ଜଗନ୍ନାଥ ପ୍ରସାଦ ବ୍ଲକ ଅଧ୍ୟକ୍ଷା ଙ୍କ ସ୍ବାମୀଙ୍କ ସନ୍ଦେହ ଜନକ ମୃତ୍ୟୁ

0

ଭଞ୍ଜନଗର / ନିଲୁ ବିଷୋୟୀ: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁଙ୍କ ସ୍ବାମୀ ତଥା ଯୁବ ବିଜେଡି ନେତା ହିମାଂଶୁ ଶେଖର ବାରିକଙ୍କ ଗୁରୁବାର ବିଳମ୍ବିତ ରାତିରେ ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କର କେଉଁଭଳି ପରିସ୍ଥିତିରେ ମୃତ୍ୟୁ ଘଟିଛି ତାହା ସଠିକ୍‌ ଭାବେ ଜଣାପଡ଼ିନାହିଁ। ହିମାଂଶୁଙ୍କ ମୃତ୍ୟୁକୁ ନେଇ ନାନା ଆଲୋଚନା ହେଉଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିବ।
ଭଞ୍ଜନଗର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଖବର ପ୍ରଚାରିତ ପରେ ଭଞ୍ଜନଗର ନିର୍ବାଚନମଣ୍ଡଳିରେ ଶୋକର ଛାୟା ଖେଳିଯାଇଛି। ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅକାଳ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ବ୍ଲକ ବିଜେଡି ସଭାପତି ମୋହନ ପ୍ରଧାନଙ୍କ ଏକାଦଶାହ କାର୍ଯ୍ୟକ୍ରମ ଜଗନ୍ନାଥପ୍ରସାଦ କଲେଜ ପଡ଼ିଆରେ ଆୟୋଜନ ହୋଇଥିବା ଯୋଗୁ ଉକ୍ତ କାର୍ଯ୍ୟ ତଦାରଖ କରିବାକୁ ହିମାଂଶୁ ଗୁରୁବାର ସନ୍ଧ୍ୟାରେ କଲେଜ ପଡ଼ିଆକୁ ଯାଇଥିଲେ। ସେଠାରୁ ଗଣ୍ଡାଧାର ଯାଇଥିଲେ ଦଣ୍ଡନାଚ ଭୋଜି ଖାଇବାକୁ। ସେଠାରେ ଭୋଜି ଖାଇ ରାତି ୧୦ଟାରେ ହିମାଂଶୁ ନିଜ ଗ୍ରାମ ବରଗା ଘରକୁ ଫେରିଥିଲେ। ରାତି ପ୍ରାୟ ୧୦ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଘର ସମ୍ମୁଖରେ ବିଭିନ୍ନ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ରାତିରେ ଶୋଇଥିବା ସମୟରେ ରାତି ପ୍ରାୟ ସାଢ଼େ ଗୋଟାଏରେ ହିମାଂଶୁ ଗୁରୁତର ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ଆଣିଥିଲେ। ମେଡିକାଲରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ବିଷକ୍ରିୟା ଯୋଗୁ ହିମାଂଶୁଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.