ଦ୍ୱିତୀୟ ଡେଭିଡ୍ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ,
ଓଡ଼ଗାଁ, ୨୩।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଓଡ଼ଗାଁ ମିନି ଷ୍ଟାଡିୟମ୍ରେ ଆୟୋଜିତ ଦ୍ୱିତୀୟ ଡେଭିଡ୍ ମେମୋରିଆଲ୍ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୬ର ପଞ୍ଚମ ଦିବସରେ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲା ଓଡ଼ଗାଁ। ପ୍ରଥମଥର ପାଇଁ ଏଠାରେ ମହିଳା ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ୍ ପୁରୀ ଓ ଗଞ୍ଜାମ ଜିଲ୍ଲାର ମହିଳା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ରୋମାଞ୍ଚକର ମୁକାବିଲାରେ ପୁରୀ ଦଳ ୪୬ ରନ୍ରେ ବିଜୟୀ ହୋଇଥିଲା। ମ୍ୟାଚ୍ରେ ଟସ୍ ଜିତି ପୁରୀ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଉଇକେଟ୍ ହରାଇ ୧୬୩ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ୟୁବାଲିପି ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ମାତ୍ର ୫୮ଟି ବଲ୍ରୁ ୮୨ ରନ୍ ସଂଗ୍ରହ କରିଥିଲେ। ତାଙ୍କର ଏହି ଉଲ୍ଲେଖନୀୟ ଇନିଂସ ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲା। ଜବାବରେ ଗଞ୍ଜାମ ମହିଳା ଦଳ ୧୬୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ଟି ଉଇକେଟ୍ ହରାଇ ମାତ୍ର ୧୧୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ପୁରୀ ଦଳ ୪୬ ରନ୍ରେ ବିଜୟ ହାସଲ କରି ବିଜୟୀ ଟ୍ରଫି ହାତେଇଥିବା ବେଳେ ଗଞ୍ଜାମ ଦଳ ଉପବିଜେତା ଟ୍ରଫି ଗ୍ରହଣ କରିଥିଲା। ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ପୁରୀ ଦଳର ନୁରଜାତ୍ଙ୍କୁ ଶ୍ରେଷ୍ଠ ଖେଳାଳି, ଯୁବାଲିପିଙ୍କୁ ମୋଷ୍ଟ ଭାଲ୍ୟୁଏବଲ୍ ଖେଳାଳି ଏବଂ ମାତ୍ର ୧୧ ବର୍ଷ ବୟସ୍କା ଅପିଙ୍କୁ ଉଦୀୟମାନ ଖେଳାଳି ଭାବେ ଘୋଷଣା କରାଯାଇ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା।

ମ୍ୟାଚ୍କୁ ଜ୍ଞାନରଞ୍ଜନ ସ୍ୱାଇଁ ଓ ଶ୍ରୀକାନ୍ତ ପରିଚାଳନା କରିଥିଲେ। ମ୍ୟାଚ୍ ଆରମ୍ଭ ପୂର୍ବରୁ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଅତିଥି ଭାବେ ଯୋଗଦେଇ ଖେଳର ଶୁଭାରମ୍ଭ କରିବା ସହ ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଖେଳ ଶେଷରେ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ର ସମ୍ପାଦକ ଦିବାକର ନାଏକଙ୍କ ସହ ମୁଖ୍ୟ ଅତିଥି ରଣଜୀତ ପାତ୍ର, ଗଞ୍ଜାମ ଜିଲ୍ଲା କୋଚ୍ ସନ୍ତୋଷ କୁମାର ପ୍ରଧାନ ଏବଂ ମାନସ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ବିଜୟୀ ଓ ଉପବିଜେତା ଦଳ ସମେତ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳିଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ଗାଁରେ ପ୍ରଥମ ମହିଳା ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ୍ର ସ୍ଥାନୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା । ଆଗାମୀ ଦିନରେ ସ୍ବତନ୍ତ୍ର ଭାବେ ଏକ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କରିବା ପାଇଁ ଆଜି ଆହୋଜକ ମାନଙ୍କ ତରଫରୁ ଘୋଷଣା ପରେ ଓଡ଼ଗାଁ ତଥା ଅଞ୍ଚଳରେ ମହିଳା ମାନଙ୍କ ଖେଳକୁ ଏହା ଏକ ନୂତନ ଦିଗଦର୍ଶନ ପ୍ରଦାନ କରିପାରିବ ବୋଲି ଆଶା ସୃଷ୍ଟି ହୋଇଛି।