ପୋଲିସଗିରୀ ଆଗରେ ଫିକା ପଡିଲା ମାନବାଧିକାର !!!!

0

ଗୁଳିରେ ଆହତ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୋଲିସ

ଭୁବନେଶ୍ୱର (ଶାସକ ପ୍ରଶାସକ) :– ଭାରତୀୟ ସମ୍ବିଧାନ ଅନୁସାରେ ଜଣେ ଅଭିଯୁକ୍ତର ମଧ୍ୟ ମାନବାଧିକାର ରହିଛି | ତାଛଡା ନ୍ୟାୟାଳୟ ନିଜର ନିର୍ଣ୍ଣୟ ନଶୁଣାଇବା ଯାଏ କୌଣସି ଅଭିଯୁକ୍ତକୁ ଅପରାଧୀ ବୋଲି ମଧ୍ୟ ବିବେଚନା କରାଯାଇପାରିବ ନାହିଁ | କାରଣ ପୋଲିସ ଦ୍ଵାରା ଅନେକ ସମୟରେ ନିର୍ଦୋଷୀ ଲୋକ ମାନେ ମଧ୍ୟ ଗିରଫ ହେବାର ନଜିର ରହିଛି | ତେବେ ସୁନ୍ଦରଗଡ଼ ଟାଉନ ପୋଲିସ ପାଖରେ ମାନବାଧିକାର ବନ୍ଧା ପଡ଼ିଥିବା ଦୃଷ୍ଟିଗୋଚର ହୋଇଛି | ଗୁଳିରେ ଆହତ ହୋଇଥିବା ଜଣେ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କଲାପରେ ପୋଲିସର ଦବଙ୍ଗଗିରୀ ଚର୍ଚ୍ଚାର ପରିଧିକୁ ଆସିଛି | ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ମାସ ୯ ତାରିଖ ଦିନ ଅପରାହ୍ନ ସମୟରେ ଜିଲ୍ଲା ହସ୍ପିଟାଲ ଛକ ନିକଟରେ ରହିଥିବା ଆକ୍ସିସ ବ୍ୟାଙ୍କରୁ ବନ୍ଧୁକ ମୁନରେ ହୋଇଥିବା ୧୫ ଲକ୍ଷ ଟଙ୍କା ଲୁଟ ଘଟଣା ସାରା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଥିଲା | ତାପରେ ପୋଲିସ ପକ୍ଷରୁ ତ୍ୱରିତ ଅନୁସନ୍ଧାନ ଆରମ୍ଭ ହୋଇଥିବା ବେଳେ ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରୁଥିବା ଦର୍ଶାଇ ସଦର ଥାନା ପୋଲିସ ସବ ଇନିସ୍ପେକ୍ଟରଙ୍କ ପୁଅ ଜୟଦେବ ନାଏକଙ୍କୁ ଗୁଳି କରାଯାଇଥିବା ଟାଉନ ପୋଲିସ ପକ୍ଷରୁ କୁହାଯାଇଥିଲା | ତାପରେ ଆହତ ଅଭିଯୁକ୍ତକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା | ତେବେ ଅଭିଯୁକ୍ତ ଜୟଦେବଙ୍କ ଜଙ୍ଗରୁ ବର୍ତ୍ତମାନ ଯାଏ ଗୁଳି କଢ଼ା ଯାଇନଥିବା ଏବଂ ସେ ଅସୁସ୍ଥ ଥିବା ସତ୍ତ୍ୱେ ଟାଉନ ପୋଲିସ ପକ୍ଷରୁ ତାକୁ ଗତକାଲି କୋର୍ଟ ଚାଲାଣ କରାଯାଇଛି | ଓଡିଶା ପୋଲିସ ବିଭାଗର ମାର୍ଗଦର୍ଶିକା ଅନୁସାରେ ଜଣେ ଆହତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବାର ନିୟମ ନଥିବା ବେଳେ ପୋଲିସର ଏଭଳି ଆଭିମୁଖ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି | ତାଛଡା ବୁର୍ଲା ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ଜଣେ ଆହତ ଅଭିଯୁକ୍ତକୁ ଉଚ୍ଚ ଚିକିତ୍ସା ପାଇଁ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପରିବର୍ତ୍ତେ କେମିତି ଡିସଚାର୍ଜ କଲେ, ତାକୁ ନେଇ ମଧ୍ୟ ସାଧାରଣରେ ଉଦବେଗ ପ୍ରକାଶ ପାଇଛି | ଏହାପରେ ପୋଲିସର ଗୁଳି ଚାଳନାକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳିଛି | ପ୍ରକୃତରେ ପୋଲିସ ଉପରକୁ ଅଭିଯୁକ୍ତ ଗୁଳି ଚାଳନା କରିଥିଲା କି ନାହିଁ ? ନା ସମ୍ପୃକ୍ତ ପୋଲିସ ଅଧିକାରୀ ଉଦେଶ୍ୟମୂଳକ ଭାବରେ ଅଭିଯୁକ୍ତ ଉପକରୁ ଗୁଳି ଚାଲନା କରିଥିଲେ, ତାହାର ମଧ୍ୟ ଉଚ୍ଚସ୍ତରୀୟ ତଦନ୍ତ ବହୁ ଆବଶ୍ୟକ ବୋଲି ବିଭିନ୍ନ ମହଲରେ ଦାବୀ ହୋଇଛି | ତେଣୁ ଏ ଘଟଣାକୁ ଗମ୍ଭିରତାର ସହ ଗ୍ରହଣ କରି ନୁଆଁ ପୋଲିସ ଡିଜି ଏବଂ ୫ ଟି ସଚିବ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବୀ ହୋଇଛି |

Leave A Reply

Your email address will not be published.