ରାଜରାସ୍ତାରେ ଡ଼କାୟତଙ୍କ ଆତଙ୍କରାଜ: ବୋମା ଫିଙ୍ଗି ଲୁଟ୍ କରିବାକୁ ଉଦ୍ୟମ

0

ଢ଼େଙ୍କାନାଳ / ରବିନ୍ ଦାସ ; ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରି, ଡକାୟତି ଓ ହତ୍ୟା । ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦିନ ଦ୍ବିପହରରେ ମଧ୍ୟ ଏଭଳି ଅପରାଧ ଘଟୁଥିବା ଦେଖିବାକୁ ମିଳୁଛି । ଏମିତି ଆଇନ୍ ବିରୋଧୀ କାର୍ଯ୍ୟ ଜିଲ୍ଲାର ଭୁବନ ଥାନା ଅଞ୍ଚଳରେ ଅତ୍ୟଧିକ ଦେଖିବାକୁ ମିଳୁଛି । ସ୍ଥାନୀୟ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର କୋଣ ଅନୁକୋଣରୁ ସବୁଠି ଚୋରି ହେଉଛି । ଏମିତି ପରିସ୍ଥିତି ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । କରୋନା ମହାମାରୀ ପରଠାରୁ ଆଜି ପର୍ଯ୍ୟନ୍ତ ଚୋରି, ଡକାୟତି ଓ ହତ୍ୟା ଅହରହ ଦେଖିବାକୁ ମିଳୁଛି । ସେହିପରି ଆଜି ପୁଣି ଅପରାହ୍ନ ୫ଟା ସମୟରେ ସ୍ଥାନୀୟ ବାଉଁଶକଣ ଗ୍ରାମ ନିକଟରେ ଡକାୟତି ଆତଙ୍କ ଦେଖିବାକୁ ମିଳିଛି । ଘଟଣାରୁ ଜଣାଯାଏ ଯେ କାମାକ୍ଷାନଗର ଅଞ୍ଚଳର ଏସ୍.ଏନ୍ ଟ୍ରେଡର୍ସ ନାମକ ଏକ କମ୍ପାନୀ ମାଲବାହୀ ଗାଡ଼ି ଯାଜପୁର ସୁକିନ୍ଦା ଅଭିମୁଖେ ଯାଇଥିଲା । ଉକ୍ତ କମ୍ପାନୀ କର୍ମଚାରୀ ଦୋକାନ ମାନଙ୍କରେ ଗ୍ଲୋସରି ସାମଗ୍ରୀ ଦେଇ ଫେରିବା ବାଟରେ ବାଉଁଶକଣ ଗ୍ରାମର ଜଣେ ଡିଲର୍ ଙ୍କୁ ସାମଗ୍ରୀ ଦେବାକୁ ଗାଁ ଭିତରକୁ ଗାଡ଼ି ନେଇ ଯାଉଥିଲେ । ଆଗରେ ଏକ ବାଉଁଶ ଦେଖି ଗାଡ଼ି ଟିକେ ରଖିବା ମାତ୍ରେ ଗାଡ଼ି ଉପରକୁ ବୋମା ମାଡ଼ ହୋଇଥିଲା । କମ୍ପାନୀ କର୍ମଚାରୀ ଭୟଭୀତ ହୋଇ ଗାଡ଼ି ଛାଡ଼ି ଗାଁ ଭିତରକୁ ଦୋୖଡି ପଳାଇଲେ । ସ୍ଥାନୀୟ ଗ୍ରାମବାସୀ ଆସିବାରୁ ଡକାୟତ ଛାନିଆ ହୋଇ ସେ ଜାଗା ଛାଡ଼ି ପଳାଇଲେ । ଗାଡ଼ି ଡ୍ରାଇଭର ସୁବ୍ରତ ବାରିକଙ୍କ କହିବାନୁଯାୟୀ ତିନିଜଣ ପତଳା ଯୁବକ ମୁହଁ ଘୋଡାଇ ଏକ ୟାମାହା FZ ବାଇକରେ ଆସିଥିଲେ । ବୋମା ମାଡ଼ରେ ଗାଡ଼ି କାଚ ଭାଙ୍ଗିବା ବ୍ୟତିତ କିଛି ଚୋରି ହୋଇନଥିବା ସେ କହିଛନ୍ତି । ଏନେଇ ଭୁବନ ଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏଣେ ଭୁବନ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.