୨୪୫ଟି କଳାକାର ଅନୁଷ୍ଠାନର ୪ ହଜାରରୁ ଊର୍ଦ୍ଧ୍ୱ କଳାକାର ଅଂଶଗ୍ରହଣ କରି ନିଜ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ନଗର ଭାବନ (ଟାଉନ ହଲ୍) ଠାରେ ଆୟୋଜିତ ଛଅ ଦିନିଆ ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟା ଆଜି ଉଦ୍ଯାପିତ ହୋଇଯାଇଛି। ଏହି ଚୟନ ପ୍ରକ୍ରିୟାରେ ସମୁଦାୟ ୨୪୫ଟି କଳାକାର ଅନୁଷ୍ଠାନର ୪ ହଜାରରୁ ଊର୍ଦ୍ଧ୍ୱ କଳାକାର ଅଂଶଗ୍ରହଣ କରି ନିଜ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ।
ଏଥିରେ ସଂକୀର୍ତ୍ତନ ମଣ୍ଡଳୀ , ଲାଞ୍ଜିଆ ସଉରା ନୃତ୍ୟ , ଶବର-ଶବରୁଣୀ ଆଦିବାସୀ ନୃତ୍ୟ , ଭାରତଲୀଳା , ଭୂତକେଳି , ସାକ୍ଷୀ ନାଚ , ଚଢ଼େୟା-ଚଢ଼େୟାଣୀ ନୃତ୍ୟ , ସତ୍ରା ଆଦିବାସୀ ନୃତ୍ୟ , ସମ୍ବଲପୁରୀ ନୃତ୍ୟ , ଦୁଲଦୁଲି , ମାହାରୀ , ଓଡ଼ିଶୀ ନୃତ୍ୟ , ଭଜନ ଓ ସୁଗମ ସଙ୍ଗୀତ ଆଦି ବିଭିନ୍ନ କଳା ଓ ସାଂସ୍କୃତିକ ପରମ୍ପରାର କଳାକାରମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।
ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ରହିଥିବା ଲୁକ୍କାୟିତ କଳା ଓ ପ୍ରତିଭାକୁ ଲୋକଲୋଚନକୁ ଆଣିବା। ଏଥିସହ କଳାକାରମାନଙ୍କୁ ବିଭିନ୍ନ ମଞ୍ଚରେ କଳା ପ୍ରଦର୍ଶନ ପାଇଁ ସୁଯୋଗ ଦେବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଓ ପ୍ରୋତ୍ସାହନ ଯୋଗାଇଦେବା ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଏହି ଉଦ୍ୟମ ପାଇଁ ଅଂଶଗ୍ରହଣକାରୀ କଳାକାରମାନେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ କୃତଜ୍ଞତା ଜଣାଇଥିଲେ। ତେବେ କିଛି କଳାକାର ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରି ନଥିବାରୁ ସେମାନଙ୍କୁ ପୁନର୍ବାର ଆବେଦନ କରିବାର ସୁଯୋଗ ଦେବାକୁ ଅନୁରୋଧ କରାଯାଇଛି।
ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ୟାନ୍ୟ ବିଭାଗର କର୍ମଚାରୀଙ୍କ ସହଯୋଗରେ ଏହି ଚୟନ ପ୍ରକ୍ରିୟା ସୁଚାରୁରୂପେ ଆୟୋଜନ କରାଯାଇଥିଲା।

ଚୟନ ପ୍ରକ୍ରିୟାରେ ବିଚାରକ ଭାବେ ସ୍ଥାନୀୟ ବିଶିଷ୍ଟ କଳାକାର ତଥା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଗୁରୁ ରଘୁନାଥ ପାତ୍ର , ଅଭିଜ୍ଞ ମଞ୍ଚ କଳାକାର ନୃସିଂହ ଚରଣ ପଟ୍ଟନାୟକ , ବରିଷ୍ଠ ଭାରତଲୀଳା କଳାକାର ତଥା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ହରିକୃଷ୍ଣ ବିଶ୍ୱାଳ ଏବଂ ସଂକୀର୍ତ୍ତନ ଗୁରୁ ପ୍ରଫୁଲ୍ଲ ବିଶ୍ୱାଳ ଯୋଗଦେଇଥିଲେ।
ବିଚାରକମାନଙ୍କ ଦ୍ୱାରା କଳାକାରମାନଙ୍କ ପ୍ରଦର୍ଶନର ମୂଲ୍ୟାୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ କଳାକାର , ବିଚାରକ , ଅଧିକାରୀ ଓ କର୍ମଚାରୀଙ୍କ ଆନ୍ତରିକ ସହଯୋଗ ଏହାକୁ ସଫଳ ଓ ସୁପରିଚାଳିତ କରିବାରେ ସହାୟକ ହୋଇଥିଲା।