“ସାହୁ ବ୍ରଦର୍ସ ଆଣ୍ଡ କୋ”ଙ୍କୁ ୨୩ବର୍ଷ ହେଲା ମଦ ବେପାର ଦେଇଛି ବିଜେଡି ସରକାର: ବିଜେପି

0 2

ମଦ ଦୁର୍ନୀତି ଓ ଗଚ୍ଛିତ ବିପୁଳ କଳାଟଙ୍କା ବିରୋଧରେ ଆଜି ରାଜ୍ୟ ସଭାପତିଙ୍କ ଆହ୍ୱାନରେ ରାଜ୍ୟର ସମସ୍ତ ସବ୍‌ଡିଭିଜନ ସମ୍ମୁଖରେ ବିଜେପିର ଆନ୍ଦୋଳନ ଅନୁଷ୍ଠିତ

ଭୁବନେଶ୍ୱର,ତା.୧୧/୧୨: ମଦ ଦୁର୍ନୀତି ଓ ଗଚ୍ଛିତ କଳାଟଙ୍କା ବିରୋଧରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଆହ୍ୱାନରେ ରାଜ୍ୟର ସମସ୍ତ ସବ୍‌ଡିଭିଜନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶାର ଖଣି ଓ ଚିଟ୍‌ଫଣ୍ଡ ଟଙ୍କାକୁ ଅଣଓଡ଼ିଆ ବ୍ୟବସାୟୀମାନେ ଲୁଟ୍ କରିବାର ଖବର ଶୁଣିଥିଲେ ଏବେ ଅଣଓଡ଼ିଆ ମଦ ବେପାରୀମାନେ ଓଡ଼ିଶାକୁ ଲୁଟ୍ କରୁଛନ୍ତି । ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ରାଜ୍ୟରେ ଏବଂ ତାଙ୍କ ନାକ ତଳେ ଦେଶର ସର୍ବବୃହତ କଳାଟଙ୍କା ଜବତ କରାଯାଉଛି ଅଥଚ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଓ ଲଜ୍ଜ୍ୟାଜନକ ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ଅଛନ୍ତି? ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ମଦନୀତି ଯୋଗୁଁ ବିନା ଅପ୍ସନରେ ନିର୍ଦ୍ଦିଷ୍ଟ “ସାହୁ ବ୍ରଦର୍ସ ଆଣ୍ଡ କୋ”ଙ୍କୁ ୨୩ବର୍ଷ ହେଲା ମଦ ବେପାର ଦେଇଛି ବିଜେଡି ସରକାର ବୋଲି ସ୍ଥାନୀୟ ନେତୃବୃନ୍ଦମାନେ କହିଛନ୍ତି ।
ଆଜି ସମସ୍ତ ସବ୍‌ଡିଭିଜନରେ ମଦ ଦୁର୍ନୀତି ଓ କଳାଟଙ୍କା ବିରୋଧରେ ବିଜେପି ପକ୍ଷରୁ ବିକ୍ଷୋଭ ଓ ଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଟକ ଓ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କୁଶପୁତଳିକାଦାହ କରିଥିଲେ ସ୍ଥାନୀୟ ନେତୃବୃନ୍ଦ । ବିଜେଡି ନେତାଙ୍କ ସହ ଏହି ମଦ ସମ୍ରାଟ “ସାହୁ ବ୍ରଦର୍ସ ଆଣ୍ଡ କୋ”ର ସମ୍ପର୍କ କଣ? ସେମାନଙ୍କ ପାଖରେ ବିଜେଡିର ନିର୍ବାଚନୀ ଅର୍ଥ ରଖାଯାଇଥିଲା କି? ନହେଲେ ନିର୍ବାଚନର ଠିକ ପୂର୍ବରୁ ୫୦୦ କୋଟିର ନଗଦ ଟଙ୍କା କେଉଁ ଉଦ୍ଦେଶ୍ୟରେ ରଖାଯାଇଥିଲା ? କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟକୁ ସଂରକ୍ଷଣ ଦେଉଥିଲେ ବିଜେଡି ସରକାର । ଏହି ଧୀରଜ ସାହୁ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କର ବେଶ ଘନିଷ୍ଠ ଓ ‘ଭାରତ ଯୋଡ’ ଯାତ୍ରାରେ ମଧ୍ୟ ତାଙ୍କ ସହ ସାମିଲ ହୋଇଥିଲେ । ବିଜେଡି ଓ କଂଗ୍ରେସ ସାଥୀ ହୋଇ ଓଡିଶାକୁ ଲୁଟ କରୁଛନ୍ତି । ଦେଶବାସୀଙ୍କୁ ବିକାଶର ଗ୍ୟାରେଂଟି ଦେଉଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତିଗ୍ରସ୍ତ ଲୋକଙ୍କ ଠାରୁ ଗୋଟି ଗୋଟି ଟଙ୍କା ଅସୁଲ କରିବାର ଗ୍ୟାରେଂଟି ଦେଉଛନ୍ତି । ମୋଦିଙ୍କ ଗ୍ୟାରେଂଟି ହେଉଛି ଲୁଟ ହୋଇଥିବା ଏହି ଟଙ୍କା ସାଧାରଣ ଲୋକଙ୍କୁ ଫେରାଯିବ ।
ଓଡିଶାରେ କେନ୍ଦ୍ରୀୟ ଆୟକର ବିଭାଗ ଚଢ଼ାଉ ସମୟରେ ବିଭିନ୍ନ ମଦଭାଟିରୁ ବିପୁଳ ପରିମାଣର କଳାଟଙ୍କା ଜବତ କରିଛନ୍ତି ଯାହାର ପରିମାଣ ପାଖାପାଖି ୫୦୦ କୋଟି ଟଙ୍କା ହେବ ବୋଲି ଆକଳନ ହେଉଛି । ଯେତେ ଗଣିଲେ ବି ସରୁନାହିଁ । ସାରା ଦେଶରେ ଏତେ ପରିମାଣର କଳା ଟଙ୍କା ଆଗରୁ କେବେ ଜବତ ହୋଇନଥିଲପା । କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ବେପାରର କଳା ସାମ୍ରାଜ୍ୟକୁ ସଂରକ୍ଷଣ ଦେଉଥିଲେ ବିଜେଡି ସରକାର ନହେଲେ ଏଭଳି ଆଖି ଟେରା ହୋଇଗଲା ଭଳି ଟଙ୍କା ଠୁଳ ହୋଇପାରିଥାନ୍ତା କି? କେନ୍ଦ୍ରୀୟ ଏଜେନ୍ସି ଯଦି ଗଚ୍ଛିତ ଥିବା କଳା ଟଙ୍କା ଖବର ପାଇପାରିଲା; ତାହେଲେ ଓଡ଼ିଶା ପୋଲିସ, ଗୋଇନ୍ଦା ଓ ଇଓଡବ୍ଲ୍ୟୁ କିଭଳି ଜାଣିପାରି ନଥିଲା ? ଏହାର ଅର୍ଥ ହେଉଛି ରାଜ୍ୟ ସରକାରଙ୍କ ଜାଣତରେ ଏହି ଅର୍ଥ ଗଛିତ ରଖାଯାଇଥିଲା ବୋଲି ବିଜେପିର ସ୍ଥାନୀୟ ନେତୃବୃନ୍ଦମାନେ କହିଛନ୍ତି ।
ଦୁର୍ନୀତି, ବ୍ୟଭିଚାର, ଭ୍ରଷ୍ଟାଚାରରେ ରାଜ୍ୟ ସରକାର ୧ ନମ୍ବର ଥିବାବେଳେ ଏବେ “କଳାଟଙ୍କା”ରେ ମଧ୍ୟ ରାଜ୍ୟ ସରକାର ୧ ନମ୍ବର ହେଲେ । ଏ ଘଟଣା ଓଡ଼ିଶାର ସମସ୍ତଙ୍କ ମନରେ ଦୁଃଖ ଦେଇଛି । ଯେଉଁ ବ୍ୟକ୍ତି ଏହି କଳାଟଙ୍କାରେ ସାମିଲ ଅଛନ୍ତି ସେମାନେ ସମସ୍ତେ ଜେଲ ଯିବେ । ବିଜେଡି ଟଙ୍କା ବାଂଟି ନିର୍ବାଚିତ ଜିତୁଥିଲା ଯାହା ଏବେ ପ୍ରମାଣ ହୋଇଗଲା । ନବିନ ବାବୁଙ୍କ ଲୋକପ୍ରିୟତା ଏକ ମିଛ ଭ୍ରମ । ଯଦି ଏତେ ଲୋକପ୍ରିୟତା ଥିଲା ତାହେଲେ ପୁଣି ଏତେ ନଗଦ ଟଙ୍କା ବିଜେଡି କାହିଁକି ନିର୍ବାଚନରେ ବାଂଟିବା ପାଇଁ ରଖିଥିଲା ? ଜବତ ହୋଇଥିବା ଟଙ୍କା ହେଉଛି ଓଡିଶାର ଗରିବ ଲୋକଙ୍କ ଟଙ୍କା । ଏହି ଟଙ୍କାକୁ ଲୁଟ କରାଯାଇ ଏଭଳି ମଦ ମାଫିଆମାନଙ୍କ ପାଖରେ ସୁରକ୍ଷିତ ରଖାଯାଇ ପୁଣି ନିର୍ବାଚନବେଳେ ଲୋକଙ୍କୁ ବଂଟା ଯାଉଛି । ଓଡିଶାର ଗରିବ ଲୋକଙ୍କ ବିରୋଧରେ ହୋଇଥିବା ଏକ ବଡ ଷଡଯନ୍ତ୍ର ଧରାପଡିଛି । ବିଜୁ ଜନତା ଦଳ ସରକାରର ଜନ ବିରୋଧୀ ନୀତି ପାଇଁ ଆଜି ଓଡିଶା ସାରା ଦେଶରେ ନିନ୍ଦିତ ହୋଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଏଭଳି ପାପ କାମ ବେଶି ଦିନ ଚାଲିପାରିବ ନାହିଁ ।

Leave A Reply

Your email address will not be published.