ନୟାଗଡ଼,୫ା୩: ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ତଥା ସେମାନ୍ଙ୍କ ବିଭିନ୍ନ ଦାବି ଗୁଡ଼ିକ ପ୍ରତି ଅବହେଳା କରୁଥିବା ପ୍ରତିବାଦରେ ଚଳିତ ମାସ ୧୫ ତାରିଖରୁ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକମାମେ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସଂଘର ଆହ୍ୱାନ କ୍ରମେ ଆଜି ପୂର୍ବାହ୍ନରେ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନୀୟ ପ୍ରାଥମିକ ଶିକ୍ଷକଭବନରେ ଅନୁଷ୍ଠିତ ହୋଇଥିଲା । ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ,୬ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା,କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ଆଦି ୩ଦଫା ଦାବି ନେଇ ଶିକ୍ଷକମାନେ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିବା ବେଳେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ବାଧ୍ୟ ହୋଇ ଗତ ନଭେମ୍ବର ମାସରେ ଭୁବନେଶ୍ୱରଠାରେ ବିଧାନସଭା ସମ୍ମୁଖରେ ଏକ ବିଶାଳ ସମାବେଶରେ ଏକତ୍ରିତ ହୋଇ ୪ଦିନ ଧରି ଜୋରଦାର ଆନ୍ଦୋଳନ କରିଥିଲେ । ପରେ ମୁଖ୍ୟ ଶାସନ ସଚିବ ମହାସଂଘ ନେତୃତ୍ୱଙ୍କ ସହିତ ଆଲୋଚନା କରି ଡିସେମ୍ବର ୧୬ରୁ ୨୦ ତାରିଖ ମଧ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଲିଖିତ ପ୍ରତିଶୃତି ପ୍ରଦାନ କରିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖା ଯାଇଥିଲା । ମାତ୍ର ପ୍ରତିଶୃତି ଦେଇ ସରକାର ଶିକ୍ଷକମାନଙ୍କୁ ଭଣ୍ଡେଇ ଚାଲିଥିବାରୁ ବାଧ୍ୟ ହୋଇ ଶିକ୍ଷକମାନେ ସମୂହ ଛୁଟିରେ ଯିବା ପାଇଁ ଚରମ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ଶିକ୍ଷକମାନେ ଚଳିତମାସ ୧୦ ତାରିଖରେ ଏକ ଶୋଭାଯାତ୍ରାରେ ବହାରି ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିବେ । ଯଦି ଏହି ସମୟ ମଧ୍ୟରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନିଅନ୍ତି ତେବେ ବାଧ୍ୟ ହୋଇ ପ୍ରାଥମିକ ଶିକ୍ଷକମାନେ ଆସନ୍ତା ୧୫ ତାରିଖରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବେ ଏବଂ ସିଆରସିସି,ଭାରପ୍ରପ୍ତ ପ୍ରଧାନ ଶିକ୍ଷକ ପଦବୀରୁ ଅବ୍ୟାହତ ନେବା ସହିତ ଚଳିତ ମାଟ୍ରିକ୍ ପରୀକ୍ଷା କାର୍ଯ୍ୟକୁ ବର୍ଜନ୍ କରିବା ପାଇଁ ମଧ୍ୟ ଦୃଢ଼ ଚେତାବନୀ ଦେଇଛନ୍ତି । ଆଜିର ଏହି ବୈଠକରେ ସଭାପତି ପୀତବାସ ପ୍ରଧାନ,ସମ୍ପାଦକ ସୁରେଶ ସେଠୀ,ଲକ୍ଷ୍ମୀଧର ସାହୁ,ସଂଗ୍ରାମ ସାହୁ, ପ୍ରଦୀପ ସାହୁଙ୍କ ସମେତ ବ୍ଲକରେ କାର୍ଯ୍ୟରତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.