ଦ୍ୱିତୀୟ ଡେଭିଡ୍ ମେମୋରିଆଲ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ-୨୦୨୬

19


ଏମ୍‌କେସିସି ଜଟଣୀକୁ ହରାଇ ଚାମ୍ପିୟନ ହେଲା ସମରସେଟ୍ ଭୁବନେଶ୍ୱର,


ଓଡ଼ଗାଁ, ୨୫।୧୦(ଶ୍ରୀକାନ୍ତ କୁମାର ମିଶ୍ର)
: ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଡେଭିଡ୍ ମେମୋରିଆଲ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ-୨୦୨୬ର ଫାଇନାଲ ମ୍ୟାଚରେ ସମରସେଟ୍ ଭୁବନେଶ୍ୱର ଚାମ୍ପିୟନ ହୋଇଛି। ଗତବର୍ଷର ବିଜେତା ଏମ୍‌କେସିସି ଜଟଣୀକୁ ପରାସ୍ତ କରି ଭୁବନେଶ୍ୱର ଦଳ ଚଳିତ ବର୍ଷ ଟ୍ରଫି ହାସଲ କରିଥିବା ବେଳେ ଜଟଣୀ ଦଳ ରନରସପ୍ ହୋଇଛି।ଫାଇନାଲ ମ୍ୟାଚରେ ଟସ୍ ଜିତି ସମରସେଟ୍ ଭୁବନେଶ୍ୱର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଏମ୍‌କେସିସି ଜଟଣୀ ନିର୍ଦ୍ଧାରିତ ୧୦ ଓଭରରେ ୮ଟି ୱିକେଟ ହରାଇ ୧୦୩ ରନ୍ ସଂଗ୍ରହ କରିଥିଲା। ଜବାବରେ ସମରସେଟ୍ ଭୁବନେଶ୍ୱର ୯.୪ ଓଭରରେ ୫ଟି ୱିକେଟ ହରାଇ ୧୦୪ ରନ୍ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।ଉଲ୍ଲେଖଯୋଗ୍ୟ ଯେ, ସମରସେଟ୍ ଭୁବନେଶ୍ୱର ଦଳ ଗୋଟିଏ ଦିନରେ କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ଭଳି ଲଗାତାର ତିନୋଟି ମ୍ୟାଚ ଖେଳି ବିଜୟୀ ହୋଇ ଚାମ୍ପିୟନ ଟ୍ରଫି ହାସଲ କରିଥିଲା। ଦଳର ଏହି ସଫଳତାକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।

ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ଉତ୍ସବରେ ରଘୁନାଥ ଆଥଲେଟିକ ଆସୋସିଏସନର ପ୍ରତିଷ୍ଠାତା ସଭ୍ୟ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି, ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ମୁଖ୍ୟବକ୍ତା ଏବଂ ସମାଜସେବୀ ତଥା ଯୁବ ଉଦ୍ୟୋଗୀ ଲିଟୁନ୍ କର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ଚାମ୍ପିୟନ ସମରସେଟ୍ ଭୁବନେଶ୍ୱର ଦଳକୁ ଟ୍ରଫି ସହ ଏକ ଲକ୍ଷ ଟଙ୍କାର ଚେକ୍ ଏବଂ ଉପବିଜେତା ଏମ୍‌କେସିସି ଜଟଣୀ ଦଳକୁ ଟ୍ରଫି ସହ ୬୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଏହି ଅବସରରେ ରଘୁନାଥ ଆଥଲେଟିକ ଆସୋସିଏସନର ବରିଷ୍ଠ ଖେଳାଳିମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସାତଦିନ ଧରି ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ଆସୋସିଏସନର ସମ୍ପାଦକ ତଥା କ୍ରୀଡ଼ା ସଂଗଠକ ଦିବାକର ନାୟକଙ୍କ ତତ୍ତ୍ୱାବଧାନରେ ପରିଚାଳନା କରାଯାଇଥିଲା। ଉମାକାନ୍ତ ଦାସ, ସନ୍ତୋଷ କୁମାର ପ୍ରଧାନ, ଶୁଭକାନ୍ତ ଚୌଧୁରୀ, ଦୀନନାଥ ମାଝୀ ପ୍ରମୁଖ ସହଯୋଗ କରିଥିଲେ। ଆୟୋଜକଙ୍କ ଅନ୍ୟତମ ସହଯୋଗୀ ମାନସ ରଞ୍ଜନ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.