ଜେଲ ଗଲେ ଏମପିସି କଲେଜର କୋଟିପତି ହେଡ କ୍ଲର୍କ 

0

ବାରିପଦା(ଦିଲ୍ଲୀପ ମହାନ୍ତି )- ଏମପିସି ସ୍ୱୟଂସାସିତ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ପ୍ରଭାକର ପରିଡା (୫୬) ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବେଳେ ସେ ବୁଧବାର ଜେଲ ଯାଇଛନ୍ତି | ବୁଧବାର ତାଙ୍କୁ  ଭିଜିଲାନ୍ସ କୋର୍ଟରେ  ହାଜର କରାଯାଇଥିଲା । ତାଙ୍କ ଓକିଲ ଜାମିନ ନିମନ୍ତେ ଆବେଦନ କରିଥିଲେ । ମାଜିଷ୍ଟେ୍ରଟ ଜାମିନକୁ ନାମାଞୁର କରାଇବା ସଂଗେସଂଗେ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ  । କିଛି ଦିନ ପୂର୍ବରୁ ମୁଖ୍ୟ କିରାଣୀ ଶ୍ରୀ ପରିଡାଙ୍କ ନାମରେ ଆୟ ବହିର୍ଭୁତ  ସମ୍ପତ୍ତି  ଠୁଳ କରିଥିବାର ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଗତ ମଙ୍ଗଳବାର  ବାଲେଶ୍ୱର ଏବଂ ବାରିପଦା ଭିଜିଲାନ୍ସ ବିଭାଗ ପକ୍ଷରୁ ଶ୍ରୀ ପରିଡାଙ୍କ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟ କାର୍ଯ୍ୟାଳୟ ସମେତ ତାଙ୍କର ବୈଶିଙ୍ଗାସ୍ଥିତ ନିଜସ୍ୱ ତିନି ମହଲା କୋଠା ଯାହା ଛଅ ହଜାର ବର୍ଗ ଫୁଟର ସୁନ୍ଦର ଅଟ୍ଟାଳିକା , ଖଣ୍ଡଦେଉଳିଆସ୍ଥିତ ଦଇୁମହଲା ପୈତୃକ ଘର ଏବଂ ଅନ୍ୟ ଏକ ନିର୍ମାଣାଧିନ ଘର ଉପରେ ଅତର୍କିତ ଚଢାଉ କରିବା ସହିତ ବାରିପଦାରେ ଥିବା ନିଜର ଏକ ବଡ ପ୍ଲଟ ଓ  ଭୂବନେଶ୍ୱର , ବୈଶିଙ୍ଗା ଆଦି ସ୍ଥାନରେ ଥିବା ମୋଟ ୨୬ ଗୋଟି ପ୍ଲଟକୁ ଜବତ କରିଥିଲେ । ଭିଜିଲାନ୍ସବିଭାଗ ପକ୍ଷରୁ ମୁଖ୍ୟ କିରାଣି ଶ୍ରୀ  ପରିଡାଙ୍କ ଆୟ,ବ୍ୟୟ ଆଦିକୁ ହିସାବ କରିବା ପରେ ମୋଟ ଏକ କୋଟି ଆଠ ଲକ୍ଷ ଆଠଶହ ପଚିଶ ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ  କରିଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ କୋର୍ଟରେ  ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି । ଯାହାକି ତାଙ୍କର ଆୟର ୨୦୮.୫୧ ପ୍ରତିଶତ । ତାଙ୍କ ସମ୍ପତ୍ତି ମଧ୍ୟରେ  ତିନିମହଲା ଘରର ମୂଲ୍ୟ ୬୧ ଲକ୍ଷ ୯୯ ହଜାର ୬୭୬ , ଏକମହଲା ଘରର ମୂଲ୍ୟ ୧ ଲକ୍ଷ ୩୧୮ ଟଙ୍କା , ନିର୍ମାଣାଧିନ ଘରର ମୂଲ୍ୟ ୩ ଲକ୍ଷ ୨୫ ହଜାର ୫୧୩ ଟଙ୍କାର ଉଲ୍ଲେଖ କରାଯାଇଅଛି । ସେହିପରି ବିଭିନ୍ନ ବ୍ୟାଙ୍କରେ ଥିବା ତାଙ୍କର ଜମାରାଶି , ବଣ୍ଡ , ସୁନା ଅଳଙ୍କାର ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଅଛି । ବାଲେଶ୍ୱର ଭିଜିଲାନ୍ସ ଏସପି ସୁନୀଲ କୁମାର ସେନାପତିଙ୍କ ନିର୍ଦ୍ଦେଶ  କ୍ରମେ ବାରିପଦା ଭିଜିଲାନ୍ସ ଡିଏସପି ଶରତ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଇନସପେକ୍ଟର ପ୍ରଦୀପ କୁମାର ସାମଲ, ସବିତା ବେହେରା , ଅନିରୁଦ୍ଧ ନାୟକ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି ।

 

Leave A Reply

Your email address will not be published.