ଆରବିଆଇ ଡାଟା ସେଣ୍ଟର ଉଦ୍‌ଘାଟନ ଆଳରେ ନିଜ ବିଫଳତା ଲୁଚାଉଛନ୍ତି ପ୍ରଧାନମନ୍ତ୍ରୀ

12

ବିଜେପିର ‘ଡିଜିଟାଲ୍ ବ୍ୟାଙ୍କିଙ୍ଗ୍’ ନୁହେଁ, ବରଂ ଲୋକଙ୍କ ‘ପକେଟ୍ ମାର୍‌’ ଚାଲିଛି : ଭକ୍ତ
ମୋଦୀଙ୍କ ସମୟରେ କେତେ ବ୍ୟାଙ୍କିଙ୍ଗ-ଫ୍ରଡ୍ ହୋଇଛି, ତାହା ସେ ଭୁଲିଗଲେ କି?

ଆଜି ଜଟଣୀଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗ୍ରୀନଫିଲ୍ଡ ଡାଟା ସେଣ୍ଟର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଦାୟିତ୍ୱହୀନ ଓ ଭ୍ରମାତ୍ମକ ଭାଷଣକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ‘ଫୋନ୍ ବ୍ୟାଙ୍କିଙ୍ଗ୍ ବନାମ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍’ ବକ୍ତବ୍ୟକୁ ଏକ ବଡ଼ ପ୍ରହସନ ବୋଲି ଦର୍ଶାଇ ଶ୍ରୀ ଦାସ କହିଛନ୍ତି ଯେ, କେନ୍ଦ୍ରର ମୋଦୀ ସରକାର ଡାଟା ସୁରକ୍ଷା ନାଁରେ କେବଳ ପାଣ୍ଠି ସଂଗ୍ରହ ଓ ପୁଞ୍ଜିପତିଙ୍କ ସ୍ୱାର୍ଥ ରକ୍ଷା କରୁଛନ୍ତି, ଅପରପକ୍ଷେ ସାଧାରଣ ଜନତାଙ୍କ ଗଣତାନ୍ତ୍ରିକ ଅଧିକାରକୁ ଡିଜିଟାଲ୍ ମାଧ୍ୟମରେ ହିଁ ଲୁଟ୍ କରାଯାଉଛି। ଏକ ପ୍ରେସ୍ ବାର୍ତ୍ତାରେ ଶ୍ରୀ ଦାସ କହିଛନ୍ତି, ‘ଡିଜିଟାଲ୍ ବ୍ୟାଙ୍କିଙ୍ଗ୍’ ନାଁରେ ସାଧାରଣ ଗରିବଙ୍କ ଉପରୁ ପ୍ରକୃତରେ ଆଦାୟ ଚାଲିଛି ‘ଟିକସ’। ପ୍ରଧାନମନ୍ତ୍ରୀ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌ର ବଡ଼ ବଡ଼ କଥା କହୁଥିବା ବେଳେ ବାସ୍ତବତା ହେଉଛି ଆଜି ବ୍ୟାଙ୍କ ଗୁଡ଼ିକରେ ସର୍ବନିମ୍ନ ବାଲାନ୍ସ ନରଖିଲେ, ଏଟିଏମ୍ ବ୍ୟବହାର କଲେ କିମ୍ବା ଡିଜିଟାଲ୍ କାରବାର କଲେ ସାଧାରଣ ଗରିବ ଲୋକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା କାଟି ନିଆଯାଉଛି। ଏହା ପ୍ରକୃତରେ ‘ଡିଜିଟାଲ୍ ବ୍ୟାଙ୍କିଙ୍ଗ୍’ ନୁହେଁ, ବରଂ ଲୋକଙ୍କ ଉପରେ ଏକ ଅଦୃଶ୍ୟ ‘ପକେଟ୍ ମାର୍‌’ ବୋଲି ଶ୍ରୀ ଦାସ କହିଛନ୍ତି।

ଅନ୍ୟ ପକ୍ଷରେ, ଶ୍ରୀ ଦାସ ଦାବି କରିଛନ୍ତି, ‘ଫୋନ୍‌ ବ୍ୟାଙ୍କିଙ୍ଗରୁ ଡିଜିଟାଲ ବ୍ୟାଙ୍କିଙ୍ଗ’ କଥା କହି ବାହାସ୍ଫୋଟ ମାରୁଥିବା ମୋଦୀ ତାଙ୍କ ଶାସନରେ ୨୨ ହଜାର ୮୪୨ କୋଟିର ଏଜିପି ସିପ୍‌ୟାର୍ଡ ବ୍ୟାଙ୍କ ଠକେଇ ହୋଇଥିଲା ନା ନାଇଁ, ତା’ର ଉତ୍ତର ଆଗ ରଖନ୍ତୁ। ୩୪ ହଜାର ୬୧୫ କୋଟିର ଡିଏଏଚ୍‌ଏଫଏଲ ସ୍କାମ୍ କାହା ସମୟରେ ହୋଇଥିଲା? ‘ପିଏନ୍‌ବି-ନିରବ ମୋଦି-ମେହୁଲ ଚୋକ୍ସି’ ଉପାଖ୍ୟାନରେ ହୋଇଥିବା ୧୪-୧୫ ହଜାର କୋଟିର ସ୍କାମ୍‌କୁ ଦେଶବାସୀ ଭୁଲିଗଲେ ବୋଲି ମୋଦୀ କେମିତି ଭାବୁଛନ୍ତି? ଯଥାକ୍ରମେ ୯୧ ହଜାର କୋଟି ଓ ୩,୬୯୫ କୋଟିର ଆଇଏଲଆଣ୍ଡଏଫଏସ ଫ୍ରଡ୍ ଓ ରୋଟୋମ୍ୟାକ୍ ଗ୍ଲୋବାଲ ଫ୍ରଡ୍ ବିଷୟରେ ମୋଦୀଙ୍କର କ’ଣ ଉତ୍ତର ଅଛି?

ଶ୍ରୀ ଦାସ ଆହୁରି କହିଛନ୍ତି, ‘‘ଡାଟା ଓ ସାଇବର ସୁରକ୍ଷା ଦାବି କେବଳ ଏକ ଧପ୍ପାବାଜି। ପ୍ରଧାନମନ୍ତ୍ରୀ ନୂତନ ଡାଟା ସେଣ୍ଟରକୁ ଦେଶର ଆର୍ଥିକ ନିରାପତ୍ତାର ବଡ଼ କେନ୍ଦ୍ର ବୋଲି କହୁଛନ୍ତି, କିନ୍ତୁ ଆଜି ସାରା ଦେଶରେ ସର୍ବାଧିକ ସାଇବର ଠକେଇର ଶିକାର ହେଉଛନ୍ତି ଭାରତର ସାଧାରଣ ନିରୀହ ଜନତା ଏବଂ ବରିଷ୍ଠ ନାଗରିକ। ଦେଶର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ନିଜର ଗ୍ରାହକଙ୍କ ଆର୍ଥିକ ଡାଟା ସୁରକ୍ଷିତ ରଖିବାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛି ଏବଂ ସାଇବର ଅପରାଧୀ ପ୍ରତିଦିନ ଲୋକଙ୍କ ସଞ୍ଚିତ ପୁଞ୍ଜି ଲୁଟୁଛନ୍ତି, ଯାହା ଉପରେ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଡିଜିଟାଲ୍ ଆଳରେ ନିର୍ବାଚନ ଆୟୋଗ ଜରିଆରେ ଚାଲିଛି ଦେଶର ସବୁଠାରୁ ବଡ଼ ‘ଭୋଟ୍ ଚୋରି’। ପ୍ରଧାନମନ୍ତ୍ରୀ ଯେଉଁ P3G (Pro-People Proactive Governance) ର ମଡେଲ୍ ଦେଖାଉଛନ୍ତି, ତାହା ବାସ୍ତବରେ ଦେଶର ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର। କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ଡାଟାବେସ୍ ଏବଂ ସଫ୍ଟୱେର୍‌କୁ ବ୍ୟବହାର କରି ବିଶେଷ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ମାଧ୍ୟମରେ ଦେଶରେ ସର୍ବବୃହତ ସାମ୍ବିଧାନିକ ଘୋଟାଲା ଓ ‘ଭୋଟ୍ ଚୋରି’ ଚାଲୁ ରଖିଛନ୍ତି ଓ ଡିଜିଟାଲ ଉପଲବ୍‌ଧି ବଖାଣୁଛନ୍ତି।

ରବିବାର ଓଡ଼ିଶାରେ ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ବାରମ୍ବାର ‘ସୁଶାସନ’ ଉଚ୍ଚାରଣକୁ ସମାଲୋଚନା କରି ଶ୍ରୀ ଦାସ ପାଲଟା ପ୍ରଶ୍ନ କରିଛନ୍ତି, ନିର୍ବାଚନ କମିଶନରଙ୍କ ୧୪ଟି ଆପତ୍ତିକୁ ଚାପିଦେବା କେଉଁ ପ୍ରକାରର ସୁଶାସନ? ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଉତ୍ତର ଦିଅନ୍ତୁ, ଉକ୍ତ ଡାଟାସେଣ୍ଟର ପାଇଁ ଓଡ଼ିଶା ଯୋଉ ପ୍ରଭୂତ ଜଳ ଓ ଶକ୍ତିସମ୍ପଦ ଉପଯୋଗ କରି ଅକଥନୀୟ ଯନ୍ତ୍ରଣା ଭୋଗିବାକୁ ଯାଉଛି, ସେ ବିଷୟରେ ରାଜ୍ୟବାସୀଙ୍କୁ ତାଙ୍କ ଡବଲ-ଇଂଜିନ ସରକାର ଆଶ୍ବସ୍ତ କରିଛନ୍ତି ତ?

Leave A Reply

Your email address will not be published.