ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଭକ୍ତି ସଂଗୀତ ସଂସଦ ମିଳିତ ସହଯୋଗରେ କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୩୯ ତମ ଜୟନ୍ତୀ ପାଳିତ

0

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳଖେମୁଣ୍ଡିର ଗୌରବ ଓ ଗର୍ବ ତଥା ଗୌଡ଼ିୟ ପରମ୍ପରାର ବରିଷ୍ଟ କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୩୯ ତମ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଭକ୍ତି ସଂଗୀତ ସଂସଦ ମିଳିତ ସହଯୋଗରେ ସ୍ଥାନୀୟ ନଗର ଭାବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏକାଡେମୀର ଉପସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ।
କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ପାରଳା ତଥା ଓଡିଶାର ଗର୍ବ ଓ ଗୌରବ ରୀତି ଯୁଗର ଶ୍ରେଷ୍ଠ କବି କଳହଂସ ଭକ୍ତକବି ଗୋପାଳକୃଷ୍ଣ ପଟ୍ଟନାୟକ ତାଙ୍କର ସାରସ୍ୱତ କୃତି ଓ ପଦ୍ୟାବଳୀ ପାଇଁ ଯୁଗେ ଯୁଗେ କାଳଜୟୀ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଠ ସାହିତ୍ୟିକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଭକ୍ତି ସଂଗୀତ ସଂସଦର ସଭାପତି ଶ୍ରୀ ବସନ୍ତ ଦାସ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଭକ୍ତକବି ଗୋପାଳକୃଷ୍ଣଙ୍କ ପଦ୍ୟାବଳୀ କୃତି ଓ ଗୌଡିୟ ବୈଷ୍ଣବ ପରମ୍ପରା ଉପରେ ଆଲୋଚନା କରିଥିଲେ।
ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ସଂସଦର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ଅଥିତି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ଗୁରୁ ସୁଶ୍ରୀ ଡି. ପ୍ରିୟଙ୍କା ଚିତ୍ତାକର୍ଷକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।
ପରେ ବିଶିଷ୍ଠ ଓଡିଶୀ ସଙ୍ଗୀତଜ୍ଞ ଗୁରୁ ରଘୁନାଥ ପାତ୍ର ଓ ତାଙ୍କ ସାଥୀ ଭକ୍ତକବି ଗୋପାଳକୃଷ୍ଣଙ୍କ ରଚନା ପଦ୍ୟାବଳୀରୁ ସଂଗୀତ ପରିବେଷଣ କରିଥିଲେ l
ସମସ୍ତ କାର୍ଯ୍ୟକ୍ରମକୁ ସଂସଦର ସଂଗଠନ ସମ୍ପାଦକ ଶ୍ରୀ ରାଜେନ୍ଦ୍ର ରଥଙ୍କ ସମେତ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଓ ଗିରିଶ ରଥ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।

Leave A Reply

Your email address will not be published.