୧୪୭ ବିଧାନସଭା ଛାଡନ୍ତୁ ୮୦ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ପାଉନାହିଁ ଓଡିଶା ବିଜେପି: ବିଜେଡି

0 1

ଓଡିଶା ବିଜେପିର ଏହି ସ୍ଥିତି ଦେଖ୍ ଓଡିଶାବାସୀ ହସିବା ଆରମ୍ଭ କଲେଣି

ଭୁବନେଶ୍ୱର, ୦୧/୦୪/୨୦୨୪: ବିଜୁ ଜନତା ଦଳ ପକ୍ଷରୁ ଯାହା କହି ଆସୁଛୁ ତାହା ସତ୍ୟ ବୋଲି ପ୍ରମାଣିତ ହେଉଛି । ଓଡିଶା ବିଜେପି ପାଖରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଛାଡନ୍ତୁ, ୮୦ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ନାହାନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟମ ପ୍ରକାଶ ମହାପାତ୍ର ।

ଶ୍ରୀ ମହାପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ, ଗଣମାଧ୍ୟମ ଆଗରେ ୮୦ ଆସନରେ ଜିତିବାର ସିନା ବାହାସ୍ଫୋଟ ମାରିଛନ୍ତି, ହେଲେ ଅସଲରେ ପ୍ରାର୍ଥୀ ନପାଇବା ଓଡିଶା ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଯେଉଁଥିପାଇଁ ସେମାନେ ପ୍ରାର୍ଥୀ ତାଲିକା ଘୋଷଣା କରିପାରୁନାହାନ୍ତି। ପ୍ରଥମେ ଓଡିଶା ବିଜେପିର ପ୍ରାର୍ଥୀ ସନ୍ଧାନକାରୀ ଦଳ ଜିଲ୍ଲାରୁ ଜିଲ୍ଲା ବୁଲିଲେ । ଏମାନେ ପ୍ରାର୍ଥୀ ପାଇବା ତ ଦୂରର କଥା ବରଂ ତୃଣମୂଳ ସ୍ତରରେ ଦଳର ଅତି ଦୂର୍ବଳ ସଂଗଠନ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ଓଡିଶା ବିଜେପିର ସ୍ଥିତି ଏମିତି ହୋଇଛି ଯେ, ସେମାନେ ଯାହାକୁ ଯେଉଁଠୁ ପାରୁଛନ୍ତି ଆଣି ଦଳରେ ସାମିଲ କରାଉଛନ୍ତି । ଯେନତେନ ପ୍ରକାରେ ୧୪୭ ଆସନ ପାଇଁ ତାଲିକା ପୂରଣ କରିବା ଚକ୍କରରେ ଥିବା ଭଳି ସ୍ପଷ୍ଟ ଜଣାପଡୁଛି।

ଅନ୍ୟ ଦଳର ବିତାଡିତ ଓ ଜନବିରୋଧୀ ନେତାଙ୍କ ସହ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନେତା ଏବେ ଓଡିଶା ବିଜେପି ପାଇଁ ଏକମାତ୍ର ଆଶା ପାଲଟିଛନ୍ତି । ଠିକ୍ ଯେମିତି ବନ୍ୟାରେ ଭାସି ଯାଉଥିବା ବେଳେ ଜଣେ କୁଟାଖିଅକୁ ବି ଭରସା କରେ। କେବଳ ଏତିକି ନୁହେଁ ସ୍ଥିତି ଏମିତି ହୋଇଛି ଯେ, ଗାଁ ଗହଳିରେ ଦରାଣ୍ଡୁଛନ୍ତି । ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ୍ ସବୁଠି ଉଣ୍ଡୁଛନ୍ତି । ଯାହାକୁ ଯେଉଁଠୁ ପାରୁଛନ୍ତି, ଦଳରେ ଆଣି ସାମିଲ କରିବାକୁ ଉଦ୍ୟମ କରୁଛନ୍ତି । ଏହା ଦେଖି ସାଢେ ୪ କୋଟି ଓଡିଶାବାସୀ, ଓଡିଶା ବିଜେପି ଉପରେ ହସିବା ଆରମ୍ଭ କଲେଣି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.