ଉତ୍ତର ଘୁମୁସର ବନଖଣ୍ଡରେ ଦୁଇ ଦନ୍ତା ହାତୀ ମୃତ୍ୟୁ ଘଟଣା ; ୪ କର୍ମଚାରୀ ନିଲମ୍ବିତ

0

ଭଞ୍ଜନଗର/ନିଲୁ ବିଷୋୟୀ:  ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ଗତ ୧୫ ଦିନ ମଧ୍ୟରେ ଦୁଇଟି ଦନ୍ତା ହାତୀର ମୃତ୍ୟୁ ଘଟଣା ସମଗ୍ର ବନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଥିବା ବେଳେ ତାହା ମୂଲ୍ୟହୀନ ହୋଇପଡ଼ିଛି।ଏହି ଘଟଣା ପରେ ବନ ବିଭାଗ ବର୍ତ୍ତମାନ ଆକ୍ସନ ମୂଡ଼କୁ ଆସିଛି। ଗତ ୭ ତାରିଖରେ ମୁଜାଗଡ଼ ରେଞ୍ଜ କାନ ବିନ୍ଧା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀ ଶିକାର କରି ଦାନ୍ତ ଲୁଟ ଘଟଣା ରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି ବନ ବିଭାଗ କୋର୍ଟ ଚାଲାଣ କରିଥିବା ବେଳେ ବିଭାଗୀୟ କର୍ମଚାରୀ ମାନଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୁକ୍ତ ଅଞ୍ଚଳର ବନପାଳ ସୁକାନ୍ତ କୁମାର ନାୟକ ଓ ବନରକ୍ଷୀ ଶ୍ରୀମନ ପ୍ରଧାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏଥି ସହିତ ଜଗନ୍ନାଥ ପ୍ରସାଦ ରେଞ୍ଜର କନ୍ଧ ନୂଆପଲି କାଜୁ ତୋଟା ରେ ଗତ ବୁଧବାର ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ଶିକାରୀ ମାନେ ଦନ୍ତାର ଏକ ଦାନ୍ତ କାଟି ନେଇଥିବା ବେଳେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏହି ଘଟଣାରେ ବନବିଭାଗ ପକ୍ଷରୁ ସମ୍ପୁକ୍ତ ଅଞ୍ଚଳର ବନପାଳ ସୁରଭି ତ୍ରିପାଠୀ ଓ ବନରକ୍ଷୀ ଧନୁର୍ଦ୍ଧର ବେହେରା ଙ୍କୁ କାଯ୍ୟରୁ ନିଲମ୍ବିତ କରାଯାଇଛି।ଆଗାମୀ ଦିନରେ ଯଦି ସତର୍କତା ଅବଲମ୍ବନ କରା ନଯାଏ ତାହେଲେ ଉତ୍ତର ଘୁମୁସର ବନଖଣ୍ଡ ନିଜର ସ୍ଥିତି ହରାଇବ ଏଥିରେ ସନ୍ଦେହ ନାହିଁ।

Leave A Reply

Your email address will not be published.