ଆନ୍ତଃ ଏକାଡେମୀ ହକି ପ୍ରତିଯୋଗିତା ଉଦ୍‌ଯାପିତ, ପାନପୋଷ କ୍ରୀଡ଼ା ଛାତ୍ରାବାସ ଦଳକୁ  ପ୍ରଥମ ସ୍ଥାନ

0

Rourkela : ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ଥିବା ଆଷ୍ଟ୍ରୋ ଟର୍ଫ୍‌ ହକି ପଡ଼ିଆରେ ଆନ୍ତଃ ଏକାଡେମୀ ହକି ଲିଗ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଦଶଦିନ ଧରି  ଜିଲ୍ଲା ପ୍ରଶାସନ ଓ ରାଜ୍ୟ କ୍ରୀଡ଼ା ବିଭାଗ ସହଯୋଗରେ ପାନପୋଷ କ୍ରୀଡ଼ା ସଙ୍ଗଠନ ପକ୍ଷରୁ ଆୟୋଜିତ ଏହି ଖେଳର ଶେଷ ଦିନର ଖେଳ ଶେଷ ମ୍ୟାଚ୍‌ ପରେ ସର୍ବାଧିକ ପଏଣ୍ଟ  ପାଇ ପାନପୋଷ କ୍ରୀଡ଼ା ଛାତ୍ରାବାସ ଦଳ ପ୍ରଥମ ସ୍ଥାନ ହାସଲ କରିଥିଲା।  ଖେଳର ଶେଷ ଦିନରେ ପ୍ରଥମ ମ୍ୟାଚ୍‌ ସେଲ୍‌ ହକି ଏକାଡେମୀ ଓ ଜାତୀୟ ହକି ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସେଲ୍‌ ହକି ଏକାଡେମୀ ଦଳ ୪-୩ ଗୋଲ୍‌ରେ ବିଜୟୀ ହୋଇଥିଲା। ସେହିଭଳି ଉଦ୍‌ଯାପନୀ ଦିବସର ଶେଷ ଖେଳ ଭୋପାଳ ହକି ଏକାଡେମୀ  ଓ  ସୁନ୍ଦରଗଡ଼ ସାଇ(Sports Authority of India) କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ହୋଇଥିଲା। ଏଥିରେ ଭୋପାଳ ଦଳ ୨-୧ ଗୋଲ୍‌ରେ ବିଜୟୀ ହୋଇଥିଲା। ଦୁଇଟିଯାକ ଖେଳକୁ ସୁମନ ଚୌଧୁରୀ, ଆକାଶ ଏକ୍କା, ବିରାଜ ଟପ୍ନୋ, ଆକାଶ କୁଜୁର ଓ ରମନଦୀପ ଲାକ୍ରା ପରିଚାଳନା କରିଥିଲେ। ଉଦ୍‌ଯାପନୀ ଦିବସରେ ଅନୁଷ୍ଠିତ ସଭାରେ ସ୍ୱତନ୍ତ୍ର ଅତିଥିଭାବେ ବରିଷ୍ଠ ଆନ୍ତର୍ଜାତୀୟ ହକି ପ୍ରଶିକ୍ଷକ ଏମ କେ କୌଶିକ ଓ ନରେନ୍ଦ୍ର ସିଂହ ସାଇନି ଯୋଗଦେଇଥିଲେ। ସ୍ୱତନ୍ତ୍ର ଅତିଥିମାନେ ପାନପୋଷ କ୍ରୀଡ଼ା ସଙ୍ଗଠନ ପକ୍ଷରୁ ଆୟୋଜିତ ଏହି ହଲି ଲିଗ୍‌ ମାଧ୍ୟମରେ ଭିନ୍ନ ଭିନ୍ନ ସ୍ଥାନରୁ  ଆସିଥିବା  ଖେଳାଳିମାନଙ୍କ  ମଧ୍ୟରେ  ଭାବର  ଆଦାନ ପ୍ରଦାନ  ଏକ ଉତ୍ତମ   ଖେଳୁଆଡ଼  ମନୋଭାବ   ସୃଷ୍ଟିରେ  ସହାୟକ  ହେବ ବୋଲି  କହିଥିଲେ । ଏଥିରେ ସମ୍ମାନୀତ ଅତିଥିଭାବେ ପୂର୍ବତନ ଜାତୀୟ  ମହିଳା  ହକି ଅଧିନାୟିକା ସୁଭଦ୍ରା ପ୍ରଧାନ, ପୂର୍ବତନ ଆନ୍ତର୍ଜାତୀୟ ମହିଳା ହକି ଖେଳାଳି ସରିତା ଲାକ୍ରା, ରୋଜାଲିନ୍‌ ଡୁଙ୍ଗ୍‌ଡୁଙ୍ଗ୍‌ , ପୂର୍ବତନ ଜାତୀୟ ମହିଳା ହକି ଖେଳାଳି ନିଲ୍‌ ଅପରାଜିତା ମାଝି, ପୂର୍ବତନ ପୁରୁଷ ଆନ୍ତର୍ଜାତୀୟ ହକି ଖେଳାଳି ଷ୍ଟାଲିନ୍‌ ଭିକ୍ଟର ମିଞ୍ଜ ପ୍ରମୁଖ ଯୋଗଦେଇଥିଲେ। ପାନପୋଷ କ୍ରୀଡ଼ା ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ପୂର୍ବତନ ଖେଳାଳିମାନଙ୍କୁ ଡାକି ସମ୍ମ୍ନାନୀତ କରାଯିବା ହକି ଖେଳ ଓ ଖେଳାଳିମାନଙ୍କ ପାଇଁ ଏକ ଭଲ ପରମ୍ପରା ବୋଲି ଏହି ଖେଳାଳିମାନେ କହିଥିଲେ। ଖେଳ ପରିଚାଳନା କମିଟିର ଅଧ୍ୟକ୍ଷ ମିଲ୍‌ଟନ୍‌ ବିଲୁଙ୍ଗ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଖେଳ ପରିଚାଳନା କମିଟିର ସଙ୍ଗଠନ ସମ୍ପାଦକ ସୁଶାନ୍ତ ବେହେରା ସଂଯୋଜନା କରିଥିଲେ। ଉଦ୍‌ଯାପନୀ ଦିବସରେ ବରିଷ୍ଠ ହକି ପ୍ରଶିକ୍ଷକ ହରମୋହନ ଲାକ୍ରା ଓ ସିଲ୍‌ଭେଷ୍ଟାର୍‌ ଟପ୍ପୋ ଏବଂ ବୃଣ ଲୁଗୁନ ପ୍ରମୁଖ ଉପସ୍ଥିତ ଥିଲେ। ଦଶଦିନ ଧରି ଅନୁଷ୍ଠିତ ଏହି ଖେଳ ପରିଚାଳନାରେ ପାନପୋଷ କ୍ରୀଡ଼ା ଛାତ୍ରାବାସର ବରିଷ୍ଠ ପ୍ରଶିକ୍ଷକ ଅମୂଲ୍ୟ ବେହେରା, ପିଟର ସୋରେନଙ୍କ ସମେତ କେଶବ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସମସ୍ତ ସହଯୋଗ କରିଥିଲେ।  ଏହା ସହିତ ପାନପୋଷ କ୍ରୀଡ଼ା ସଙ୍ଗଠନର ରେଶ୍ମା ଲାକ୍ରା, ରଶ୍ମିତା କୁଲ୍ଲୁ, ଅଞ୍ଜଳି ଦାସ ପ୍ରମୁଖ ଉପସ୍ଥିତ ଥିଲେ। 

Leave A Reply

Your email address will not be published.