ଜନ୍ମାଷ୍ଟମୀ ଓ ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସପାଳିତ

0

ଭଦ୍ରକ,(ସତ୍ୟ ଭୂଷଣ ସ୍ୱାମୀ) : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା  ଦିବସ ଏବଂ ପରମ ପୂଜନୀୟ ସନ୍ଥ ସ୍ୱାମୀ ଲଷ୍ମଣାନନ୍ଦ ସରସ୍ୱତୀଙ୍କର ବଳିଦାନ ଦିବସ ନୂଆବଜାର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ପାଳିତ ହୋଇଅଛି । ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଦୁର୍ଗାବାହିନୀ ରାଷ୍ଟ୍ରୀୟ ସଂଯୋଜିକା ସୁଶ୍ରୀ ପ୍ରଜ୍ଞା ପରମିତା ମହଲା ଯୋଗ ଦେଇ କହିଥିଲେ ଯେ, ପରିଷଦ ସମଗ୍ର ରାଷ୍ଟ୍ର ଏବଂ ସନାତନ ଧର୍ମ ପ୍ରତି ସମର୍ପିତ । ରାଷ୍ଟ୍ରର ସୁରକ୍ଷା, ଗୋ-ମାତାର ସୁରକ୍ଷା, ନାରୀ ଜାତିର ସ୍ୱାଭିମାନ ଓ ସୁରକ୍ଷା ପାଇଁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ନିଜକୁ ଉତ୍ସର୍ଗ କରିଆସୁଛନ୍ତି । ଜନ୍ମାଷ୍ଟମୀ ତିଥିରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା  ହେବା ସମଗ୍ର ହିନ୍ଦୁ ସମାଜ ପାଇଁ ଏକ ଗୌରବର କଥା । ପରିଷଦର କାର୍ଯ୍ୟକର୍ତ୍ତାମାନେ ରାଷ୍ଟ୍ର ଓ ଧର୍ମ ପାଇଁ ନିଜକୁ ତ୍ୟାଗ ଓ ବଳିଦାନ ଦେବାର ସଂକଳ୍ପ ନେବା ଉଚିତ ବୋଲି ମତ ପ୍ରକଟ କରିଥିଲେ । ସମ୍ମାନିତ ଅତିଥି ଭାବରେ ବଜରଙ୍ଗ ଦଳ ରାଜ୍ୟ ସଂଯୋଜକ ମାନସ ମହାନ୍ତି ନିଜର ବକ୍ତବ୍ୟରେ କହିଥିଲେ । ଆଜିର ସାମ୍ପ୍ରତିକ ସ୍ଥିତିରେ ରାଷ୍ଟ୍ର ପାଇଁ ଆମର କର୍ତ୍ତବ୍ୟ ବଢି ଯାଇଛି । ଦିନକୁ ଦିନ ହିନ୍ଦୁ ସନାତନ ଧର୍ମ ଉପରେ କୌଣସି ନା କୌଣସି ସ୍ଥାନରେ ଆକ୍ରମଣ ହେଉଛି । ହିନ୍ଦୁ ପଳାୟନ କରିବାକୁ ବାଧ୍ୟ ହେଉଛି । ଏହା ସମଗ୍ର ରାଷ୍ଟ୍ର ପାଇଁ ଚିନ୍ତାର ବିଷୟ । ହିନ୍ଦୁ ସମାଜର ସୁରକ୍ଷା ଓ ସ୍ୱାଭିମାନ ପାଇଁ ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ଏହାର ବିରୋଧ କରିବା ଉଚିତ । ଆଗାମୀ ଦିନରେ ବଜରଙ୍ଗ ଦଳ ସମଗ୍ର ରାଷ୍ଟ୍ର ବ୍ୟାପୀ ହିନ୍ଦୁ ଜନ ଜାଗରଣ ସମାବେଶ କରିବାକୁ ଯାଉଛି ବୋଲି ଶ୍ରୀ ମହାନ୍ତି କହିଥିଲେ । ପରିଷଦ ପକ୍ଷରୁ ହେବାକୁ ଥିବା ନଗର ସଂକୀର୍ତ୍ତନକୁ ଜିଲ୍ଲା ପ୍ରଶାସନ ଅନୁମତି ନ ଦେବା ନେଇ ଅତିଥି ଏବଂ ସଦସ୍ୟ ସଦସ୍ୟାମାନେ କ୍ଷୋଭ ପ୍ରକଟ କରିବା ସହିତ ପ୍ରଶାସନର ଏଭଳି କାର୍ଯ୍ୟକୁ ଘୋର ନିନ୍ଦା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଳା ସଭାପତି ବିଜୟ ସିନ୍ହା, ସଂପାଦକ କାହ୍ନୁ ସିଂ, ଦୁର୍ଗାବାହିନୀ ରାଜ୍ୟ ସହ ସଂଯୋଜକ ସୀପ୍ରା ରାଉତ ଏବଂ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପୁରଜିତ ମୁନି ମଞ୍ଚାଶୀନ ଥିଲେ । ଦୀର୍ଘ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ଲକ୍ଷ୍ମଣାନନ୍ଦଙ୍କର ହତ୍ୟାକାରୀଙ୍କୁ ଧରିବାରେ ରାଜ୍ୟ ସରକାର ବିଫଳ ହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ସ୍ୱାଧୀନ ସୁନ୍ଦର ଦାସ, ଦେବାଶିଷ ଗ୍ରହାଚାର୍ଯ୍ୟ, ଧନଞ୍ଜୟ ପଣ୍ଡା, ହିମାଂଶୁ ପଣ୍ଡା, ସୁବ୍ରତ ନାୟକ, ସୁଶାନ୍ତ ଯେନା, ମାନସ ବାରିକ, ମୟୁରେଶ ପାଢୀ, ବାପୁନ ମହାପାତ୍ର, ବାପି ବେହେରା, ଚନ୍ଦ୍ର ଶେଶଖର ରାଉତ, ରଥ କିଶୋର ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଜନ୍ମାଷ୍ଟମୀ ଉପଲକ୍ଷେ ପରିଷଦ ତରଫରୁ ଗାନ୍ଧିପଡିଆ ଯଜ୍ଞ ମଣ୍ଡପରେ  ଯଜ୍ଞ ଓ ସଂକୀର୍ତ୍ତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ବରିଷ୍ଠ  କାର୍ଯ୍ୟକର୍ତ୍ତା କୈଳାସ ଦାସ ଏବଂ ଶ୍ରୀକାନ୍ତ ଲେଙ୍କା ପରିଚାଳନା କରିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ନିରଞ୍ଜନ ସାହୁ, ବିଜୟ ଭୂଷଣ ସାହୁ, ହରେକୃଷ୍ଣ ଯେନା, ଅଜିତ ଭୋଇ, ରୋହିତ ଜେନା, ଅମରେଶ ଜେନା, ସରୋଜିନୀ ଦାସ, ସୀତା ମାରାଣ୍ଡିଙ୍କ ସହ ଅନେକ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ମହିଳା ଯୋଗ ଦେଇଥିଲେ । 

Leave A Reply

Your email address will not be published.