ସୁନ୍ଦରଗଡ଼/ରାଉରକେଲା,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ବ୍ଲକଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ ଉପସ୍ଥିତ ରହି ବିଶ୍ରା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଜନସାଧାରଣଙ୍କ ସମସ୍ୟା, ଅଭିଯୋଗ ଆଦି ଶୁଣାଣି କରିଥିଲେ।
ଏହି ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମରେ ୧୪ଟି ପଞ୍ଚାୟତର ଜନସାଧାରଣ ଉପସ୍ଥିତ ରହି ବ୍ୟକ୍ତିଗତ ଏବଂ ସାମୁହିକ ସମସ୍ୟା ଉପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ଭିତରେ ପକ୍କା ଘର, ରାସ୍ତା, ଡ୍ରେନ, ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା, ଜମିଜମା ବିବାଦ, ରାସନ କାର୍ଡ, ସ୍ୱାସ୍ଥ୍ୟ, ଗ୍ରାମ୍ୟ ରାସ୍ତା, ଶୌଚାଳୟ, ପୋଖରୀ ପୁନରୁଦ୍ଧାର, ଅଙ୍ଗନବାଡି, ସ୍କୁଲ ସମସ୍ୟା ଆଦି ସମ୍ପର୍କରେ ଅଭିଯୋଗ କରିଥିଲେ। ତା’ଛଡ଼ା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପାଇବା ପାଇଁ ଦୁଇଟି ଅଭିଯୋଗ ଆସିଥିଲା।
ଏହି ଅବସରରେ ୩ ଜଣଙ୍କୁ ଭତ୍ତା, ଜାତୀୟ ପରିବାର ମଙ୍ଗଳ ଯୋଜନା ମାଧ୍ୟମରେ ଜଣଙ୍କୁ ୨୦ ହଜ଼ାର ଟଙ୍କାର ସହାୟତା ରାଶି, ଜଣଙ୍କୁ ଭିନ୍ନକ୍ଷମ କାର୍ଡ ବଣ୍ଟନ କରାଯାଇଥିଲା। ସେହିପରି ସନ୍ତୋଷପୁର ଗ୍ରାମପଞ୍ଚାୟତର ଜରାଟୋଲି ଗ୍ରାମର ମାଦ୍ରା ଏକ୍କାଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା।
ଏହି ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ବିଶ୍ରା ବ୍ଲକ ଅଧ୍ୟକ୍ଷା ଫୁଲମଣି କେରକେଟା, ପାନପୋଷ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜିନୀ ପ୍ରସନ୍ନ କୁଲୁ, ଡେପୁଟି କଲେକ୍ଟର (ଆପାତକାଳୀନ) କୁନ୍ତୀରାଣୀ ନାୟକ, ବିଶ୍ରା ବ୍ଲକ ବିଡିଓ ଜନ୍ମେଜୟ ବେହେରା ଏବଂ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
ଏହି ଅବସରରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପଟେଲ ବିଶ୍ରା ବ୍ଲକ କାର୍ଯ୍ୟାଳୟ ପରିସରରେ ନିର୍ମିତ ନୂତନ ପଞ୍ଚାୟତ ସମିତି କାର୍ଯ୍ୟାଳୟର ଉଦଘାଟନ କରିଥିଲେ। ସେହିପରି ବନ୍ଧମୁଣ୍ଡାଠାରେ ନିର୍ମିତ ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର କୋଠା ଉଦଘାଟନ କରିଥିଲେ। ଏହାସହ ବଡ଼ବମ୍ବୁଆ ଓ ବିଶ୍ରା ଗ୍ରାମପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଦୁଇ ଜଣ ସଦସ୍ୟାଙ୍କୁ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା ଅଧୀନରେ ଅଟୋ ରିକ୍ସା ଚଳାଇବା ନିମନ୍ତେ ଋଣ ପ୍ରଦାନ କରାଯାଇଥିଲା। ଏହାର ଶୁଭାରମ୍ଭ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post