ତଳମୁହାଁ ଓଡ଼ିଶାର ଡାର୍ଜିଲିଂ ଘୁ.ଉଦୟଗିରିର ପାରଦ

0 2

 ଆଜିର ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ, ନିଆଁ ହୋଇଛି ଅଞ୍ଚଳ ବାସିଙ୍କ ପାଇଁ ସାହାରା…

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ଓଡ଼ିଶାର ଡାର୍ଜିଲିଂ ଓ କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହର ପାରଦ ତଳ ମୁହାଁ ହେଉ ଥିବାର ଦେଖା ଦେଇଛି I ଯାହା ପାଇଁ ଘୁ.ଉଦୟଗିରି ଥଣ୍ଡାର ସହର ଭାବେ ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିଥ‌ିବା ବେଳେ ଦିନକୁ ଦିନ ପାରଦ ତଳମୁଁହା ହେବା ଯୋଗୁଁ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି । ସରକାରୀ ସୂଚନା ଅନୁସାରେ ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରହିଥିବା ବେଳେ ବୁଧବାର ମଧ୍ୟ ପାରଦ ୫ ଡିଗ୍ରି ଥିବା ଆକଳନ କରାଯାଇଛି I ଯାହା ପାଇଁ ସମଗ୍ର ଅଞ୍ଚଳରେ ପ୍ରବଳ ଥଣ୍ଡା ସହ ଜାଡ଼ ଅନୁଭୂତ ହେଉଛି । ହାତ ଗୋଡ଼ କାଲୁଆ ହେବା ସାଙ୍ଗକୁ ସକାଳୁ ପାଣି ଛୁଇଁବା କଷ୍ଟକର ହେଉଛି। ସକାଳ ୯ ଘଣ୍ଟିକା ଯାଏଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ କୁହୁଡ଼ିର ବଳୟ ରହୁଥିବା ସହ ଅଞ୍ଚଳରେ ଯାତାୟତ ମଧ୍ୟ ପ୍ରଭାବିତ ହେଉଛି। ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଘୁ.ଉଦୟଗିରି ହୋଇଥିବା ବେଳେ କ୍ରମାଗତ ଭାବରେ ସହରରେ ତାପମାତ୍ରା ତଳମୁହାଁ ହେଉଥିବା ଦେଖିବାକୁ ମିଳିଛି। ଗତ ୧୧ ତାରିଖରେ ଅଞ୍ଚଳର ତାପମାତ୍ରା ୯.୪ ରହିଥିଲା ଯାହାକି ରାଜ୍ୟରେ ପ୍ରଥମ ଥଣ୍ଡା ସହର ଭାବରେ ପରିଗଣିତ ହୋଇଥିଲା। ତାପର ଠାରୁ ଆଜି ପର୍ଯ୍ୟନ୍ତ ପ୍ରତିଦିନ ପାରଦ ୧୦ ଡିଗ୍ରୀ ତଳେ ରହିଛି । ଲୋକେ ନିଆଁ ଲଗେଇ ଶୀତରୁ ରକ୍ଷା ପାଇବା ପାଇଁ ପ୍ରୟାସ କରୁଛନ୍ତି । ଗ୍ରାମାଞ୍ଚଳ ମାନଙ୍କରେ ସହର ଠୁ ଅଧିକା ଶୀତ ଯୋଗୁଁ ଲୋକେ ନିଆଁ କୁ ଏକମାତ୍ର ସାହାରା ଭାବରେ ନେଇଥିବା ବେଳେ ଅତ୍ୟଧିକ ଥଣ୍ଡା ଯୋଗୁଁ ବୃଦ୍ଧ ବୃଦ୍ଧା ନାହିଁ ନ ଥିବା ସମସ୍ୟାର ସମୁଖୀନ ହେଉଛନ୍ତି । କମ୍ବଳ ଆଉ କାମ କରୁନାହିଁ। ଦୁଇ ତିନୋଟି କମ୍ବଳ ହେଲେ ମଧ୍ୟ କାମ କରୁ ନ ଥିବା କହିଛନ୍ତି ଅଞ୍ଚଳ ବାସି। ରାଜ୍ୟରେ ସବୁଠାରୁ ଥଣ୍ଡା ସହର ଭାବରେ ଘୁ. ଉଦୟଗିରି ଜାଡ଼ରେ ଥରୁଛି ।ସୁଚନା ଅନୁଯାୟୀ ଚଳିତ ଡ଼ିସେମ୍ବର ମାସ ୧୨ ତାରିଖରେ ୭.୨, ୧୩ ତାରିଖରେ ୮.୪, ୧୪ ତାରିଖରେ ୭.୦, ୧୫ ତାରିଖରେ ୭.୫, ୧୬ ତାରିଖରେ ୮.୪, ୧୭ ତାରିଖରେ ୮.୬, ୧୮ ତାରିଖରେ ୮.୦ ଓ ୧୯ ତାରିଖରେ ୬.୫ ତାପମାତ୍ର ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।ଶୀତ ର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ବେଳେ ଅଞ୍ଚଳରେ ପର୍ଯ୍ୟଟନର ପ୍ରଚୁର ଭିତ୍ତିଭୂମି ରହିଥିଲେ ମଧ୍ୟ ପର୍ଯ୍ୟଟନ ସ୍ଥଳୀ ଭାବେ ଆଖିଦୃଷ୍ଟିଆ ବିକାଶ ହୋଇ ପାରିନାହିଁ। କାଲିଗାଡ଼ୁ ହିଲ୍ ଟପ,କାକଲ ବାକି ପିକନିକ୍ ସ୍ପଟ, ରାଜାଗାଡ଼ା ଜଳ ପ୍ରପାତ, ସିର୍କି ଡେମ ଓ ଇକୋ ପାର୍କ୍, କଳିଙ୍ଗା ଘାଟି ସହ ବଟାନିକାଲ ଗାର୍ଡେନ ଭଳି ଅତି ସୁନ୍ଦର ମନୋରମ ସ୍ଥାନ ରହିଥିବା ବେଳେ ସେଗୁଡ଼ିକର ଉପଯୁକ୍ତ ବିକାଶ ହୋଇପାରୁନାହିଁ । ଯାହା ପାଇଁ ବାହାର ରାଜ୍ୟରୁ ପର୍ଯ୍ୟଟ ଆସି ରାସ୍ତା ନ ଥିବାରୁ ପର୍ଯ୍ୟଟନ ସ୍ଥଳିରେ ନ ପହଞ୍ଚି ଅଧା ବାଟରୁ ଫେରି ଯାଉଥିବା ଦେଖା ଦେଇଛି I ତେଣୁ ବହୁ ଦୂର ଦୁରାନ୍ତରୁ ଏହି ସ୍ଥାନକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ହେଉଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ କୌଣସି ସୁବିଧା ନ ଥିବା ଯୋଗୁଁ ଆସୁଥିବା ପର୍ଯ୍ୟଟକ ଦୁଃଖ ପ୍ରକାଶ କରୁଥିବା ଶୁଣିବାକୁ ମିଳୁଛି। ରାଜ୍ୟର ସବୁଠାରୁ ଥଣ୍ଡା ଅଞ୍ଚଳ ଘୁ.ଉଦୟଗିରି ବାସୀ ଅଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳୀ ର ବିକାଶର ଅପେକ୍ଷା ସହ ସିର୍କି ଜଳାଶୟ ନିକଟରେ ଇକୋ କଟେଜ ନିର୍ମାଣ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ସୂଚନା ଥାଉକୁ ଘୁ.ଉଦୟଗିରି ସ୍ଥିତ କାଲିଗାଡୁ ହିଲ ଟପ ବହୁ ରାଜନେତା, ପ୍ରଶାସନିକ ଅଧିକାରୀ ପରିଭ୍ରମଣରେ ଯାଇ ଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇନ ଥିବା ଦେଖା ଦେଇଛି I ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି I

Leave A Reply

Your email address will not be published.