ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ଅଧ୍ୟକ୍ଷା ଓ ସଭ୍ୟସଭ୍ୟା ପଦବୀ ଚୟନରେ ଜିଲ୍ଲାବାସୀଙ୍କୁ ଉପେକ୍ଷା କରା ଯାଇଥିବା ଅଭିଯୋଗ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ଅଧ୍ୟକ୍ଷ ଓ ସଭ୍ୟସଭ୍ୟା ପଦବୀ ଚୟନ ଓ ନିଯୁକ୍ତି ପ୍ରକ୍ରିୟାରେ ଚଞ୍ଚକତା କରାଯାଇ ଜିଲ୍ଲାବାସୀଙ୍କ ପ୍ରତି ଘୋର ଅନ୍ୟାୟ , ଉପେକ୍ଷା ଓ ଅବହେଳା କରାଯାଇଛି ବୋଲି ଜିଲ୍ଲାର ଆଶାୟୀ ପ୍ରାର୍ଥୀ ଓ ପାରଳାଖେମୁଣ୍ଡି ସହରର ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି।
ଏମାନେ ଏଭଳି ଚଞ୍ଚକତା ହୋଇଥିବା ବିରୋଧରେ ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଶ୍ରୀ ପ୍ରଦୀପ କୁମାର ନାୟକଙ୍କୁ ପ୍ରଦାନ କରିଛନ୍ତି।
ଅଭିଯୋଗକାରୀ ମାନଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଅଭିଯୋଗ କରି କହିଛନ୍ତି ଯେ , ଗତ ୮-୧୨-୨୦୨୨ ତାରିଖ ଦିନ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ଗଜପତି ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ସେହି ଜିଲ୍ଲାବାସୀଙ୍କୁ ହିଁ ସମ୍ପୃକ୍ତ ଜିଲ୍ଲାର ଶିଶୁ କଲ୍ୟାଣ ସମିତିରେ କାର୍ଯ୍ୟ କରିବା ପାଇଁ ମନୋନିତ କରାଯାଇଅଛି।
ପ୍ରକାଶ ଥାଉ କି ଗତ ୨୫-୮-୨୦୨୨ ତାରିଖ ଦିନ ଗଜପତି ଜିଲ୍ଲାର ଆବେଦନକାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଗଲା ପୁଣି ଗତ ୧-୧୦-୨୦୨୨ ଦିନ ଭୁବନେଶ୍ବର ସ୍ଥିତ ମିଶନ ଶକ୍ତି ଭବନକୁ ଗଜପତି ଜିଲ୍ଲାର ଆବେଦନ କାରୀଙ୍କୁ ଡକା ଯାଇଥିଲା। ଉକ୍ତ ଦୁଇ ଦିନ ଯେଉଁମାନେ ସମ୍ପ୍ରତି ଗଜପତି ଜିଲ୍ଲାର ଶିଶୁ କଲ୍ୟାଣ ସମିତିରେ ନୂତନ ଭାବେ ମନୋନୀତ ହୋଇଛନ୍ତି ସେମାନେ ଉପସ୍ଥିତ ନ ଥିଲେ।
ତେଣୁ ପ୍ରଶ୍ନ ଉଠୁଛି ଯେ , ସାର୍ଟିଫିକେଟ ଯାଞ୍ଚ ହୋଇ ପୁଣି ସାକ୍ଷାତକାରରେ ଯୋଗଦେଇଥିବା ଗଜପତି ଜିଲ୍ଲାର ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ନ ଦେବା ଏକ ଆଶ୍ଚର୍ଯ୍ୟର ବିଷୟ।
ତେଣୁ କୌଣସି ନା କୌଣସି କ୍ଷେତ୍ରରେ ଗଜପତି ଜିଲ୍ଲା ଆବେଦନକାରୀଙ୍କ ପାଇଁ ଷଡଯନ୍ତ୍ର କରାଯାଇଥିବା ଆଜିର ଜିଲ୍ଲା ପ୍ରଶାସନଙ୍କ ଦ୍ବାରସ୍ଥ ହୋଇଥିବା ଆବେଦନକାରୀ ଓ ବୁଦ୍ଧିଜୀବି ମାନେ ଦୁଖ ପ୍ରକାଶ କରିବା ସହିତ ତୀବ୍ର ନିନ୍ଦା କରି ଲିଖିତ ଭାବେ ଅଭିଯୋଗ କରିଜଣାଇଛନ୍ତି।
ଏମାନେ ହେଲେ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ବିନୋଦ ଚନ୍ଦ୍ର ଜେନା , ନାଗେଶ୍ବର ଚୌଧୁରୀ , ଭାଗବତ ପାଢୀ , ଆଶାଲତା ପାଣିଗ୍ରାହୀ , ଗୌରୀ ଦେବୀ , ହରିଶ୍ଚନ୍ଦ୍ର ନାୟକ , ଲିଙ୍ଗରାଜ ପାଣିଗ୍ରାହୀ , ଜଗଦୀଶ ଚନ୍ଦ୍ର ମହାପାତ୍ର , ସୁରେଶ ଦାସ ପ୍ରମୁଖ। ଏହି ନୂତନ ନିଯୁକ୍ତିକୁ ସଂପୂର୍ଣ୍ଣ ରୂପେ ବାତିଲ କରାଇବା ପାଇଁ ଜିଲ୍ଲାପାଳ ମହୋଦୟଙ୍କୁ ନିବେଦନ କରିଛନ୍ତି।