ଓଡ଼ଗାଁ, ୧୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ବିଶେଷ ସୂତ୍ରରୁ ଖବର ପାଇ ଓଡ଼ଗାଁ ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶରେ ବନପାଳ ସରିତା ବରାଳ ଶନିବା ସକାଳେ ଶୁଳିଆ ସଂରକ୍ଷିତ ଜଙ୍ଗଲର କମ୍ପାଣ୍ଡମେଣ୍ଟ ୫ ଅଞ୍ଚଳରୁ ୨ ଶିକାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଗୁଳିଭରା ଗୋଟିଏ ଦେଶୀ ବନ୍ଧୁକ ଜବତ୍ କରିଥିଲେ । ଗିରଫ ୨ ଜଣ ହେଲେ ଶରଣକୁଳ ଥାନା ମଗରବନ୍ଧ ପଞ୍ଚାୟତ ଫାସିପଲ୍ଲି ନୂଆଗାଁ ବାଲିସାହିର ଘନଶ୍ୟାମ ପ୍ରଧାନ ବର୍ଷ(୪୮), ପ୍ରଦିପ ସ୍ବାଇଁ (୪୦) । ଏଦୁହେଁ ଶିକାର କରିବାକୁ ଜଙ୍ଗ ଭିତରେ ପସିବା ଖବର ପାଇ ବନପାଳ ସରିତା ବରାଳ ଓ କର୍ମଚାରୀ ଜଙ୍ଗଲକୁ ଘେରାଉକରି ରହିବା ପରେ ଉଭୟଙ୍କୁ ଗିରଫ କରିଥିଲେ ।
ସେଠାରୁ ଖବର ପାଇ ଏନଫୋର୍ସମେଣ୍ଟ ଦଳ ସହିତ ନିକଟସ୍ଥ ଜିରିପଡା ଗାଁର କୈଳାଶ ପ୍ରଧାନଙ୍କ ଘରେ ଚଢାଉକରି ୩୦ ଶାଳ ସାଇଜ଼, ଏବଂ ୧୫ ସାଗୁଆନ ପଟା ଜବତ କରିଥିଲେ । ଜବତ କାଠର ଆନୁମାନିକ ମୁଲ୍ୟ ୬୦ ହଜାର ଟଙ୍କାରୁ ଅଧିକ ହେବବୋଲି ଜଣାପଡିଛି । ଏତଦବ୍ୟତୀତ କୈଳାଶଙ୍କ ଘରୁ ୨ କଟର ମେସିନ୍ ସହିତ ଫର୍ନିଚର ତିଆରି ପାଇଁ ଥିବା ସମସ୍ତ ଯନ୍ତ୍ରାଂଶ ଜବତ କରିଥିଲେ । ଜବତ ବେଳେ କୈଳାଶଙ୍କ ଘରେ କେହି ନଥିଲେ ।