟିକ ଜ୍ଞାନ, ଗବେଷଣା ଓ ଅନୁଷ୍ଠାନିକ ସହଯୋଗ ପାଇଁ ଏକ ବ୍ୟାପକ ରୂପରେଖ ପ୍ରସ୍ତୁତ କରି ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ ଓ ବ୍ୟାପକ କରିବା। ଏହା ଜ୍ଞାନ ଆଦାନପ୍ରଦାନ ଓ ବୌଦ୍ଧିକ ବିନିମୟ ମାଧ୍ୟମରେ ପାରସ୍ପରିକ ସହଯୋଗ ପାଇଁ ସମସ୍ତ ପକ୍ଷଙ୍କ ଆଗ୍ରହ ଓ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ତେବେ, ଏହା କୌଣସି ନିର୍ଦ୍ଦିଷ୍ଟ ସେବା ପ୍ରଦାନ ପାଇଁ ଚୁକ୍ତିଭିତ୍ତିକ ବାଧ୍ୟବାଧକତା ସୃଷ୍ଟି କରୁନାହିଁ।

ସହଯୋଗର ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ ମିଳିତ ଗବେଷଣା ପ୍ରକଳ୍ପ ଓ ପ୍ରାୟୋଜିତ କାର୍ଯ୍ୟକ୍ରମ; ଅକ୍ଷୟ ଶକ୍ତିର ସମନ୍ୱୟ, ବିଦ୍ୟୁତ୍ ସଞ୍ଚାରଣ ଓ ବଣ୍ଟନ ଯୋଜନା ସମ୍ପର୍କିତ ଗବେଷଣା ଓ ବିକାଶ; ଗ୍ରିଡ୍‌ର ନମନୀୟତା ଏବଂ ଉନ୍ନତ ଗ୍ରିଡ୍ ବିଶ୍ଳେଷଣ; ନୂତନ ପ୍ରଯୁକ୍ତିର ଧାରଣାଗତ ସମ୍ଭାବ୍ୟତା ଅଧ୍ୟୟନ, ପ୍ରୟୋଗ ଓ ପ୍ରଦର୍ଶନ; ଏବଂ ଗବେଷଣାର ଫଳାଫଳ ଓ ଜ୍ଞାନର ବ୍ୟାପକ ପ୍ରସାର ଅନ୍ତର୍ଭୁକ୍ତ। ଏହି ସହଯୋଗ ଅକ୍ଷୟ ଶକ୍ତି ନୀତି ପ୍ରସ୍ତୁତି ସହିତ ଆଧୁନିକ ବିଦ୍ୟୁତ୍ ଗ୍ରିଡ୍‌ରେ ବିଭିନ୍ନ ଶକ୍ତି ଉତ୍ସ, ବୈଦ୍ୟୁତିକ ଯାନ (ଇଭି) ଏବଂ ଶକ୍ତି ସଂରକ୍ଷଣ ବ୍ୟବସ୍ଥାର ସମନ୍ୱୟ ସମ୍ପର୍କିତ ସୁପାରିସ ପ୍ରସ୍ତୁତିରେ ମଧ୍ୟ ସହାୟକ ହେବ।

Leave A Reply

Your email address will not be published.