ଓଡ଼ିଶା ଜନତା କଂଗ୍ରେସର ଭୁବନେଶ୍ୱର ସାଂଗଠନିକ ବୈଠକ ଅନୁଷ୍ଠିତ

16

ସମନ୍ବୟ କମିଟି ଘୋଷଣା : ପ୍ରଶାନ୍ତ ଶତପଥୀ ଅଧ୍ୟକ୍ଷ

ଭୁବନେଶ୍ୱର, (୨୭. ୧୦ ୨୦୨୬) : ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ଅପରାହ୍ନରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଜେସି ସଭାପତି ଇଂ ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡରୁ ଆସିଥିବା ସ୍ଥାନୀୟ ନେତୃବୃନ୍ଦ ଓ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ । ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ବଦ୍ରି ନାରାୟଣ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ଦଳର ସାଂଗଠନିକ ସ୍ଥିତି, ତୃଣମୂଳ ସ୍ତରରେ ସଂଗଠନର ସମ୍ପ୍ରସାରଣ ଏବଂ ଆଗାମୀ ଦିନରେ ଦଳର କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଏମସିର ବିଭିନ୍ନ ୱାର୍ଡରେ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ନିକଟରେ ଦଳର ବିଚାରଧାରା ଓ କାର୍ଯ୍ୟକ୍ରମ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଓଜେସି ସଭାପତି ମହମ୍ମଦ ମୋକିମ କହିଥିଲେ ଯେ, ଭୁବନେଶ୍ୱରରେ ଅନ୍ୟ ରାଜନୈତିକ ଦଳ ଜନସାଧାରଣଙ୍କ ସମସ୍ୟା ସହ ସମ୍ପୃକ୍ତ ରହୁନାହାନ୍ତି । ଓଜେସି ଖୁବ କମ ସମୟ ମଧ୍ୟରେ ଭୁବନେଶ୍ୱର ବାସିନ୍ଦାଙ୍କର ଆସ୍ଥାଭାଜନ ହୋଇପାରିଛି। ଅଧିକ ପରିଶ୍ରମ କରି ଦଳକୁ ଆହୁରି ଲୋକାଭିମୁଖୀ କରିବା ନିମନ୍ତେ ସେ କର୍ମକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଦଳୀୟ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଆଲୋଚନା କରି ଭୁବନେଶ୍ୱରରେ ସଂଗଠନକୁ ଅଧିକ ମଜଭୁତ କରିବା ପାଇଁ ଲୋକଙ୍କ ସମସ୍ୟା ସହ ଜଡ଼ିତ ରହି କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ଥାନୀୟ ନେତୃତ୍ୱ ଓ କର୍ମୀମାନଙ୍କ ସକ୍ରିୟ ଭାଗିଦାରୀ ମାଧ୍ୟମରେ ୱାର୍ଡସ୍ତରରେ ଦଳର କାର୍ଯ୍ୟକ୍ରମକୁ  ଆହୁରି ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏକ ସୁଦୃଢ଼ ସାଂଗଠନିକ ଭିତ୍ତିଭୂମି ଗଠନ ପାଇଁ ପ୍ରତ୍ୟେକ ୱାର୍ଡରେ ସ୍ଥାନୀୟ ନେତୃତ୍ୱ ଓ କର୍ମୀମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଆବଶ୍ୟକତା ଅଛି ବୋଲି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ବଦ୍ରି ନାରାୟଣ ମହାନ୍ତି କହିଥିଲେ । ଏହି ବୈଠକ ଭୁବନେଶ୍ୱରରେ ଓଡ଼ିଶା ଜନତା କଂଗ୍ରେସର ସାଂଗଠନିକ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ସହ ଆଗାମୀ ପୌର ନିର୍ବାଚନ ପୂର୍ବରୁ ୱାର୍ଡସ୍ତରରେ ସଂଗଠନର ସ୍ଥିତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।

ଉକ୍ତ ବୈଠକରେ ରାଜ୍ୟ ସଭାପତି ମହମ୍ମଦ ମୋକିମ୍ ଭୁବନେଶ୍ବର ମହାନଗର ନିଗମର ବିଭିନ୍ନ ଓ୍ବାର୍ଡରେ ଓଜେସି ନେତୃତ୍ବ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ନିମନ୍ତେ ଓଜେସି ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ କମିଟି ଘୋଷଣା କରିଛନ୍ତି । ଏହି କିମିଟିରେ ଆଇନଜୀବୀ ସଞ୍ଜିତ୍ ଚୈାଧୁରୀ ସଂଯୋଜକ, ଓଜେସି ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏବଂ ଛାତ୍ରନେତା ତଥା ଆଇନଜୀବୀ ଆଦିତ୍ୟ ପରିଡ଼ା ସଭ୍ୟ ଭାବେ ସ୍ଥାନିତ ହୋଇଛନ୍ତି ।

ଏହି ସାଂଗଠନିକ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଜେସି ଉପସଭାପତି ପ୍ରଦୀପ ପ୍ରଧାନ, ସାଧାରଣ ସମ୍ପାଦକ ନରେଶ ମହାନ୍ତି, ସୋମନାଥ ରାଉତ, ସଞ୍ଜୟ ରାୟ,  ପ୍ରଦୀପ ନାଏକ, ମାନସ ଦିଗାଲ, ରାକେଶ ବେହେରା, ସୁଧିର ରାଉତ, ସୋନାଲି ମହାପାତ୍ର, ସସ୍ମିତା ପଟ୍ଟନାୟକ, ମହମ୍ମଦ ସଲାଉଦ୍ଦିନ, ଆଦିତ୍ୟ ମିଶ୍ର, ଅମିତ ଦାସ, ସୀତା ସାହୁ, ରୋହିତ ଭଞ୍ଜ, ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା, ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, କୃଷକ ଜନତା କଂଗ୍ରେସ ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.