ନୟାଗଡ଼, (ଲକ୍ଷ୍ମୀଧର ସାହୁ): ନୟାଗଡ଼ ସହରର ମୁଖ୍ୟ ଟ୍ରାଫିକ ଗୋଲେଇ ଛକ, ଅତ୍ୟାଧୁନିକ ମାଛ ମାର୍କେଟ ଏବଂ ପରିବା ମଣ୍ଡି ଶୁକ୍ରବାର ଦିନ ସନ୍ଧ୍ୟାରେ ଉଦଘାଟିତ ହୋଇ ଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୂଖ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ନୟାଗଡ଼ ଦୁର୍ଗାମଣ୍ଡପଠାରେ ଅନୁଷ୍ଠିତ ସଭାରେ ବିଧାୟକ ନୟାଗଡ଼ର ଟ୍ରାଫିକ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ଟ୍ରାଫିକ ନିର୍ମାଣ ବେଳେ ସୃଷ୍ଟି ହୋଇଥିବା ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ନୟାଗଡ଼ ଡିଏଫ୍ଓ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ବନବିଭାଗକୁ ବିଧାୟକ ପ୍ରସ୍ତାବ ଦେଇଥିବା ବିଧାୟକ କହିଥିଲେ । ବିଗତ ଦିନରେ ନୟାଗଡ଼ ଏବଂ ଆଜିର ରୂପାନ୍ତରିତ ନୟାଗଡ଼ ବିଷୟରେ କହିଥିଲେ । ନୟାଗଡ଼ବାସୀଙ୍କ ଅକୁଣ୍ଠ ସମର୍ଥନ ପାଇଁ ଏହା ସମ୍ଭବ ହୋଇ ପାରୁଛି ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୟାଗଡ଼ ପ୍ରତି ଭଲପାଇବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ । ନୟାଗଡ଼ ସହର ଦିନକୁ ଦିନ ଅଭିବୃଦ୍ଧି ହେଉଥିବା ବେଳେ ବିକାଶ ମୂଳକ କାର୍ଯ୍ୟକୁ ମଧ୍ୟ ତ୍ବରାନ୍ବିତ କରାଯାଉ ଥିବା କହିଥିଲେ । ସମାଜସେବୀ ପ୍ରମୋଦ ପଟ୍ଟନାୟକ ନୟାଗଡ଼ ପାଇଁ ବିଧାୟକ ଅରୁଣଙ୍କ ନିଷ୍ଠା ଏବଂ ପରିଶ୍ରମ ବିଷୟରେ ଆଲୋଚନା କରିଥିଲେ । ବୈଠକ ପରେ ଜାତୀୟ ରାଜପଥ ବିଭାଗ ଅନୁଦାନରେ ନିର୍ମାଣ ନବନିର୍ମିତ ଟ୍ରାଫିକ ଛକକୁ ବିଧାୟକ ଜଣେ ବରିଷ୍ଠ ନାଗରିକଙ୍କ ଦ୍ବାରା ଲୋକାର୍ପଣ କରିଛନ୍ତି । ଏଥୂପାଇଁ ୨ କୋଟି ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପାଣି ପାଇପ ସ୍ଥାନାନ୍ତରଣ, ବିଦ୍ୟୁତ୍ ବ୍ୟବସ୍ଥା ସ୍ଥାନାନ୍ତରଣ, ରାସ୍ତା ନିର୍ମାଣ ଏବଂ ଗୋଲେଇ ଛକ ନିର୍ମାଣରେ ଅର୍ଥ ବ୍ୟୟ କରାଯାଇଥିବା ବିଧାୟକ ଡ. ସାହୁ ସୂଚନା ଦେଇଥିଲେ । ଏଥୁସହିତ ପୌର ପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ଅତ୍ୟାଧୁନିକ ମାଛ ମାର୍କେଟକୁ ଲୋକାର୍ପିତ କରାଯାଇଛି । ୩ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଛି । ସହରକୁ ଆମିଷ ମୁକ୍ତ କରିବା ପାଇଁ ବିଧାୟକ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଥିବା ସମୟରେ ଏହି ଅର୍ଥ ମଞ୍ଜୁର କରିଥିଲେ । ସେହିପରି ରୂପାନ୍ତରିତ ନୟାଗଡ଼ ମଣ୍ଡିକୁ ବିଧାୟକ ଲୋକର୍ପିତ କରିଥିଲେ । ୨ କୋଟି ୮୬ ଲକ୍ଷ ଟଙ୍କାରେ ପରିବା ବ୍ୟବସାୟୀଙ୍କ କାର୍ଯ୍ୟାଳୟ ଗୃହ, ୩ଟି ଷ୍ଟାପ୍ କ୍ୱାର୍ଟର,ପ୍ରଶିକ୍ଷଣ ଗୃହ ନିର୍ମାଣ କରାଯିବା ସହ ସମ୍ପୂର୍ଣ୍ଣ ଅଟ୍ଟାଳିକାକୁ ରୂପାନ୍ତରିତ କରାଯାଇଛି । ଏହା ସହିତ ଉକ୍ତ ସ୍ଥାନରେ ୧୭ଲକ୍ଷ ଟଙ୍କା ବ୍ୟୟରେ ୧୦ ମେଟ୍ରିକ ଟନ୍ ବିଶିଷ୍ଟ ଏକ ଶୀତଳ ଭଣ୍ଡାର ଲୋକାର୍ପିତ ହୋଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ନୟାଗଡ଼ ସହରରେ ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ସାମିଲ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.