ସେପଟେ ଚାଲିଛି ରୂପାନ୍ତରଣ, ଏପଟେ ପାଠପଢ଼ାର କଳାହରଣ !

0

ହାଇସ୍କୁଲରେ ଖାଲି ପଡ଼ିଛି ସଂସ୍କୃତ ଏବଂ ହିନ୍ଦୀ ଶିକ୍ଷକ ପଦବୀ ; ହେଇପାରୁନି ବିଷୟର ଶ୍ରୀଗଣେଶ !


“ଆସନ୍ତା ଫେବୃୟାରୀ କୋଡ଼ିଏ ତାରିଖରେ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା ପାଇଁ ଘୋଷଣା ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକ ନଥିବା ଯୋଗୁ ଅଦ୍ୟାବଧି ଛାତ୍ରଛାତ୍ରୀମାନେ ସଂସ୍କୃତ ଏବଂ ହିନ୍ଦୀ ବିଷୟରେ ପାଠ୍ୟପୁସ୍ତକ ଖୋଲିନାହାନ୍ତି | ତେବେ ପିଲାମାନେ ପରୀକ୍ଷା ଦେବେ କେମିତି ଓ ପଢିବେ କଣ ?”

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ସରକାର 5T ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ସହିତ ସ୍ମାର୍ଟ୍ ଶ୍ରେଣୀଗୃହର ବ୍ୟବସ୍ଥା କରିଛନ୍ତି I କିନ୍ତୁ ବିଦ୍ୟାଳୟ ଗୁଡ଼ିକରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ସମ୍ପର୍କରେ ଭୁଲିଯାଇଛନ୍ତି I ସେପଟେ ଭିତ୍ତିଭୂମି ରୂପାନ୍ତରଣ ଚାଲିଥିବା ବେଳେ ବିଦ୍ୟାଳୟରେ କେତେକ ବିଷୟରେ ପାଠପଢ଼ାର କଳାହରଣ ହେଲା ଭଳି ଅଭିଭାବକ ମନେ କରୁଛନ୍ତି |
ସରକାର ଚଳିତ ବର୍ଷ ବିଦ୍ୟାଳୟ ଗୁଡ଼ିକରୁ ରେକର୍ଡ୍ ଭଙ୍ଗ A1 ଗ୍ରେଡ୍ ଛାତ୍ରଛାତ୍ରୀଙ୍କ ପାଇଁ ଆଶା ରଖିଛନ୍ତି I କିନ୍ତୁ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା ଦୁଇ ମାସରୁ କମ୍ ସମୟ ଥିଲେ ମଧ୍ୟ ଶିକ୍ଷକ ଅଭାବ ଯୋଗୁଁ ବହୁ ବିଦ୍ୟାଳୟରେ କିଛି ବିଷୟର ପାଠ୍ୟ ପୁସ୍ତକ ଅଦ୍ୟାବଧି ଖୋଲାଯାଇ ନାହିଁ, ଯାହା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଚିନ୍ତାରେ ପକାଇଦେଇଛି I ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ଇଙ୍ଗିନାଠି ସ୍ଥିତ ଯୁଗ ନିର୍ମାଣ ଉଚ୍ଚ ବିଦ୍ୟାଳୟରେ I ଏହି ବିଦ୍ୟାଳୟରେ ଦୀର୍ଘ ଦିନ ଧରି ସଂସ୍କୃତ ଏବଂ ହିନ୍ଦୀ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ି ଯାଇଛି I ଏହି ବିଦ୍ୟାଳୟ ପ୍ରତିଷ୍ଠା ପୂର୍ବରୁ ଇଙ୍ଗିନାଠି ପଂଚାୟତର ଛାତ୍ରଛାତ୍ରୀ ମାନେ ଉଚ୍ଚ ବିଦ୍ୟାଳୟରେ ସାତରୁ ଆଠ କିଲୋମିଟର୍ ପର୍ଯ୍ୟନ୍ତ ଯାଉଥିଲେ I ଏହି ପଂଚାୟତର ଛାତ୍ରଛାତ୍ରୀମାନେ ଏଠାରୁ ଛଅ କିଲୋମିଟର୍ ଦୂରରେ ଥିବା ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ କିମ୍ବା ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ଉପରେ ନିର୍ଭର କରୁଥିଲେ I କିନ୍ତୁ ଘୁମୁସର ବୈଷୟିକ ଉଚ୍ଚ ଉଚ୍ଚ ବିଦ୍ୟାଳୟ ରାସ୍ତାରେ ବଡ଼ନଦୀ ପ୍ରତିବନ୍ଧକ ଥିବାରୁ ସେଠାକୁ ସବୁ ସମୟରେ ଯିବା ସମ୍ଭବ ହେଉନଥିଲା I ଏହି ଅସୁବିଧାକୁ ଦୂର କରିବା ପାଇଁ ଇଙ୍ଗିନାଠି ଗ୍ରାମର ଗୌର ହରି ବେହେରା ଇଙ୍ଗିନାଠି ଏବଂ ମନ୍ଦାର ଗ୍ରାମ ମଧ୍ୟରେ ଥିବା ତାଙ୍କର ନିଜସ୍ବ ଜମି ଦେଇ ଅଞ୍ଚଳର ବଦାନ୍ୟ ବ୍ୟକ୍ତି ମାନଙ୍କ ସହଯୋଗରେ 1977 ମସିହାରେ ଯୁଗ ନିର୍ମାଣ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ I ଏହି ବିଦ୍ୟାଳୟ ଉପରେ ଇଙ୍ଗିନାଠି,ସାରୀଆପଲ୍ଲୀ,ଉସ୍ତପଲ୍ଲୀ, ମନ୍ଦାର, ରତଙ୍ଗ ଏବଂ ବଲାଡୀର ଛାତ୍ରଛାତ୍ରୀ ମାନେ ନିର୍ଭର କରିଥାନ୍ତି I ପ୍ରତିବର୍ଷ ଏହି ଗ୍ରାମ ଗୁଡ଼ିକରୁ ପ୍ରାୟ ଦେଢଶହରୁ ଦୁଇ ଶହ ଜଣ ଛାତ୍ରଛାତ୍ରୀ ପାଠପଢି ବହୁ ଛାତ୍ରଛାତ୍ରୀ ବିଭିନ୍ନ ସରକାରୀ ଏବଂ ବେସରକାରୀ ପଦପଦବୀରେ ପ୍ରତିଷ୍ଠିତ ହୋଇପାରିଛନ୍ତି I କିନ୍ତୁ ବର୍ତ୍ତମାନ ଏହି ବିଦ୍ୟାଳୟରେ ଥିବା ଥିବା ଶିକ୍ଷକ ସମସ୍ୟା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି I ଦୀର୍ଘ ଏକ ବର୍ଷ ତଳେ ଏହି ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ରୂପେ କାର୍ଯ୍ୟରତ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅବସରର ଗ୍ରହଣ ପରେ ସେହିଦିନ ଠାରୁ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ପଦବୀ ଖାଲି ପଡ଼ିଛି I ସେହିପରି ଦୁଇ ବର୍ଷ ପୂର୍ବରୁ ସଂସ୍କୃତ ଶିକ୍ଷକ ପ୍ରସନ୍ନ କୁମାର ପାଣିଗ୍ରାହୀଙ୍କ ଅବସର ପରେ ଦୁଇ ବର୍ଷ ହେବ ସଂସ୍କୃତ ଶିକ୍ଷକ ପଦବି ଖାଲି ପଡ଼ିଛି I ଏଠାରେ ବର୍ଷ ବର୍ଷ ଧରି ଖାଲି ପଡ଼ିଥିବା ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକ ପଦବୀରେ ସ୍ଥାୟୀ ନିଯୁ୍କ୍ତି କିମ୍ବ ଡେପୁଟେସନ୍ ଦିଆଯାଇନାହିଁ I ଫଳରେ ଏଠାରେ ଅଧ୍ୟୟନ କରୁ୍ଥିବା ଛାତ୍ରଛାତ୍ରୀମାନେ ସଂସ୍କୃତ ଏବଂ ହିନ୍ଦୀ ବିଷୟରେ ଦଶମ ଶ୍ରେଣୀ ପରୀକ୍ଷା କିପରି ଦେବେ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି I ଏଠାରେ 5T ମାଧ୍ୟମରେ ପ୍ରାୟ 45 ଲକ୍ଷ ଏବଂ ପଂଚାୟତ ସମିତିର କୋଡ଼ିଏ ଲକ୍ଷ ବ୍ୟୟ ଅଟକଳରେ ନୂତନ କୋଠା, ସ୍ମାର୍ଟ ଶ୍ରେଣୀଗୃହ,ଶୌଚାଳୟ,ପାଠାଗାର, ଲାବ୍ରୋଟୋରୀ ଆଦି ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି I ଯାହାକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି I କିନ୍ତୁ ବର୍ଷ ବର୍ଷ ଧରି ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି I ବର୍ତ୍ତମାନ ବିଦ୍ୟାଳୟର ନବମ ଏବଂ ଦଶମ ଶ୍ରେଣୀରେ 107 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁ୍ଛନ୍ତି I ଆସନ୍ତା ଫେବୃୟାରୀ କୋଡ଼ିଏ ତାରିଖରେ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା ପାଇଁ ଘୋଷଣା ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ଅଦ୍ୟାବଧି ଛାତ୍ରଛାତ୍ରୀମାନେ ସଂସ୍କୃତ ଏବଂ ହିନ୍ଦୀ ବିଷୟରେ ପାଠ୍ୟପୁସ୍ତକ ଖୋଲିନଥିବା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପ୍ରକାଶ ଚନ୍ଦ୍ର ନାୟକ ଏବଂ ଶିବରାମ ପ୍ରଧାନ ଅଭିଯୋଗ କରିଛନ୍ତି I ତେଣୁ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଗୁରୁତ୍ୱ ଦେଇ ତୁରନ୍ତ ଏଠାରେ ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକ ନିଯୁକ୍ତି କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି I ସେହିପରି ବିଦ୍ୟାଳୟରେ ପାଚେରୀ ନଥିବା ଯୋଗୁଁ ବିଦ୍ୟାଳୟ ଭିତରେ ବୁଲା ଗାଈ ଗୋରୁ ପଶି ବିଦ୍ୟାଳୟର ସୌନ୍ଦର୍ଯ୍ୟ ନଷ୍ଟ କରିବା ସହ ଏଠାରେ ଅସାମାଜିକ, ଜୁଆଡିଙ୍କ ଆଡ୍ଡା ଜମୁଥିବାରୁ ବିଦ୍ୟାଳୟର ସ୍ଥାୟୀ ପାଚେରୀ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I

 

Leave A Reply

Your email address will not be published.