ଆଧାର କାର୍ଡ ନାହିଁ ବୋଲି ପାଠପଢ଼ାରୁ ବଞ୍ଚିତ ୧୧ ବର୍ଷୀୟା ସଞ୍ଜନା ଜୁଆଙ୍ଗ !

11

ବାପାଙ୍କ ମୃତ୍ୟୁ ପରେ ଅସହାୟ ମାଆଙ୍କ ଚିନ୍ତା, ଷଷ୍ଠ ଶ୍ରେଣୀରେ ନାମ ଲେଖାଇବାରେ ଆଧାର ସାଜିଛି ବାଧକ

କେନ୍ଦୁଝର,ତା୧୪/୧୧- ସରକାରଙ୍କ ପକ୍ଷରୁ ଶିକ୍ଷାର ଅଧିକାର, ବେଟୀ ବଚାଓ ବେଟୀ ପଢ଼ାଓ ଏବଂ କନ୍ୟା ସନ୍ତାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଆଜି ବି ଆଧାର କାର୍ଡ ଭଳି ଏକ ପରିଚୟପତ୍ର ଅଭାବରୁ ଜଣେ ୧୧ ବର୍ଷୀୟା ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ନାବାଳିକା ଶିକ୍ଷାରୁ ବଞ୍ଚିତ ହେବା ଘଟଣା ସମଗ୍ର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବୁଢ଼ାଖମଣ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରତପଡ଼ା ଗ୍ରାମରୁ। ଗ୍ରାମର ବାପଛେଉଣ୍ଡ ୧୧ ବର୍ଷୀୟା ନାବାଳିକା ସଞ୍ଜନା ଜୁଆଙ୍ଗ ହେଉଛନ୍ତି ସ୍ୱର୍ଗତ ଶତ୍ରୁଘ୍ନ ଜୁଆଙ୍ଗ ଓ ମାଆ ବୁଧୁନି ମୁଣ୍ଡାଙ୍କ ଏକମାତ୍ର ଝିଅ। ସଞ୍ଜନା ଗ୍ରାମର ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିଲେ। ମାତ୍ର ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ସମୟରେ ଆଧାର କାର୍ଡ ନଥିବାରୁ ତାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଫଳରେ ବାଧ୍ୟ ହୋଇ ସେ ଅଧାରୁ ପାଠପଢ଼ା ବନ୍ଦ କରି ଘରେ ବସି ରହିଛନ୍ତି। ଝିଅକୁ ପୁଣିଥରେ ବିଦ୍ୟାଳୟକୁ ପଠାଇବା ଏବଂ ତାର ଭବିଷ୍ୟତ ଗଢ଼ିବା ପାଇଁ ମାଆ ବୁଧୁନି ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ନେହୁରା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ ଅଭିଯୋଗ କରିଛନ୍ତି।
କେବଳ ସଞ୍ଜନା ନୁହେଁ, ତାଙ୍କ ସ୍ୱର୍ଗତ ପିତାଙ୍କର ମଧ୍ୟ ଆଧାର କାର୍ଡ ନଥିବାରୁ ପରିବାରଟି ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହୋଇଥିବା ମାଆ ବୁଧୁନି କହିଛନ୍ତି। ଫଳରେ ଅଭାବ ଅନଟନ ମଧ୍ୟରେ ମାଆ ଓ ଝିଅଙ୍କ ଜୀବନ ଅତିବାହିତ ହେଉଛି।
ଗୋଟିଏ ପଟେ ସରକାର ଶିକ୍ଷାର ପ୍ରସାର, ମହିଳା ସଶକ୍ତୀକରଣ ଓ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ଯୋଜନା ଘୋଷଣା କରୁଥିବା ବେଳେ ଅନ୍ୟପଟେ ସଞ୍ଜନାଙ୍କ ଭଳି ଅସହାୟ ଶିଶୁମାନେ ମୌଳିକ ଅଧିକାର ପାଇଁ ସଂଘର୍ଷ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜିଲ୍ଲା ପ୍ରଶାସନ, ଶିକ୍ଷା ବିଭାଗ ଓ ଆଧାର କର୍ତ୍ତୃପକ୍ଷ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ସଞ୍ଜନାଙ୍କ ଆଧାର କାର୍ଡ ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରିବା ସହ ତାଙ୍କୁ ପୁନର୍ବାର ବିଦ୍ୟାଳୟରେ ନାମ ଲେଖାଇ ପାଠପଢ଼ା ଜାରି ରଖିବାର ସୁଯୋଗ ଦେବାକୁ ସଚେତନ ନାଗରିକ ମହଲରେ ଦାବି ହେଉଛି। ଏଥିସହ ମାଆକୁ ପରିବାର ମଙ୍ଗଳ ଯୋଜନା,ବିଧବା ଭତ୍ତା ଓ ଝିଅଙ୍କୁ ଯୋଗ୍ୟତା ଅନୁଯାୟୀ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ୟ ସାମାଜିକ କର୍ମୀ ମନୋଜ କୁମାର ପଟେଲ ଦାବି କରିଛନ୍ତି। କାରଣ ଆଧାର କାର୍ଡର ଅଭାବରୁ କୌଣସି ଶିଶୁର ଶିକ୍ଷା ଓ ଭବିଷ୍ୟତ ଅନ୍ଧକାର ହେବା ଉଚିତ ନୁହେଁ। ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କିପରି ସହାୟତା କରି ଝିଅଟିର ପାଠ ପଢ଼ାରେ ସୁବିଧା କରୁଛି।

Leave A Reply

Your email address will not be published.