ଜଗତସିଂହପୁର,ତା-୦୧.୦୪.୨୦୨୪/ସୁମନ୍ତ କୁମାର ଦାସ: ଚଳିତବର୍ଷ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି। ଆଦର୍ଶ ଆଚରଣ ଵିଧି ଅନୁପାଳନ ପୂର୍ବକ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ର ସେହି ଅବିସ୍ମରଣୀୟ ଦିନ ଟିକୁ ମନେପକାଇବା ପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସ୍ଥିତ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାସ୍ଥରୀୟ ଓଡିଶା ଦିବସ 2024 ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଓଡିଶା କୁ ସ୍ଵତନ୍ତ୍ର ପରିଚୟ ପ୍ରଦାନ ରେ ଅସୀମ ତ୍ୟାଗ ଓ ସଂଘର୍ଷ କରିଥିବା ମହାନ୍ ଜନନାୟକ ମାନଙ୍କୁ ନିଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଓଡିଶା ର ପରିଚୟ, ଭାଷା, ସଂସ୍କୃତି ଓ ପରମ୍ପରାକୁ ବିଶ୍ଵବିଦିତ କରିବା ପ୍ରତ୍ୟେକ ଓଡ଼ିଆ ଙ୍କ କର୍ତ୍ତବ୍ୟ ବୋଲି ସେ କହିଥିଲେ ।ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ନିଜ ମାତୃଭାଷା କୁ ସମ୍ମାନ ଦେଇ କର୍ତ୍ତବ୍ୟ ପଥରେ ଅଗ୍ରସର ହେବା ପାଇଁ ଜିଲ୍ଲାପାଳ ପ୍ରେରଣା ଦେଇଥିଲେ । ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ଓଡିଆ ଜାତିର ମହାନତା କୁ ଉତ୍କଳର ଉତ୍କର୍ଷତା କୁ ଅନୁସରଣ କରି ସୁନ୍ଦର ଓଡିଶା ଗଠନ କରିବାକୁ ପ୍ରୋତ୍ସାହିତ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତ,ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅମରେନ୍ଦ୍ର ପଣ୍ଡା, ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡିଆ ଭାଷା ଓ ସଂସ୍କୃତି କୁ ମହତ୍ତ୍ୱ ପ୍ରଦାନ କରି ଜାତିର ଅସ୍ମିତା କୁ ବଜାୟ ରଖିବାକୁ ଆହ୍ଵାନ ଦେଇଥିଲେ। ସଭାର ପ୍ରାରମ୍ଭ ରେ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ମଧୁବାବୁ, ଗୋପବନ୍ଧୁ ଏବଂ ପାରଳା ମହାରାଜା ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିଲା।ତତ୍ପରେ କୃଷ୍ଣା କଲଚରାଲ ଗ୍ରୁପ ଦ୍ୱାରା ସମବେତ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ଓ ସହକାରୀ ଜିଲ୍ଲାପାଳ କଳ୍ପିତା କୁମାରୀ ଜେନା ମଧ୍ୟ ଓଡିଶା ପ୍ରଦେଶ ଗଠନ ପାଇଁ ଆତ୍ମତ୍ୟାଗ ଦେଇଥିବା ବରପୁତ୍ର ମାନଙ୍କୁ ନିଜ ବକ୍ତବ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି ସଭା କାର୍ଯ୍ୟ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକଵାଜି ଯନ୍ତ୍ର ମାଧ୍ୟମରେ ସହରରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ହୋଇଥିଲା।ଜିଲ୍ଲା ପ୍ରଶାସନ ପକ୍ଷରୁ ସହରାଞ୍ଚଳରେ ଥିବା ମହାନ୍ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଉପଲକ୍ଷେ ଆୟୋଜିତ ଏହି ସଭାରେ ଜିଲ୍ଲା ସ୍ଥରୀୟ ଅଧିକାରୀ,ପୌର ପରିଷଦ ର ନିର୍ବାହୀ ଅଧିକାରୀ,ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ,ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ତଥା ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post