ଓଡ଼ଗାଁ, ୧୭।୧୨ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ସଦର ମହକୁମାରେ ଅବସ୍ଥିତ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୪ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୩୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟ ଗୃହକୁ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ରବିବାର ପୂର୍ବାହ୍ନରେ ଉଦଘାଟନ କରିଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ରୂପେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ବିଶିଷ୍ଟ ଅତିଥିରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରମାକାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯକ୍ରମ ଅବସରରେ ମନ୍ତ୍ରୀ ଶ୍ରୀ ଅମାତ ପୂର୍ବ ଓ ବର୍ତ୍ତମାନର ଓଡ଼ଗାଁକୁ ତୁଳନାକରି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କୁ ସାଧୁବାଦ ଜଣାଇଥିଲେ । ସେହିପରି ଓଡ଼ଗାଁ କଲେଜ ରୁପାନ୍ତରିକରଣ ସହିତ କଲେଜ ପାଶ୍ୱସ୍ଥ ପଦ୍ମଶ୍ରୀ ରାଧାମୋହନ ଆମ୍ବ ତୋଟାକୁ ଦେଖି ଖୁସି ବ୍ୟକ୍ତ କରିଥିଲେ । ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଏବଂ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମ କ୍ରମେ ଆଜି ଓଡ଼ଗାଁ ବିକାଶର ଶିର୍ଷସ୍ଥାନରେ ପହଞ୍ଚିପାରିଛି ବୋଲି କହିଥିଲେ। ସେହିପରି ବିଧାୟକ ଡ଼ ସାହୁଙ୍କ ଦ୍ବାରା ଡିସେମ୍ବର ମାସ ୨୨ ତାରିଖରେ ମାତୃ ଓ ଶିଶୁ ଚିକିତ୍ସାଳୟ ଗୃହ ନିର୍ମାଣ ନିମନ୍ତେ ଶିଳାନ୍ୟାସ ହୋଇଥିବା ବେଳେ ୧୧ ମାସ ସମୟ ଅବଧି ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ସରିପାରିବା ନୟାଗଡ଼ ନିର୍ବାଚନମଣ୍ଡଳୀରେ ସମ୍ଭବ ବୋଲି କହିଥିଲେ । ଓଡ଼ଗାଁ ସରକାରୀ ପଲ୍ଲୀଟେକନିକ, ଆମୁନିଟି ସେଣ୍ଟର ଠାରୁ ଆରମ୍ଭ କରି ରାମସାଗର ପାର୍କ, ଅତ୍ୟାଧୁନିକ ଖେଳପଡିଆ, ଆଦର୍ଶ ବିଦ୍ୟାଳୟ ଓ ଅତ୍ୟାଧୁନିକ ଶୈଳୀର ଇଣ୍ଡୋର ଷ୍ଟାଡିୟମ ଆଜି ବିକାଶର ମୁଖ ସାକ୍ଷୀ ପାଲଟିଛି । ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରଘୁନାଥ ମନ୍ଦିର ସହିତ ୪ କୋଟି ଟଙ୍କା ବ୍ୟୟରେ ପ୍ରଭୁ ଦୁତିକେଶ୍ୱର ମନ୍ଦିରର ରୁପାନ୍ତରିକରଣ କାର୍ଯ୍ୟ ପାଇଁ ନିକଟରେ ଶିଳାନ୍ୟାସ ରହିଛି । ଖୁବଶୀଘ୍ର ଡାକ୍ତର ସମସ୍ୟାର ସମାଧାନ ହେବା ସହିତ ନିକଟରେ ଆବିଷ୍କାର ହୋଇଥିବା ବରକନ୍ୟା ଝରଣାକୁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ ୪ କୋଟି ୪୨ ଲକ୍ଷ ଓ ବୁଢ଼ାବୁଢ଼ୀଆଣି ଡ୍ୟାମର ରୂପାନ୍ତରଣ ପାଇଁ ୧୦ କୋଟି ଅର୍ଥ ମଞ୍ଜୁର ହୋଇଥିବା ସୂଚନା ଦେଇଥିଲେ । ଏଥିସହିତ ଆସନ୍ତା ୧୦ ଦିନ ମଧ୍ୟରେ ଓଡ଼ଗାଁ ସହରବାସୀ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପାଇବା ଆରମ୍ଭ ହେବ ବୋଲି କହିଥିଲେ । ଓଡ଼ଗାଁ ଉନ୍ନତି ପଥରେ ଆଗେଇ ଚାଲିଥିବା ବେଳେ ଏଥିନିମନ୍ତେ ସମସ୍ତେ ଗର୍ବିତ ହେବା ଉଚିତ୍ ବୋଲି ଜିଲ୍ଲାପାଳ କହିଥିଲେ ।
ପରିବର୍ତ୍ତନ ଶୀଳ ଓଡ଼ଗାଁ ନିର୍ମାଣର ନାୟକ ଡ଼ ଅରୁଣ କୁମାର ସାହୁ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ତହସିଲଦାର ମାନସ ରଞ୍ଜନ ଭୋଇ, ଜିଲ୍ଲାପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀ, ନିତ୍ୟାନନ୍ଦ ପ୍ରଧାନ, ସମାଜସେବୀ ଦିବାକର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଅବିନାଶ ନାୟକ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।