ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ
ଶୋକଵ୍ୟକ୍ତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶିଷ୍ଟ ବ୍ୟକ୍ତି
ଭୁବନେଶ୍ୱର: ଗୁଜବ ଶେଷରେ ସତ ହେଇଗଲା , ଶେଷରେ ଆଖି ବୁଜିଲେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ପ୍ରଖ୍ୟାତ ଭଜନ ଗାୟିକା ଶାନ୍ତିଲତା ବାରିକ। ଦୀର୍ଘ ଦିନ ଅସୁସ୍ଥତା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଅଗଣିତ ଶ୍ରୋତାଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ହେ ଚକାନୟନ, ଭଜି ଭଜି ତୋ ନାମ ଚକାନୟନ, ଅନେକ ଲୋକପ୍ରିୟ ଭଜନ ଗାଇଥିବା ଶାନ୍ତିଲତା ଓଡ଼ିଶାର ଘରେ ଘରେ ଖୁବ୍ ପରିଚିତ। ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଂଗୀତର ଜଣେ ଅତି ପରିଚିତ ନାଁ। ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ଯାଦୁଗରୀରେ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରୁଥିଲେ ତାହା ଶ୍ରୋତାଙ୍କ ହୃଦୟରେ ବସା ବାନ୍ଧି ରହିଯାଉଥିଲା | କୋଟିକୋଟି ଓଡ଼ିଆଙ୍କ ହୃଦୟରେ ସେ ଗ୍ରହଣ କରିଥିଲେ ସ୍ବତନ୍ତ୍ର ସ୍ଥାନ। ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ତାଙ୍କୁ ନେଇ କିଛି ଗଣମାଧ୍ୟମରେ ସୃଷ୍ଟି ହୋଇଥିଲା ମୃତ୍ୟୁ ଗୁଜବ
ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଶୋକ ପ୍ରକାଶ କରିଛନ୍ତି।ଓଡ଼ିଆ ସଙ୍ଗୀତ ମୁଖ୍ୟତଃ ଭକ୍ତି ସଙ୍ଗୀତକୁ ତାଙ୍କର ଅବଦାନ ଅନନ୍ୟ, ନିଜର କୃତି ଓ କୀର୍ତ୍ତି ପାଇଁ ସେ ଚିରସ୍ମରଣୀୟ ରହିବେ ବୋଲି କହି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ଶ୍ରୀମତୀ ବାରିକ ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଣେ ଲୋକପ୍ରିୟ ଭଜନ ଗାୟିକା ଶାନ୍ତି ଲତା ବାରିକ ଜଗନ୍ନାଥ ଙ୍କ ର ଅନନ୍ୟ ଭକ୍ତ ଥିଲେ. ଭାବପୂର୍ଣ୍ଣ କଣ୍ଠରେ ତାଙ୍କ ଜଗନ୍ନାଥ ଭଜନ ପାଇଁ ଓଡିଶା ର ଘରେ ଘରେ ସେ ସୁପରିଚିତ ଥିଲେ |
ତାଙ୍କ ଭଜନ ଥିଲା ଭକ୍ତି ଓ ସମର୍ପଣ ର ସଂଗୀତମୟ ନିବେଦନ. ତାଙ୍କ ସ୍ୱର ପରିବେଶ କୁ ଭକ୍ତିମୟ କରିବା ସହ ଶ୍ରୋତା ଙ୍କ ହୃଦୟ ରେ ଭାବାବେଗ ସୃଷ୍ଟି କରି ପାରୁଥିଲା | ତାଙ୍କର ବିୟୋଗ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବର୍ଣନା କରି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |
ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ଶାନ୍ତିଲତା ବାରିକଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ସ୍ୱର୍ଗତ ଶାନ୍ତିଲତା ବାରିକ ଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି |
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଭକ୍ତି ସଙ୍ଗୀତର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି । ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି ଯେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କର ଗୀତରେ ଆଧ୍ୟାତ୍ମିକତାର ଆବେଗ ଓ ସମର୍ପଣ ଭାବନା ଥିଲା । ସଙ୍ଗୀତ ମାଧ୍ୟମରେ ସେ ଓଡ଼ିଶାର ସଂସ୍କୃତି ଓ ଶ୍ରୀଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡିଥିଲେ । ତାଙ୍କର ବିୟୋଗରେ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଛି । ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ଶ୍ରୀମତୀ ବାରିକଙ୍କ ବିୟୋଗରେ ସମବାୟ,ଉଚ୍ଚଶିକ୍ଷା , ଖାଦ୍ୟ ଯୋଗାଣ ଓ ଖାଉଟିସୁରକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ “ସ୍ଵନାମଧନ୍ଯ ଭଜନ କଣ୍ଠଶିଳ୍ପୀ ଶ୍ରୀମତୀ ଶାନ୍ତିଲତା ବାରିକଙ୍କର ଆଜି ଦେହାନ୍ତ ଖବର ଶୁଣି ଦୁଃଖିତ । ସେ ଗାଇଥିବା ଭଜନ ପାଇଁ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀଙ୍କ ଅନ୍ତରରେ ଚିରଦିନ ପାଇଁ ଅମର ହୋଇରହିବେ । ପ୍ରଭୁ ଜଗନ୍ନାଥ ଏହି ଦୁଃଖଦ ସମୟରେ ତାଙ୍କର ପରିବାର ବର୍ଗଙ୍କୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ l ଅମର ଆତ୍ମାର ସଦଗତି କାମନା କରୁଛି”
ସୁପ୍ରସିଦ୍ଧା ଭଜନ ଗାୟିକା ଶାନ୍ତିଲତା ବାରିକଙ୍କ ବିୟୋଗରେ ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଭୀର ଶୋକ ପ୍ରକଟ କରି ତାଙ୍କୁ ଜଣେ ସଚେତନ ଓ ପ୍ରତିବଦ୍ଧ ଭକ୍ତି ସଂଗୀତ ଗାୟିକା ଭାବରେ ଅଭିହିତ କରିଛନ୍ତି | ମନ୍ତ୍ରୀ ଶ୍ରୀ ପଣ୍ଡା ଶାନ୍ତିଲତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି |