ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ

0

 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଜିଲ୍ଲା ଓ ଦୌରା ଜଜ୍ ସଞ୍ଜୟ ରଞ୍ଜନ ବହିଦାର ଆଜି ସ୍ୱାମୀ ଦ୍ୱାରା ସ୍ତ୍ରୀର ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀ କପ୍ତିପଦା ଥାନା ଅନ୍ତର୍ଗତ ପଥରସାହି ଗ୍ରାମର ଶମ୍ଭୁ ନାୟକ(୩୫)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୦୨ରେ  ଆଜୀବନ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଅର୍ଥଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏଥି ସହିତ ଜୋରିମାନା ଅର୍ଥ ଅନାଦେୟରେ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ଆଇପିସି ଧାରା ୫୦୬ରେ ୬ ମାସ କାରାଦଣ୍ଡ, ଏକ ହଜାର ଟଙ୍କା ଅର୍ଥଦଣ୍ଡ ଏବଂ ଅନାଦେୟରେ ଅଧିକ ଏକ ମାସ କାରାଦଣ୍ଡର ରାୟ ଶୁଣାଇଛନ୍ତି । ଏହି ସମସ୍ତ ଦଣ୍ଡାଦେଶ ଏକକାଳୀନ ଲାଗୁ କରାଯାଇଥିବାର ସୂଚନା ମିଳିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ପଥରସାହି ଗ୍ରାମର ଶମ୍ଭୁ ନାୟକ ୧୫ ବର୍ଷ ପୂର୍ବେ ଶାନ୍ତି ନାୟକକୁ ବିବାହ କରିଥିଲା । ଏମାନଙ୍କ ଔରଷରୁ ୩ଟି ସନ୍ତାନ ଜନ୍ମ ନେଇଥିବା ବେଳେ ବଡ଼ ପୁଅର ବୟସ ୧୪ ବର୍ଷରୁ ଅଧିକ ହେବ । ଶମ୍ଭୁଙ୍କ ଭଉଣୀ ମଙ୍ଗୁଳି ନାୟକକୁ  ବିବାହ  ଦିଆଯାଇଥିଲେ ମଧ୍ୟ ସେ ତାର ବାପ ଘର ଗ୍ରାମରେ ରହିଆସୁଥିଲା । ଗତ ୨୦୧୭ ଫେବୃଆରୀ  ରାତି ପ୍ରାୟ ୮ଟା ସମୟରେ ଶମ୍ଭୁ ତାର ସ୍ତ୍ରୀ ଶାନ୍ତିଙ୍କୁ ମାରପିଟ କରୁଥିବାର  ଖବର ପାଇ ମଙ୍ଗୁଳି ବାପ ଘରେ ପହଁଞ୍ଚି ଭାଇ ଶମ୍ଭୁକୁ ଅଟଳାଇବାକୁ ଚେଷ୍ଟା କରିଥିଲା; ମାତ୍ର ଶମ୍ଭୁ ମଙ୍ଗୁଳିକୁ ଧକ୍କା ମାରିବା ସହିତ ସେଠାରୁ ଚାଲି ନ ଗଲେ ତାକୁ ମଧ୍ୟ ଜୀବନରୁ ମାରିଦେବାର ଧମକ ଦେଇଥିଲା । ଫଳରେ ମଙ୍ଗୁଳି ସେଠାରୁ ଚାଲିଯାଇଥିଲା । ପରବର୍ତ୍ତି ଦିନ ମଙ୍ଗୁଳି ଭାଇ ଘରକୁ ଆସି ଘରେ ନଣଦ ଶାନ୍ତି ମରି ପଡ଼ିଥିବାର ଦେଖିବାକୁ ପାଇଥିଲା । ଉକ୍ତ ଘଟଣାକୁ ନେଇ ମଙ୍ଗୁଳି ଭାଇ ଶମ୍ଭୁଙ୍କ ନାମରେ କପ୍ତିପଦା ଥାନାରେ ଅଭିଯୋଗ ଆଣିବା ପରେ ଥାନାରେ ଶମ୍ଭୁଙ୍କ ବିରୁଦ୍ଧରେ କେଶ ନଂ ୧୯/୧୭ରେ ଏକ ମାମଲା ରୁଜୁ କରାଯାଇ ଥିଲା । ଆଜି ଉକ୍ତ ମାମଲାରେ ରହିଥିବା ୧୨ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତିକରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକଦ୍ଦମାକୁ ସରକାରଙ୍କ ପକ୍ଷରୁ ଏପିପି ଶରଦ ଚନ୍ଦ୍ର ସାମନ୍ତ ପରିଚାଳନା କରିଥିଲେ । 

Leave A Reply

Your email address will not be published.