ଇନ୍‌ଷ୍ଟାଗ୍ରାମ୍‌ରେ ଅଶ୍ଳୀଳ ପୋଷ୍ଟ ଓ ଧମକ ଦେବା ଅଭିଯୋଗରେ ଜଣେ ଗିରଫ

14

ସମ୍ବଲପୁର/ଲିପନ ନାୟକ: ଇନ୍‌ଷ୍ଟାଗ୍ରାମ୍‌ରେ ଅଶ୍ଳୀଳ, ଅପମାନ ଜନକ ଓ ଧମକପୂର୍ଣ୍ଣ ପୋଷ୍ଟ କରିବା ଅଭିଯୋଗରେ ସମ୍ବଲପୁର ସାଇବର କ୍ରାଇମ୍‌ ଓ ଇକୋନୋମିକ୍‌ ଅଫେନ୍ସେସ୍‌ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଯୁବକ ଜଣକ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ଅନ୍ଧାରିବାଞ୍ଜି ଗ୍ରାମର ତୁଫାନ ପାତ୍ରର ୩୦ ବର୍ଷିୟ ପୁଅ ଅଜିତ ପାତ୍ର ବୋଲି ଜଣାପଡିଛି। ପୋଲିସ ସୂଚନା ଅନୁଯାୟୀ, ଇମ୍ରାନ ଖାନ୍‌ ନାମକ ବ୍ୟକ୍ତି ଓ ତାଙ୍କ ଭଉଣୀଙ୍କ ବିରୋଧରେ ଇନ୍‌ଷ୍ଟାଗ୍ରାମ୍‌ରେ ଅଶ୍ଳୀଳ, ଅପମାନ ଜନକ ଓ ଧମକପୂର୍ଣ୍ଣ ବିଷୟବସ୍ତୁକୁ ନେଇ ପୋଷ୍ଟ ଓ ପ୍ରସାର କରାଯାଉଥିବା ନେଇ ଅଭିଯୋଗ କରିଥିଲେ। ଏନେଇ ସାଇବର କ୍ରାଇମ୍‌ ଥାନାରେ ୪୦/୨୬ରେ ବିଏନ୍‌ଏସ୍‌ର ଧାରା ୨୯୪(୨)(ଏ)/୨୯୨/୭୯/୩୫୧(୨) ଏବଂ ଆଇଟି ଆକ୍ଟର ଧାରା ୬୭ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଏହି ଅଭିଯୋଗ ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଅଜିତକୁ ଗିରଫ କରିଥିଲା। ଏଥିସହ ତା’ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ପରିଚାଳନାରେ ବ୍ୟବହୃତ ଏକ ପଲ୍ସ ମୋବାଇଲ୍‌ ଫୋନ୍‌ ମଧ୍ୟ ପୋଲିସ ଜବତ କରିଛି। ଅଭିଯୁକ୍ତ ନିଜେ ‘badger.31415050’ ନାମକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଦେଖାଇଥିବା ବେଳେ ଏହାର ସଦ୍ୟତମ ଡିଲିଟେଡ୍‌ ବିଭାଗରୁ ୧୨ଟି ଆପତ୍ତିଜନକ ପୋଷ୍ଟର ପ୍ରିଣ୍ଟେଡ୍‌ ସ୍କ୍ରିନ୍‌ସଟ୍‌ ମଧ୍ୟ ଜବତ ହୋଇଛି। ଆକାଉଣ୍ଟ ସମ୍ପର୍କିତ ଅଧିକ ତଥ୍ୟ ଓ ବୈଷୟିକ ସୂଚନା ପାଇଁ ମେଟା/ଫେସ୍‌ବୁକ୍‌କୁ ସାଇବର ଥାନା ପକ୍ଷରୁ ଅନୁରୋଧ ପଠାଯାଇଛି। ଗିରଫ ଅଭିଯୁକ୍ତକୁ ଆଜି ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ସମ୍ବଲପୁର ସାଇବର କ୍ରାଇମ୍‌ ଓ ଇକୋନୋମିକ୍‌ ଅଫେନ୍ସେସ୍‌ ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.