୫ମ ଏସିଆନ ଟ୍ରାକ ସାଇକ୍ଲିଙ୍ଗ ଚମ୍ପିୟାନସିପର ସ୍ଵର୍ଣ୍ଣ ପଦକ ବିଜୟିନୀ ସ୍ଵସ୍ତି ସିଂହ ଆର.ଏସ.ପିର ସି.ଇ.ଓ.ଙ୍କ ଦ୍ଵାରା ସମ୍ବର୍ଦ୍ଧିତ  

0

ରାଉରକେଲା/ସୁଶାନ୍ତ ବେହେରା : ୫ମ ଏସିଆନ ଟ୍ରାକ ସାଇକ୍ଲିଙ୍ଗ ଚମ୍ପିୟାନସିପରେ ଦେଶ ପାଇଁ ସ୍ଵର୍ଣ୍ଣ ପଦକ ଜିଣିଥିବା ଆରଏସପିର ଉଦୀୟମାନ ସାଇକ୍ଲିଷ୍ଟ, ସ୍ଵସ୍ତି ସିଂହଙ୍କୁ ରାଉରକେଲା ଇସ୍ପାତ କାରଖାନାର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ସମ୍ବର୍ଦ୍ଧିତ କରିଛନ୍ତି। ସିଇଓଙ୍କ କାର୍ଯ୍ୟାଳୟଠାରେ ଅକ୍ଟୋବର ୪ ତାରିଖରେ ଆୟୋଜିତ ଏକ ଉତ୍ସବରେ ଶ୍ରୀ କୁମାର ସ୍ଵସ୍ତିଙ୍କୁ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଅବସରରେ କାର୍ମିକ ଓ ପ୍ରଶାସନ ବିଭାଗର ଇଡ଼ି, ଶ୍ରୀ ପି କେ ପ୍ରଧାନ, ସହର ପ୍ରଶାସନ ବିଭାଗର ଜିଏମ, ଶ୍ରୀ ଏନ କେ ସାମନ୍ତରାୟ, ଆରଏସପିର ସାଇକ୍ଲିଙ୍ଗ କୋଚ, ଶ୍ରୀ ସୁଶୀଲ ଦାସ,  ସ୍ଵସ୍ତିଙ୍କ ପିତା ଶ୍ରୀ ଅମର ସିଂହ ଓ ଆରଏସପିର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସ୍ଵସ୍ତିଙ୍କୁ ଏହି ଅନନ୍ୟ ସଫଳତା ପାଇଁ ଅଭିନନ୍ଦନ ଜଣାଇ ଶ୍ରୀ କୁମାର ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତର କାମନା କରିବା ସହ ଆଗାମୀ ଦିନରେ ମଧ୍ୟ ସେ ଦେଶ ପାଇଁ ଏଭଳି ଗୌରବ ଆଣିବା ଜାରି ରଖିବେ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ଆରଏସପିର ପ୍ରତିବଦ୍ଧତାକୁ ଦୋହରାଇ ସିଇଓ ଏହି ଉଦୀୟମାନ ତାରକା କ୍ରୀଡାବିତଙ୍କୁ ଆରଏସପି ତରଫରୁ ତାଲିମ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ଜାରିରଖିବାର ପ୍ରତିଶୃତି ଦେଇଥିଲେ। 

 ଉଲ୍ଲେଖନୀୟ ଯେ, ରାଉରକେଲା ଇସ୍ପାତ କାରଖାନାର ଅକ୍ସିଜେନ ପ୍ଳାଣ୍ଟ ବିଭାଗରେ କାର୍ଯ୍ୟରତ ଶ୍ରୀ ଅମର ସିଂହଙ୍କର ସୁପୁତ୍ରୀ ତଥା ଆରଏସପିର ଉଦୀୟମାନ ସାଇକ୍ଲିଷ୍ଟ, ସ୍ଵସ୍ତି ସିଂହ ୫ମ ଏସିଆନ ଟ୍ରାକ ସାଇକ୍ଲିଙ୍ଗ ଚମ୍ପିୟାନସିପର ଦ୍ଵିତୀୟ ଦିବସରେ ୧୮ ବର୍ଷରୁ କମ ବ୍ୟକ୍ତିଗତ ପର୍ସୁଇଟ ୨ କିଲୋମିଟର ବର୍ଗରେ ସ୍ଵର୍ଣ୍ଣ ପଦକ ଲାଭ କରିଥିଲେ ।  ଏହି ଚମ୍ପିୟାନସିପ ସାଇକ୍ଲିଙ୍ଗ ଫେଡେରେସନ  ଅଫ ଇଣ୍ଡିଆ ଆନୁକୂଲ୍ୟରେ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୨ ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । 

ସେକ୍ଟର ୬ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିବା ସ୍ଵସ୍ତି ଆନ୍ତର୍ଜାତିକ ସାଇକ୍ଲିଷ୍ଟ ତଥା ଆରଏସପିର କୋଚ ସୁଶୀଲ କୁମାର ଦାସଙ୍କ ତତ୍ତ୍ଵାବଧାନରେ ଗତ ୪ ବର୍ଷ ଧରି ପ୍ରଶିକ୍ଷଣ ନେଉଛନ୍ତି । ଓଡିଶା ସାଇକ୍ଲିଙ୍ଗ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୩୮ ତମ ଟ୍ରାକ ସାଇକ୍ଲିଙ୍ଗ ପ୍ରତିଯୋଗିତାରେ ଆରଏସପିର ପ୍ରତିନିଧିତ୍ଵ ପୂର୍ବକ ୨ ଟି ସ୍ଵର୍ଣ୍ଣ ଓ ୨ ଟି ରୌପ୍ୟ ପଦକ ଲାଭ କରି ସେ ଲୋକଲୋଚନକୁ ଆସିଥିଲେ। ଏହାପରେ ୨୦୧୬ ମସିହାରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଜାତୀୟ ରୋଡ ସାଇକ୍ଲିଙ୍ଗ ଚମ୍ପିୟାନସିପରେ ୧୫ କିଲୋମିଟର ବର୍ଗରେ ଚତୁର୍ଥ ସ୍ଥାନ ଲାଭ କରିଥିଲେ। ୨୦୧୮ ଜାନୁଆରୀ ମାସରେ ନୂଆଦିଲ୍ଲୀଠାରେ ଆୟୋଜିତ ୭୦ ତମ ଜାତୀୟ ଟ୍ରାକ ସାଇକ୍ଲିଙ୍ଗ ଚମ୍ପିୟାନସିପରେ ସେ ତୃତୀୟ ସ୍ଥାନ ହାସଲ କରିଥିଲେ।    

Leave A Reply

Your email address will not be published.