ନୟାଗଡ଼,(ଲକ୍ଷ୍ମୀଧର ସାହୁ) : ୨୦୦୮ ମସିହା ନୟାଗଡ଼ ମାଓବାଦୀ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ପଣ୍ଡା ଆଜି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସବ୍ୟସାଚୀ ପଣ୍ଡାଙ୍କ ନାମରେ ୯ ଗୋଟି ମାମଲା ରୁଜୁ କରାଯାଇଥିଲା । ଏଥି ମଧ୍ୟରୁ ଦଶପଲ୍ଲା ଆକ୍ରମଣର ୪ ଗୋଟି ମାମଲାରୁ ସବ୍ୟସାଚୀ ନିର୍ଦ୍ଦୋଷରେ ପୂର୍ବରୁ ଖଲାସ ହୋଇ ସାରିଛନ୍ତି । ଆଜି ନୟାଗଡ଼ ରିଜର୍ଭ ପୁଲିସ ବ୍ୟାରେକରେ ହୋଇଥିବା ମାଓବାଦୀ ଆକ୍ରମଣର ଥିଲା ଚୂଡ଼ାନ୍ତ
ଶୁଣାଣି । ମାନ୍ୟବର ବିଚାରପତି ରୂପଶ୍ରୀ ଚୌଧୁରୀ ଆଜି ସବ୍ୟସାଚୀଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସେମାନେ ହେଲେ ଜଗତସିଂପୁରର ମଞ୍ଜୁଲତା ମୁଦୁଲି ଓ ପ୍ରତାପ କିମ୍ବିକା। ସଶସ୍ତ୍ର ମାଓବାଦୀ ମାନେ ୨୦୦୮ ମସିହା ଫେବୃଆରୀ ୧୫ ତାରିଖରେ ନୟାଗଡ଼ ଜିଲ୍ଲାରେ ଆକ୍ରମଣ କରି ୧୫ ଜଣ ପୁଲିସ କର୍ମଚାରୀ ଏବଂ ଜଣେ ସାଧାରଣ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ଜିଲ୍ଲା ରିଜର୍ଭ ଅଫିସ, ନୟାଗଡ଼ ଥାନା, ପୋଲିସ ଟ୍ରେନିଂ ସ୍କୁଲ, ମହିପୁର ଫାଣ୍ଡି, ନୂଆଗାଁ ଥାନା, ଦଶପଲ୍ଲା ଥାନାରେ ଏହି ଆକ୍ରମଣ ହୋଇଥିଲା। ସେହିଭଳି ଦଶପଲ୍ଲା ଆଇଆଇସିଙ୍କ ବାସ ଭବନ ପୋଡ଼ିଦେବା ସହ ତ୍ରିନାଥ ଛକଠାରେ ଏକ ନଡ଼ିଆ ଟ୍ରକ୍ ଅପହରଣ କରି ନେଇଥିଲେ । ଏହି ମାଓ ଆକ୍ରମଣରେ ସହୀଦ ହୋଇଥିବା ପୁଲିସ କର୍ମଚାରୀମାନେ ହେଲେ, ଏଏସ୍ଆଇ ଦଣ୍ଡପାଣି ମିଶ୍ର, ଏଏସ୍ଆଇ ରବିନ୍ଦ୍ର ନାଥ ସାହୁ, ହାବିଲଦାର ବ୍ରଜବନ୍ଧୁ ବସନ୍ତିଆ, ଲାନ୍ସ ନାୟକ ପଞ୍ଚୁ ପେଣ୍ଡେଇ, କନେଷ୍ଟବଳ
ସନ୍ତୋଷ କୁମାର ବାଇ, ପ୍ରଫୁଲ୍ଲ କୁମାର ପ୍ରଧାନ, ସଦ୍ଦିକ ଅଲ୍ଲୀ ଖାନ୍, ଶ୍ରୀନିବାସ ବେହେରା, ଚିନ୍ତାମଣୀ ସାହୁ,ଗ୍ରାମରକ୍ଷୀ ଆନନ୍ଦ ଚନ୍ଦ୍ର ନାୟକ, ଝାଡୁଦାର ଭୋଳା ନାଏକ,ସୋମନାଥ ସ୍ବାଇଁ, ହାବିଲଦାର ଶତୃଘ୍ନ ପଣ୍ଡା, ରାଜକିଶୋର ପ୍ରଧାନ, ରୁବେନି ଏକ୍କା । ମାଓବାଦୀମାନେ ଆକ୍ରମଣ କରି ଫେରିବା ବେଳେ ରିଜର୍ଭ ଅଫିସ ଓ ପିଟିଏସ୍ ଆର୍ଟେରୀରୁ ୫୦ ହଜାରରୁ ଉର୍ଦ୍ଧ୍ବ ଅସ୍ତ୍ରଶସ୍ତ୍ର, ୩ ହଜାରରୁ ଉର୍ଦ୍ଧ୍ବ ଗ୍ରେନେଡ଼୍ ୩୬- ହାଇ ଏକ୍ସପ୍ଲୋସିଭ୍ ବୋମା ସମେତ ଏକେ-୪୭ ଶକ୍ତିଶାଳୀ ବନ୍ଧୁକ ଲୁଟି ନେଇଥିଲେ । ମାଓବାଦୀମାନେ ଗୋଟିଏ ଘରୋଇ ବସ୍ ଓ ଏକ ମିନିଟ୍ରକକୁ ମଧ୍ୟ ଲୁଟି ନେଇ ଯାଇଥିଲେ । ଏହି ଘଟଣାରେ ମୋଟ ୧୩ ଜଣଙ୍କୁ ଗିରଫ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.