ବଡ଼ଚଣା(ଜୟଶଙ୍କର ଦାଶଙ୍କ ସହ ପ୍ରଫୁଲ୍ଲ କୁମାର ସାହୁଙ୍କ ରିପୋର୍ଟ): ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ପୂର୍ବରୁ ଥିବା ବିଜେଡି ମୁଖପାତ୍ରମାନଙ୍କ ମଧ୍ୟରେ ପରିବର୍ତ୍ତନ କରି ନୂଆ ମୁଖପାତ୍ର ତାଲିକା ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ପୂର୍ବତାଲିକାରୁ ଅମର ଶତପଥୀ, ଅସୀମ ଅମିତାଭ ଦାସ ବାଦ୍ ପଡ଼ିଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ପ୍ରତାପ ଦେବ, ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ, ରବିନାରାୟଣ ନନ୍ଦ, ଅମର ପଟ୍ଟନାୟକ, ପୁଷ୍ପେନ୍ଦ୍ର ସିଂହଦେଓ, ଦେବାଶିଷ ମାର୍ଣ୍ଡିଙ୍କୁ ନୂଆ ମୁଖପାତ୍ର ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ହେଲେ ଅମର ବାବୁଙ୍କୁ କାହିଁକି ମୁଖ୍ୟପାତ୍ର ନବୀନ ପଟ୍ଟନାୟକ ଛଡ଼ାଇ ନେଲେ ସେ ସମ୍ପର୍କରେ ସମର୍ଥକଙ୍କ ମହଲରେ ନାନା ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଦୀର୍ଘଦିନ ଧରି ଶ୍ରୀ ଶତପଥୀ ବିଜେଡି ମୁଖିଆଙ୍କ ପ୍ରିୟଭାଜନ ହୋଇ ମୁଖ୍ୟ ସଚେତକ ମୁଖପାତ୍ର ପଦବୀରେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇ ଆସୁଥିବାବେଳେ ଏବେ ମୁଖପାତ୍ର ପଦବୀରୁ ବିଦା ହେବା ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଦୀର୍ଘ ୨୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଶ୍ରୀ ଶତପଥୀ ବଡ଼ଚଣା ରାଜନୀତିରେ ସକ୍ରିୟ ଭୂମିକା ତୁଲାଉଥିଲେ । ତିନିତିନି ଥର ବଡ଼ଚଣା ବିଧାୟକ ପଦବୀରେ ବସି ଗୋଟେ ଥର ଏନ୍ସିପି ଦଳରୁ ବିଧାୟକ ଭାବେ ନିଜର ପରାକାଷ୍ଠା ଦେଖାଇଥିଲେ । ଯାଜପୁର ଜିଲ୍ଲା ବିଜେଡିର ବରିଷ୍ଠ ବିଧାୟକ ଓ ଟାଣୁଆ ନେତା ଭାବେ ତାଙ୍କର ଦବଦବା ରହିଛି । ବର୍ତ୍ତମାନ ମୁଖପାତ୍ର ପଦବୀରୁ ବାଦ୍ ପଡ଼ିଥିବାବେଳେ ପରବର୍ତ୍ତୀ ସମୟରେ ବିଜେଡି ପାଣି କୁଆଡ଼କୁ ବହୁଛି ବଡ଼ଚଣାବାସୀଙ୍କର ଦେଖିବାକୁ ବାକି ରହିଲା ।