ଦୁର୍ନୀତି ନିବାରଣ ସପ୍ତାହ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସାଧୁତାର ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ।

11

କେନ୍ଦ୍ରାପଡ଼ା:27,10(ପ୍ରଫୁଲ୍ଲ କୁମାର ମଲ୍ଲ) ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ସାଧୁତା, ସ୍ୱଚ୍ଛତା ଓ ଦୁର୍ନୀତିମୁକ୍ତ ପ୍ରଶାସନ ପ୍ରତି ପ୍ରତିବଦ୍ଧତା ଜଣାଇ ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ୍ ସେଣ୍ଟରଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ସମସ୍ତଙ୍କୁ ସାଧୁତାର ଶପଥପାଠ କରାଇଥିଲେ। ଦୁର୍ନୀତିମୁକ୍ତ ଶାସନ ବ୍ୟବସ୍ଥା ଗଠନ, ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଏବଂ ସାଧୁତାର ମୂଲ୍ୟବୋଧକୁ ସୁଦୃଢ଼ କରିବା ଦିଗରେ ଏହି ଶପଥପାଠ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକସ୍ତରୀୟ କାର୍ଯ୍ୟାଳୟଗୁଡ଼ିକ ଓସ୍ୱାନ୍ (OSWAN) ପ୍ଲାଟଫର୍ମ ମାଧ୍ୟମରେ ଯୋଡ଼ି ହୋଇଥିଲେ ଏବଂ ସାମୂହିକ ଭାବେ ଶପଥପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଓସ୍ୱାନ୍ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟର, ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବକୃଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ, ଭିଜିଲାନ୍ସ ଡିଏସ୍‌ପି ଭାଗ୍ୟଲକ୍ଷ୍ମୀ ପୁହାଣ, ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ। ଏଥିସହ ଜିଲ୍ଲାର ବିଭିନ୍ନ ବ୍ଲକର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଓସ୍ୱାନ୍ ପ୍ଲାଟଫର୍ମ ମାଧ୍ୟମରେ ଏହି ଶପଥପାଠ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଶପଥପାଠ ମାଧ୍ୟମରେ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ପାଳନରେ ସଚ୍ଚୋଟତା ଓ ସାଧୁତା ବଜାୟ ରଖିବା, ଦୁର୍ନୀତିଠାରୁ ଦୂରେଇ ରହିବା, ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଅବଲମ୍ବନ କରିବା ଏବଂ ଜନସାଧାରଣଙ୍କୁ ନିଷ୍ଠାର ସହ ସେବା ଯୋଗାଇଦେବା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଏକ ସ୍ୱଚ୍ଛ, ଦାୟିତ୍ୱବାନ ଓ ଦୁର୍ନୀତିମୁକ୍ତ ପ୍ରଶାସନ ଗଠନରେ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।
ଏହି ଅବସରରେ ଦୁର୍ନୀତି ବିରୋଧରେ ଜନସଚେତନତା ସୃଷ୍ଟି ଓ ସାଧୁତାର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରଙ୍ଗୋଲି ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଏହା ମାଧ୍ୟମରେ ସଚ୍ଚୋଟତା, ନୈତିକତା, ସ୍ୱଚ୍ଛତା ଓ ଦୁର୍ନୀତିମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରସାର କରାଯାଇଥିଲା।
ଦୁର୍ନୀତି ନିବାରଣ ସପ୍ତାହର ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ ଓ ସାର୍ବଜନୀନ ଜୀବନରେ ସାଧୁତାର ମୂଲ୍ୟବୋଧକୁ ସୁଦୃଢ଼ କରିବା, ଦୁର୍ନୀତି ବିରୋଧରେ ସାମୂହିକ ସଚେତନତା ବୃଦ୍ଧି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସ୍ୱଚ୍ଛ ଓ ଦାୟିତ୍ୱପୂର୍ଣ୍ଣ ପ୍ରଶାସନ ପ୍ରତି ଆସ୍ଥା ବଢ଼ାଇବା। ଏହି ଅଭିଯାନ ଦୁର୍ନୀତିମୁକ୍ତ ସମାଜ ଗଠନ ଦିଗରେ ସମସ୍ତଙ୍କୁ ନିଜ ନିଜ ସ୍ତରରେ ଦାୟିତ୍ୱବାନ ଭୂମିକା ନିର୍ବାହ କରିବାକୁ ପ୍ରେରଣା ଯୋଗାଇଛି।

Leave A Reply

Your email address will not be published.