ଛୋଟ ବାଛୁରୀଙ୍କୁ ବ୍ୟାପୁଛି ଚର୍ମ ବିଣ୍ଡି (ଲମ୍ପିସ୍ମିନ୍) ରୋଗ : ଗୋପାଳକଙ୍କ ମଧ୍ୟରେ ଆତଙ୍କ l

0

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ନିଶ୍ଚିନ୍ତକୋଇଲି ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଥିବା ବିଭିନ୍ନ ଗ୍ରାମରେ ଗାଈ ବାଛୁରୀମାନଙ୍କୁ ଭୂତାଣୁଜନିତ ଚର୍ମବିଣ୍ଡି(ଲମ୍ପିସ୍କିନ୍) ରୋଗ ବ୍ୟାପୁଥିବାର ଦେଖାଦେଇଛି । ଫଳରେ ଗୋପାଳକ ଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି l ଏହି ରୋଗ ହେବା ମାତ୍ରେ ବାଛୁରୀମାନଙ୍କ ମୁହଁ ଓ ଦେହରେ ବିନ୍ଦୁ ବିନ୍ଦୁ ଫଟକା ହୋଇ ଘା’ ହୋଇଯାଉଛି । ଧିରେ ଧିରେ ଏହି ଫଟକା ଫାଟି ଘା’ ପଚି ସେଥିରୁ ପାଣି ବାହାରୁଥିବା ଦେଖାଦେଇଛି । ଏଭଳି ଦିନେ ଦୁଇଦିନ ହେବା ପରେ ବାଛୁରୀମାନେ ଦୁର୍ବଳ ହୋଇଯିବାରୁ ଠିଆ ହେବା ପାଇଁ ସକ୍ଷମ ହେଉନାହାଁନ୍ତି । ଏହାଦ୍ଵାରା ଅକାଳରେ ବହୁ ବାଛୁରୀଙ୍କ ମୃତ୍ୟୁ ମଧ୍ୟ ହେଉଛି । ଏହି ରୋଗ ସଂକ୍ରମଣ ହୋଇ ଦିନକୁ ଦିନ ବ୍ୟାପି ଶତାଧ‌ିକ ବାଛୁରୀ ଏଥିରେ ଆକ୍ରାନ୍ତ ହୋଇଥିବା ଦେଖାଦେଇଛି। ଏଭଳି ରୋଗ ଦେଖି ଗୋପାଳକ ମାନେ ଭୟଭୀତ ହୋଇଯାଇଛନ୍ତି l ବିଶେଷ କରି ନିଶ୍ଚିନ୍ତକୋଇଲି ବ୍ଳକ ଅଞ୍ଚଳର ବାଲିଆପଦା ପଂଚାୟତ ପଞ୍ଚସରଙ୍ଗବଳରାମପୁର ଗ୍ରାମରେ ଏହା ଅଧିକ ପରିମାଣରେ ହୋଇଥିବା ବେଳେ ଅନ୍ୟସ୍ଥାନ ମାନଙ୍କରେ ମଧ୍ୟ ଏହି ରୋଗରେ ବାଛୁରୀମାନେ ଆକ୍ରାନ୍ତ ହୋଇଛନ୍ତି l ଏହି ରୋଗର ନିରାକରଣ ପାଇଁ ପ୍ରାଣୀ ଚିକିତ୍ସକ ମାନେ ଟୀକାକରଣ ବ୍ୟବସ୍ଥା କରିଥିଲେ ମଧ୍ୟ ଏହା ସବୁ ବାଛୁରୀକୁ ଦିଆଯାଇପାରୁନାହିଁ, ଏହି ରୋଗ ସାଧାରଣତଃ ୭ଦିନରୁ ୬ମାସ ମଧ୍ୟରେ ଜନ୍ମ ହୋଇଥିବା ବାଛୁରୀ ଗୁଡ଼ିକ ମଧ୍ୟରେ ଅଧିକ ପରିମାଣରେ ଦେଖାଯାଉଅଛି । ନିୟମ ଅନୁଯାୟୀ ୬ମାସ ପରେ ବାଛୁରୀ ଗୁଡ଼ିକୁ ଟୀକାକରଣ କରିବା କଥା, ହେଲେ କମଦିନର ବାଛୁରୀକୁ ଟୀକାକରଣ କରାନଯାଇ ରୋଗର ଲକ୍ଷଣ ଦେଖି ତଦନୁସାରେ ଚିକିତ୍ସା କରାଯାଉଥିବା ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ଅଧିକାରୀ ଡ଼ାକ୍ତର ସୁଦୀପ୍ତା ପରିଡ଼ା ପ୍ରକାଶ କରିଛନ୍ତି । ଗୋପାଳକ ମାନଙ୍କର ଅଭିଯୋଗ ଅନୁଯାୟୀ ଗୁରୁବାର ଦିନ ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରକାଶଚନ୍ଦ୍ର ବେଉରାଙ୍କ ନେତୃତ୍ବରେ ଏକ ଚିକିତ୍ସକ ଦଳ ପଞ୍ଚସରଙ୍ଗ ବଳରାମପୁର ଗ୍ରାମରେ ପହଞ୍ଚି ଗାଈ ଗୋରୁମାନଙ୍କୁ ଚିକିତ୍ସା କରିବା ସହିତ ବିଭିନ୍ନ ଇଂଜେକସନ ଓ ଔଷଧ ମଧ୍ୟ ଦେଇଛନ୍ତି । ଏହି ରୋଗର କିଭଳି ନିରାକରଣ କରାଯିବ ସେ ନେଇ କେତେକ ରୋଗାକ୍ରାନ୍ତ ବାଛୁରୀମାନଙ୍କ ଠାରୁ ରକ୍ତ ଓ ଲାଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି । ଉକ୍ତ ରୋଗ ଭୟଙ୍କର ନୁହେଁ ଯେଉଁ ଗାଈ ବାଛୁରୀ ମାନଙ୍କୁ ଏହି ରୋଗ ହେଉଛି ସେଥିରେ ଗୋପାଳକ ମାନେ ଭୟଭୀତ ନହେବା ପାଇଁ ଡ଼ାକ୍ତର ଶ୍ରୀ ବେଉରା ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.