କଟିକଟା ନିକଟରୁ ଯୁବକର ମୃତ ଦେହ ପୋଲିସ ଦ୍ବାରା ଉଦ୍ଧାର l

0

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ଥାନା ଅଧୀନସ୍ଥ କଟିକଟା ବଜାର ହନୁମାନ ମନ୍ଦିର ପଛପଟରେ ଥିବା ଏକ ଖରି ବଣରୁ ଜୈନକ ଯୁବକର ମୃତ ଦେହ ପୋଲିସ ଦ୍ବାରା ଉଦ୍ଧାର କରାଯାଇଛି । ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଉକ୍ତ ଶବକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଶବଗୃହରେ ରଖାଯାଇଥିବା ବେଳେ ଗୁରୁବାର ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଆଇଆଇସି ଯୁଗଳକିଶୋର ଦାସ ପ୍ରକାଶ କରିଛନ୍ତି । ବୁଧବାର ସକାଳେ କଟିକଟା ବଜାରରୁ ଅସୁରେଶ୍ଵର ଯାଇଥିବା ରାସ୍ତା ପାର୍ଶ୍ୱସ୍ଥ ଏକ ଅପରିତ୍ୟକ୍ତ ଘର ନିକଟସ୍ଥ ଖରି ବଣରେ ଯୁବକର ମୃତ ଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିଲା ବେଳେ ଏହି ଖବର ଚାରିଆଡ଼େ ପ୍ରଚାର ହେବାରୁ ମୃତ ପରିବାରର ଲୋକେ ଆସି ପହଂଚି ଶବକୁ ଚିହ୍ନଟ କରିଥିଲେ । ମୃତ ଯୁବକ ହେଉଛନ୍ତି ନଳିନୀକାନ୍ତ ମଲିକ (୪୮)ବର୍ଷ ଏବଂ ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଧିନସ୍ଥ ଖମାର ବେଲରପା ଗ୍ରାମରେ ବୋଲି ଜଣାପଡ଼ିଥିଲା । ଏ ସଂକ୍ରାନ୍ତରେ ମୃତକଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ । ମୃତ ଯୁବକ ଜଣକ ମଙ୍ଗଳବାର ଦିନ ନିଜ ଘରୁ ରାଗି ପଳାଇ ଆସିଥିଲେ । ବୁଧବାର ସକାଳେ ତାଙ୍କର ଶବ ଉଦ୍ଧାର କରାଯିବା ପରେ ସେ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ ହତ୍ୟା କରାଯାଇଛି ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି।

Leave A Reply

Your email address will not be published.