୧୩ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଗୁଡଖା ଜବତ:  ୮ଗିରଫ ।

0

ମାଲକାନଗିରି: (ବି ଶ୍ରୀନିବାସ ପାତ୍ର)ଗତକାଲି ସନ୍ଧ୍ୟାରେ ପୁଲିସ ମାଲକାନଗିରି ବସ୍‌ଷ୍ଟାଣ୍ଡ୍‌ରୁ କାଲିମେଳାକୁ ବେଆଇନ ଭାବେ ଯାଉଥିବା ବିପୁଳ ପରିମାଣର ଗୁଟ୍‌ଖା ଜବତ କରିବା ସହ ଏଥିରେ ସମ୍ପୃକ୍ତ କେତେ ଜଣଙ୍କୁ ଗିରଫ କରିଛି।

ବସ୍‌ଷ୍ଟାଣ୍ଡ୍‌ରୁ ଜବତ ଗୁଟ୍‌ଖା ଘଟଣାରେ ଗିରଫ ବ୍ୟକ୍ତିଦ୍ୱୟ ହେଉଛନ୍ତି ଗୁଟ୍‌ଖା ବସ୍ତାର ମାଲିକ ଟି. ସତ୍ୟନାରାୟଣ ସୁବୁଦ୍ଧି ଏବଂ ଅଟୋ ଚାଳକ ବିଷ୍ଣୁ ବେହେରା।

ବେଆଇନ ଭାବେ ଚାଲାଣ ହେବାକୁ ଥିବା ବିପୁଳ ପରିମାଣର ଗୁଟ୍‌ଖା ମାଲକାନଗିରି ବସ୍‌ଷ୍ଟାଣ୍ଡ୍‌ରୁ ବହୁଦିନ ହେବ କାଲିମେଳା,ମୋଟୁ ଅଞ୍ଚଳ କୁ ପରିବହନ କରାଯାଉଛି ବୋଲି ପାଟ୍ରୋଲିଙ୍ଗ୍‌ ଡିୟୁଟିରେ ଥିବା ସବ୍‌-ଇନ୍‌ସ୍‌ପେକ୍ଟର୍‌ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ସୂଚନା ମିଳିଥିଲା। ଉକ୍ତ ସୂଚନାକୁ ଆଧାର କରି ପୁଲିସ ବସ୍‌ଷ୍ଟାଣ୍ଡ୍‌ରେ ଚଢ଼ାଉ କରିଥିଲା। ଗିରଫ ଯାଇଥିବା ବ୍ୟକ୍ତିଦ୍ୱୟ ଗୁଟ୍‌କାର ମାଲିକାନା ଓ ପରିବହନ ସଂକ୍ରାନ୍ତ କୌଣସି ବିଲ୍‌, ଲାଇସେନ୍‌ସ୍‌ କିମ୍ବା ଅନ୍ୟ କିଛି କାଗଜପତ୍ର ଦେଖାଇ ପାରି ନ ପାରିବା ଯୋଗୁଁ ପୁଲିସ୍‌ ଗୁଟ୍‌କା ଏବଂ ଅଟୋରିକ୍ସାକୁ ଜବତ କରିବା ସହ ବ୍ୟକ୍ତିଦ୍ୱୟଙ୍କୁ ଗିରଫ କରିଥିଲା।

 ସୂଚନା ଆଧାରରେ ଅନ୍ୟ ୫ଟି ସ୍ଥାନରେ ମଧ୍ୟ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ବେଆଇନ ଗୁଟ୍‌ଖା ଜବତ କରାଯାଇଛି। ଏହି ଗୁଟ୍‌ଖା ବସ୍ତା ସବୁ ବ୍ରହ୍ମପୁର ଓ ଜୟପୁର ଅଞ୍ଚଳରୁ ଆସୁଥିବା ସୂଚନା ମିଳଛି।

ଜବତ ହୋଇଥିବା ସମୁଦାୟ ଗୁଟ୍‌ଖା ବସ୍ତାର ମୂଲ୍ୟ ୧୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହୋଇପାରେ। ଏହି ଘଟଣାରେ ମାମଲା ରୁଜୁ କରି ପୁଲିସ ସମୁଦାୟ ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ଅଦାଲତରେ ହାଜର କରାଇବା ପ୍ରକ୍ରିୟା କରିବା ସହ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଗିରଫ ବ୍ୟକ୍ତିମାନେ ହେଉଛନ୍ତି, ମାଲକାନଗିରିର ବିଷ୍ଣୁ ବେହେରା, କାଲିମେଳାର ଟି. ସତ୍ୟନାରାୟଣ ସୁବୁଦ୍ଧି, ଦୁର୍ଗାଗୁଡ଼ି ସାହିର ପି. ବାଲା ଓ ସୁଶାନ୍ତ ପ୍ରଧାନ, ତାଳଚେର କଲୋନିର ଦେବେନ୍ଦ୍ର କୁମାର ତ୍ରିପାଠୀ, ମାଲକାନଗିରି ମୁଖ୍ୟ ରାସ୍ତା ଅଞ୍ଚଳର ପ୍ରେମାନନ୍ଦ ପ୍ରଧାନ ଓ କେ. ତ୍ରିମୁଲା ପୃଷ୍ଟି ଓ ବୁଟିଗୁଡ଼ାର ସନାତନ ମହାକୁଡ଼।

 

Leave A Reply

Your email address will not be published.