ଭୁବନେଶ୍ୱର ଠାରେ ‘ରଜ ଉତ୍ସବ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

11

ଭୁବନେଶ୍ୱର– କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭୁବନେଶ୍ୱର ମଞ୍ଚେଶ୍ୱର ଠାରେ ଉତ୍ତର ଭୁବନେଶ୍ୱର ଅନନ୍ୟ ମଞ୍ଚ ପକ୍ଷରୁ ଆୟୋଜିତ ରଜ ଉତ୍ସବରେ ଯୋଗଦେଇ ଏହି ଗଣପର୍ବ ରାଜ୍ୟବାସୀଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ ବୋଲି କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ରହିଲି ରଜରେ ସବୁଠି ପିଠା ପଣା, ଦୋଳି ଖେଳର ଆସର ଜମିଛି । ବିଶେଷ ଭାବରେ କୁଆଁରୀ ଓ ମହିଳାମାନେ ରଜ ପର୍ବକୁ ଆଗ୍ରହ ସହକାରେ ପାଳନ କରୁଛନ୍ତି । ମହାପ୍ରଭୁଙ୍କ ରାଜ୍ୟରେ ରଜ ପର୍ବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଆଜିର ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାର ଦିନ ହୋଇଥିବାରୁ ଆଜିର ଦିବସ ହିନ୍ଦୁ ଧର୍ମାବଲମ୍ବୀ ଏବଂ ଓଡ଼ିଆଙ୍କ ପାଇଁ ଉତ୍ସାହର ଦିନ । ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତେ ସମ୍ପନ୍ନ, ସମୃଦ୍ଧଶାଳୀ ହୁଅନ୍ତୁ ଏବଂ ସମସ୍ତଙ୍କ ଜୀବନରେ ଆନନ୍ଦ, ଉଲ୍ଲାସ ଆଣିଦେଉ ଏବଂ ଆମ ଦେଶ ଓ ରାଜ୍ୟ ପ୍ରଗତି ପଥରେ ଆଗକୁ ବଢ଼ୁ ବୋଲି ସେ କହିଛନ୍ତି ।
ଆମ ଓଡ଼ିଆ ଜାତି କେତେ ମହାନ ଥିଲା ତାହା ବର୍ତ୍ତମାନ ସମୟରେ ଜଣାପଡ଼ୁଛି । ନିକଟରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ପ୍ରାୟ 2 ହଜାର ବର୍ଷ ତଳ ପ୍ରାଚୀନ ସଭ୍ୟତାର ସନ୍ଧାନ ସହ ବୈଜ୍ଞାନିକ ପ୍ରମାଣ ମିଳିଛି । ସେହିପରି ପୁରୀ ଓ ଲିଙ୍ଗରାଜ ମନ୍ଦିରରେ ଖନନ କାର୍ଯ୍ୟ ବେଳେ ଅନେକ ପ୍ରାଚୀନ ମନ୍ଦିର ମୂର୍ତ୍ତି, ଭଗ୍ନାବଶେଷ ଦେଖିବାକୁ ମିଳୁଛି । ନୟାଗଡ଼ ମହାନଦୀର ଅବବାହିକାରେ ମଧ୍ୟ ପ୍ରାଚୀନ ମନ୍ଦିର ଠାବ ହେଉଛି । ଭୁବନେଶ୍ୱର, ପୁରୀ କିମ୍ବା ରାଜ୍ୟର ସବୁ ପ୍ରାନ୍ତରୁ ମିଳିଥିବା ଭଗ୍ନାବଶେଷରୁ ଆମ ସଭ୍ୟତା କେତେ ଜୀବନ୍ତ ଥିଲା ତାହା ପ୍ରମାଣିତ କରୁଛି । ଲୋକସ୍ମୃତି ବିଷୟବସ୍ତୁ ଗୁଡ଼ିକର ଆଜି ବୈଜ୍ଞାନିକ ପ୍ରମାଣ ମିଳୁଛି, ଯାହା ଆମ ସମାଜର ଐତିହାସିକ ସମ୍ପନ୍ନତାକୁ ଦର୍ଶାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.