ବିଶିଷ୍ଟ ସାହିତ୍ୟିକ ଭଗବାନ ଦାଶଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

11

ପୁରୀ, ୨୫/୧୦: ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ, କବି, ପ୍ରାବନ୍ଧିକ, ସ୍ତମ୍ଭକାର, ନାଟ୍ୟକାର ତଥା ଆଇନଜୀବୀ ସ୍ୱର୍ଗତ ଭଗବାନ ଦାଶଙ୍କ ଦଶାହ ଅବସରରେ ଶନିବାର ସନ୍ଧ୍ୟାରେ ପୁରୀସ୍ଥିତ ଗୁଣ୍ଡିଚା ଭକ୍ତ ନିବାସଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶ ସଭାରେ ଅଧ୍ୟକ୍ଷତା କରିଥିଲେ।

ଏହି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ, କବି, ଆଇନଜୀବୀ ଓ ବୁଦ୍ଧିଜୀବୀ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟକୃତି ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ତାଙ୍କର ପରୋପକାରିତା, ସରଳତା, ସଚ୍ଚୋଟତା, ମିଷ୍ଟଭାଷୀ ସ୍ୱଭାବ, ବନ୍ଧୁବତ୍ସଳତା ଓ ସମାଜସେବା ଗୁଣକୁ ବକ୍ତାମାନେ ମନେ ପକାଇଥିଲେ।

ସଭା ପ୍ରାରମ୍ଭରେ ଭାଗବତ ପାଠ କରାଯାଇଥିବା ବେଳେ ସ୍ୱର୍ଗତ ଦାଶଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଯାଇଥିଲା। ଏହି ଅବସରରେ ତାଙ୍କର ଅଧୁରା ପୁସ୍ତକ ‘ନିଜେ ବୁଝିଲେ ଭାଗ୍ୟ ବଦଳେ’ ଉନ୍ମୋଚିତ ହେବା ସହ ବଣ୍ଟନ କରାଯାଇଥିଲା। ସ୍ୱର୍ଗତ ଦାଶଙ୍କ ଭଉଣୀ ବିଜୟଲକ୍ଷ୍ମୀ ମିଶ୍ର ଭାଇଙ୍କ ଉଦ୍ଦେଶ୍ୟରେ ଏକ କବିତା ଆବୃତ୍ତି କରିଥିଲେ।

୧୯୫୨ ମସିହା ଫେବୃଆରୀ ୪ ତାରିଖରେ ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ବିଜୟ ରାମଚନ୍ଦ୍ରପୁର (କୋରଙ୍ଗା) ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ଦାଶ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ କାର୍ଯ୍ୟ କରି ଅବସର ନେଇଥିଲେ। ଚାକିରି ଜୀବନ ସହ ସାହିତ୍ୟ ସାଧନାକୁ ଜାରି ରଖି ସେ କବିତା, ଗଳ୍ପ, ପ୍ରବନ୍ଧ ଓ ସ୍ତମ୍ଭ ରଚନା କରି ଓଡ଼ିଆ ସାହିତ୍ୟ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ସଭାରେ ତାଙ୍କ ପତ୍ନୀ ଶକୁନ୍ତଳା ଦାଶ, ପୁତ୍ର ଚନ୍ଦନ କୁମାର ଦାଶ, ପରିବାରର ଅନ୍ୟ ସଦସ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତେ ମହାପ୍ରସାଦ ସେବନ କରିଥିଲେ।

Leave A Reply

Your email address will not be published.