- ହନୁମାନ ଛକରୁ କଲେଜ ରୋଡ଼ ଯାଏଁ ଗାଈଗୋରୁଙ୍କ ଆଡ଼ା, ନିଇତି ଘଟୁଛି ଦୁର୍ଘଟଣା
- ଗୋପାଳକଙ୍କ ଦାୟିତ୍ୱହୀନତା, ପ୍ରଶାସନର ନିରବତାକୁ ନେଇ ଅସନ୍ତୋଷ
ଓଡ଼ଗାଁ, ୭।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଦେଇ ଅତିକ୍ରମ କରିଥିବା ବ୍ୟସ୍ତବହୁଳ ନୟାଗଡ଼-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥର ହନୁମାନ ଛକଠାରୁ କଲେଜ ରୋଡ଼ ପର୍ଯ୍ୟନ୍ତ ଏବେ ଗୋଶାଳାର ଭ୍ରମ ସୃଷ୍ଟି କରୁଛି। କେବଳ ଏହି ରାସ୍ତା ନୁହେଁ, ଓଡ଼ଗାଁ ଲକ୍ଷ୍ମୀ ବଜାର, ହନୁମାନ ଛକ, ସିନେମା ହଲ୍ ଛକ, ଚୁଡ଼ାମିଲ୍ ବସ୍ଷ୍ଟାଣ୍ଡ ଓ ମନ୍ଦିର ରୋଡ଼ ଆଦି ସ୍ଥାନରେ ଗାଈଗୋରୁଙ୍କ ଅବାଧ ବିଚରଣ ଯୋଗୁଁ ସହରର ଅବସ୍ଥା ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ଗାଈଗୋରୁଙ୍କ ପଲ ଦୀର୍ଘ ସମୟ ଧରି ବସି ରହୁଥିବାରୁ ଯାତାୟାତରେ ଗୁରୁତର ବାଧା ସୃଷ୍ଟି ହେଉଛି। ଏଥିସହ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନିର ଆଶଙ୍କା ବଢ଼ାଉଛି। ଦୁର୍ଘଟଣାରେ ମଣିଷ ଆହତ ହୋଇ ଡାକ୍ତରଖାନାରେ ପହଞ୍ଚୁଥିବା ବେଳେ ଗାଈଗୋରୁ ମଧ୍ୟ ଆହତ ଓ ଗୁରୁତର ହେଉଛନ୍ତି। ଦୁର୍ଭାଗ୍ୟର ବିଷୟ, ଅନେକ କ୍ଷେତ୍ରରେ ଗାଈଗୋରୁଙ୍କ ମାଲିକମାନେ ନିଜର ଦାୟିତ୍ୱ ଏଡ଼ାଇ ଚାଲିଯାଉଥିବା ଅଭିଯୋଗ ହେଉଛି। ଗାଈମାଲିକମାନେ ନିର୍ଦ୍ଦିଷ୍ଟ ସମୟରେ ଗାଈଙ୍କଠାରୁ କ୍ଷୀର ସଂଗ୍ରହ କରି ନିଜର ଆର୍ଥିକ ଲାଭ ହାସଲ କରୁଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କୁ ରାସ୍ତା ଉପରେ ଖୋଲାରେ ଛାଡ଼ି ଦେଉଛନ୍ତି। ବିଶେଷକରି ଅଣ୍ଡିରା ବାଛୁରୀ କ୍ଷୀର ଛାଡ଼ିବା ପରେ ବଡ଼ ହେବା ପର୍ଯ୍ୟନ୍ତ ଅନେକ ମାଲିକ ସେମାନଙ୍କୁ ଅବହେଳା କରି ବଜାର ଓ ରାସ୍ତାଘାଟରେ ଛାଡ଼ି ଦେଉଛନ୍ତି। ଫଳରେ ଅଣ୍ଡିରା ବାଛୁରୀ ଓ ଷଣ୍ଢମାନେ ଅଧିକ ଦୁର୍ଘଟଣାର ଶିକାର ହେଉଥିବା ଦେଖାଯାଉଛି। ଦୁର୍ଘଟଣାରେ ଆହତ ଗାଈଗୋରୁଙ୍କ ଅବସ୍ଥା ଆହୁରି ଦୟନୀୟ। ସେମାନେ ନିଜର ଯନ୍ତ୍ରଣା ପ୍ରକାଶ କରିପାରୁ ନ ଥିବା ବେଳେ ଅନେକ ସମୟରେ ମାଲିକମାନେ ମଧ୍ୟ ଦାୟିତ୍ୱ ନେବାକୁ ଆଗେଇ ଆସୁନାହାନ୍ତି। ଏପରି ସ୍ଥିତିରେ କିଛି ଗୋସେବକ ଆହତ ଗାଈଗୋରୁଙ୍କ ପାଇଁ ଦେବଦୂତ ସାଜୁଛନ୍ତି। ସେମାନଙ୍କ ଦୟନୀୟ ଅବସ୍ଥା ଦେଖି ଗୋସେବକମାନେ ନିଜ ଉଦ୍ୟମରେ ଚିକିତ୍ସା ଓ ସେବାଯତ୍ନର ବ୍ୟବସ୍ଥା କରୁଛନ୍ତି। ଏହି ଉଦ୍ୟମରେ କେତେକ ଗାଈଗୋରୁ ସୁସ୍ଥ ହୋଇଯାଉଥିବା ବେଳେ ଅତ୍ୟଧିକ ଗୁରୁତର ଥିବା ଅନେକଙ୍କ ପାଇଁ ଓଡ଼ଗାଁରେ ଉପଯୁକ୍ତ ଚିକିତ୍ସା ସୁବିଧା ନ ଥିବାରୁ ସେମାନଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରୁନାହିଁ। ଏଥିପାଇଁ ଗୋସେବକମାନଙ୍କୁ ନିଜସ୍ୱ ଖର୍ଚ୍ଚରେ ଚିକିତ୍ସା ସହ ଦୀର୍ଘଦିନ ଧରି ଶ୍ରମଦାନ କରିବାକୁ ପଡ଼ୁଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଓଡ଼ଗାଁରେ ଏକ ଗୋଶାଳା ନିର୍ମାଣ ପାଇଁ ପୂର୍ବରୁ ଉଦ୍ୟମ ହୋଇଥିଲେ ମଧ୍ୟ ଏଯାଏଁ ତାହାର କୌଣସି ଦୃଶ୍ୟମାନ ସଫଳତା ମିଳିନାହିଁ। ଅନ୍ୟପକ୍ଷରେ ଏନ୍ଏସି କର୍ମଚାରୀମାନେ କେବେକେବେ ରାସ୍ତାରୁ ଗାଈଗୋରୁଙ୍କୁ ଘଉଡ଼ାଇ ଦେଉଥିଲେ ମଧ୍ୟ କିଛି ସମୟ ପରେ ପୁଣି ପୂର୍ବାବସ୍ଥା ଫେରି ଆସୁଛି। ଏପରିକି ବିଭିନ୍ନ ଜନସଚେତନତା ଓ ପ୍ରଚାର କାର୍ଯ୍ୟକ୍ରମରେ ପ୍ରଶାସନ ସକ୍ରିୟତା ଦେଖାଉଥିବା ବେଳେ ସହରର ଏହି ଗୁରୁତର ସମସ୍ୟା ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଉ ନ ଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ତେଣୁ ଗାଈଗୋରୁଙ୍କୁ ରାସ୍ତାରେ ଛାଡ଼ୁଥିବା ମାଲିକମାନଙ୍କ ଉପରେ ନିୟମ ଅନୁଯାୟୀ ଦାୟିତ୍ୱ ନିର୍ଦ୍ଧାରଣ, ନିୟମିତ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ଗୋଶାଳା ନିର୍ମାଣ ଭଳି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଓଡ଼ଗାଁ ଏନ୍ଏସି ପ୍ରଶାସନ ଏହି ସମସ୍ୟାର ସ୍ଥାୟୀ ସମାଧାନ କେବେ କରୁଛି, ତାହାକୁ ଅପେକ୍ଷା କରିଛନ୍ତି ସହରବାସୀ।