ପୁରୀ(ଅନିମେଶ ପଟ୍ଟନାୟକ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ହେଉଛି ଆଧ୍ୟାତ୍ମର ପ୍ରାଣକେନ୍ଦ୍ର । ବିଶ୍ୱାସ ରହିଛି, ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ହେଲେ ମନୁଷ୍ୟର ମୋକ୍ଷ ପ୍ରାପ୍ତି ହୋଇଥାଏ । ସେଇଥିପାଇଁ ତ ଅନେକ ନିଜର ମୃତ୍ୟୁ ପରେ ତାଙ୍କର ଶବକୁ ପୁରୀ ସ୍ୱର୍ଗଦ୍ୱାରରେ ସଂସ୍କାର କରିବା ପାଇଁ ଅଭିଳାଷ ରଖିଥାନ୍ତି । ପୁରୀର ଏହି ସ୍ୱର୍ଗଦ୍ୱାର ପାଖରେ ଜିଲ୍ଲା ପ୍ରଶାସନ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏକ ଶୁଦ୍ଧ ନିରାମିଷ କାଫେଟେରିଆ ଖୋଲିବାକୁ ନିଷ୍ପତ୍ତି ନେଇଛି । ପବିତ୍ର ଉତ୍କଳ ଦିବସ ଅବସରରେ ଏହି ଶୁଦ୍ଧ ନିରାମିଷ କାଫେଟେରିଆକୁ ଆଜି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି । ସମୁଦ୍ର ବେଳାଭୂମି ବୁଲି ଆସୁଥିବା ଲୋକମାନେ ଏହି କାଫେଟେରିଆରେ ଜଳପାନ କରିବାର ସୁଯୋଗ ନେଇ ପାରିବେ। ସେହିପରି ନିଜ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର ପାଇଁ ସ୍ୱର୍ଗଦ୍ୱାର ଆସୁଥିବା ଲୋକମାନେ ମଧ୍ୟ ଏହି କାଫେଟେରିଆ ଦ୍ୱାରା ବିଶେଷ ଭାବେ ଉପକୃତ ହୋଇପାରିବେ ।
ଏହି ଅବସରରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଥିଲେ ଯେ, ଆଜି ଏହି କାଫେଟେରିଆକୁ ମିଶାଇଲେ ଶ୍ରୀଜଗନ୍ନାଥ ଧାମ ପୁରୀ ସହରରେ ଓଟିଡିସି ନିଜର ଚତୁର୍ଥ ୟୁନିଟ୍ ଖୋଲିବାରେ ସକ୍ଷମ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ପୁରୀ ସହରରେ ସୌନ୍ଦର୍ଯ୍ୟକରଣର ନୂଆ ଯୁଗ ଆରମ୍ଭ ହୋଇଛି ତଥା ‘ସ୍ୱର୍ଗଦ୍ୱାର’ର ପୁନଃନିର୍ମାଣ କାର୍ଯ୍ୟ ସମ୍ପାଦିତ ହୋଇସାରିଛି । ସ୍ୱର୍ଗଦ୍ୱାର ନିକଟରେ କାଫେଟେରିଆ ଖୋଲିବା ପାଇଁ ଜମି ଯୋଗାଇ ଦେଇଥିବାରୁ ପୁରୀ ଜିଲ୍ଲା ପ୍ରଶାସନକୁ ମଧ୍ୟ ସାଧୁବାଦ ଜଣାଉଛି । ଏହି ‘କାଫେଟେରିଆ’ର କର୍ମଚାରୀମାନେ ଅଧିକ ସମ୍ବେଦନଶୀଳ ଓ ସେବା ମନୋଭାବ ଦେଖାଇବେ ବୋଲି ଆଶା କରୁଛି ।ଏଠାରେ ସୁଲଭ ଦରରେ ଶୁଦ୍ଧ ନିରାମିଷ ଜଳପାନର ସୁବିଧା ମିଳିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଗତ କିଛିବର୍ଷ ଧରି ଓଟିଡିସି ନିଜର ଭିତ୍ତିଭୂମିକୁ ସୁଦୃଢ଼ ଓ ନବୀକରଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ଆସୁଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଓଡ଼ିଶାକୁ 2022 ମସିହାର ଶ୍ରେଷ୍ଠ ତୀର୍ଥଯାତ୍ରୀ ରାଜ୍ୟ ଭାବେ ‘ସଫାରୀ ଇଣ୍ଡିଆ ସାଉଥ୍ ଏସିଆ ଟ୍ରାଭେଲ ଆଓ୍ବାର୍ଡସ ୨୦୨୨ ‘ ପୁରସ୍କାର ମିଳିପାରିଛି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।
ସେହିପରି ଓଟିଡିସି ଜେନେରାଲ ମ୍ୟାନେଜର ଶ୍ରୀ ଶାନ୍ତନୁ ମହାନ୍ତି କହିଛନ୍ତି ଯେ, କରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ପର୍ଯ୍ୟଟନ ଶିଳ୍ପ ଅଧିକ ପ୍ରଭାବିତ ହୋଇଥିଲେ ସୁଦ୍ଧା ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ତଥା ଓଟିଡିସି କ୍ରମାଗତ ଭାବେ ନିଜର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ବିଶେଷକରି ଆମେ ବିଗତ ୨-୩ବର୍ଷ ମଧ୍ୟରେ ‘ଓଟିଡିସି’ର ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଅଧିକ ଗୁରୁତ୍ୱ ଦେଇ ଆସିଛୁ ।ସମୁଦ୍ର ବେଳାଭୂମି ବୁଲି ଆସୁଥିବା ଲୋକମାନେ ହୁଅନ୍ତୁ କି ସ୍ୱର୍ଗଦ୍ୱାରକୁ ଶବ ସଂସ୍କାର ପାଇଁ ଆସୁଥିବା ଲୋକମାନେ ଉଭୟ ଏହି କାଫେଟେରିଆରେ ସୁଲଭ ମୂଲ୍ୟରେ ଗୁଣାତ୍ମକ ମାନର ଜଳପାନ ସୁବିଧା ପାଇପାରିବେ। ପୂର୍ବରୁ ପୁରୀ ପାନ୍ଥନିବାସରେ ରେଷ୍ଟୁରାଂଟ ଥିବାବେଳେ ଗତ ଦୁଇବର୍ଷ ମଧ୍ୟରେ ସମୁଦ୍ର ବେଳାଭୂମିରେ ‘ହ୍ୱାଇଟ୍ କ୍ରାବ୍’ କାଫେଟେରିଆ ଓ ‘ନିମନ୍ତ୍ରଣ’ ରେଷ୍ଟୁରାଂଟ ଖୋଲାଯାଇଛି, ଯାହାକୁ ଗ୍ରାହକମାନେ ଅଧିକ ପସନ୍ଦ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ‘ନିମନ୍ତ୍ରଣ’ ରେଷ୍ଟୁରାଂଟ ଖୋଲିବା ହେଉ କି ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ପରିସରରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ରେଷ୍ଟୁରା ‘ଉତ୍କଳ ଅରୋମା’ ଏବଂ ନିଜସ୍ୱ କେକ୍ ଓ ବିସ୍କୁଟ ଆଦି ପ୍ରସ୍ତୁତ ନିମନ୍ତେ ‘ବେକଡ୍ ବୋନଞ୍ଜା’ ୟୁନିଟ ଉନ୍ମୋଚନ ହିଁ ପରୋକ୍ଷରେ ଆମ ସରକାରଙ୍କ ଦ୍ୱାରା ପର୍ଯ୍ୟଟନ ଶିଳ୍ପର ପ୍ରଚାରପ୍ରସାର ଦିଗରେ ପ୍ରତିବଦ୍ଧତାକୁ ପ୍ରମାଣିତ କରାଇଛି । ସ୍ୱର୍ଗଦ୍ୱାର ପାଖରେ ଏହି ନୂଆ ନିରାମିଷ କାଫେଟେରିଆ ଲୋକଙ୍କ ଆବଶ୍ୟକତାକୁ ପୂରଣ ଦିଗରେ ସହାୟକ ହେବ ବୋଲି ମୋ’ର ଆଶା ।
ଏହି ଅବସରରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଓ ରୀନା ମହାପାତ୍ର, ଯୁଗ୍ମ ସଚିବ ପୂଜା ମିଶ୍ର ଓ ଏଲୋରା ଜେନା, ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ପୁରୀ ଉପ ଜିଲ୍ଲାପାଳ ଭବଚରଣ ସାହୁ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ଏକଜ୍ୟୁକିଟିଭ ଅଫିସର ସରୋଜ ସ୍ବାଇଁ ଓ ସ୍ଵର୍ଗଦ୍ଵାର ଦାୟିତ୍ଵରେ ଥିବା ଅଧିକାରୀ ସିଦ୍ଧାର୍ଥ ରାୟଙ୍କ ସମେତ ଓଟିଡିସି କମ୍ପାନୀ ସେକ୍ରେଟେରୀ ପ୍ରଶାନ୍ତ କୁମାର ପଣ୍ଡା, ଡିଭିଜିନାଲ ମ୍ୟାନେଜର ପ୍ରଣବ କୁମାର ଚାନ୍ଦ, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଶଶାଙ୍କ ଶେଖର ଦାଶ, ମାର୍କେଟିଂ ମ୍ୟାନେଜର ରଞ୍ଜନ ମିଶ୍ରଙ୍କ ସମେତ ଓଟିଡିସିର ଅନ୍ୟ ପଦାଧିକାରୀ, ପୁରୀ ପାନ୍ଥନିବାସର ମ୍ୟାନେଜର ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.