ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଟିପିଡବ୍ଲୁଓଡିଏଲ୍ ପ୍ରସ୍ତୁତ, ବିଦ୍ୟୁତ୍ ସେବାର ଶୀଘ୍ର ପୁନରୁଦ୍ଧାର ପାଇଁ ୮,୬୫୮ କର୍ମଚାରୀ ମୁତୟନ
ଅତିରିକ୍ତ ୯୭୩ ପ୍ରକଳ୍ପ କର୍ମଚାରୀ ପ୍ରସ୍ତୁତ; ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସହ ଜରୁରୀ ଉପକରଣ ମହଜୁଦ ରହିଛି
ବୁର୍ଲା, ୨୬ ଅକ୍ଟୋବର ୨୦୨୬: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ ଭିତ୍ତିଭୂମିର ସୁରକ୍ଷା, ଉପଭୋକ୍ତାଙ୍କ ନିରାପତ୍ତା ଏବଂ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେଲେ ଯଥାଶୀଘ୍ର ତାହାର ପୁନରୁଦ୍ଧାର ସୁନିଶ୍ଚିତ କରିବା ଲକ୍ଷ୍ୟରେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ଏହାର ବ୍ୟବସାୟିକ ନିରନ୍ତରତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ସକ୍ରିୟ କରିଛି । ଏଥିସହିତ କମ୍ପାନୀ ପକ୍ଷରୁ କର୍ମଚାରୀ, ଜରୁରୀ ଉପକରଣ ଓ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖାଯାଇଅଛି ।
ପ୍ରତିକୂଳ ପାଗ ଯୋଗୁଁ ବିଦ୍ୟୁତ୍ ନେଟୱର୍କ ପ୍ରଭାବିତ ହେବାର ଆଶଙ୍କା ଥିବାରୁ କମ୍ପାନୀ ପକ୍ଷରୁ ୮,୬୫୮ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଅଛି । ଏଥିରେ ୭,୬୭୫ ଜଣ ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତିଭିତ୍ତିକ (AMC) କର୍ମଚାରୀ ଏବଂ ଟିପିଡବ୍ଲୁଓଡିଏଲ୍ର ୯୮୩ ଜଣ କର୍ମଚାରୀ ଅନ୍ତର୍ଭୁକ୍ତ । ଏହାବ୍ୟତୀତ, ବିଦ୍ୟୁତ୍ ସରବରାହ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଉ ୯୭୩ ଜଣ ଦକ୍ଷ ଓ ଅଣଦକ୍ଷ ପ୍ରକଳ୍ପ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି । ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ଭାବେ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ଉଦ୍ଧାର ଓ ପୁନରୁଦ୍ଧାର ଟିମ୍ ମୁତୟନ କରାଯାଇଛି ।
ଜରୁରୀକାଳୀନ ପରିସ୍ଥିତିରେ ଶୀଘ୍ର ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରିବା ପାଇଁ କମ୍ପାନୀ ପକ୍ଷରୁ ୮ଟି ମୋବାଇଲ୍ ଡିଷ୍ଟ୍ରିବ୍ୟୁସନ୍ ସବ୍ଷ୍ଟେସନ୍, ୧୭ଟି ଡିଜେଲ୍ ଜେନେରେଟର୍ (DG) ସେଟ୍, ଗଛର ଡାଳ କାଟିବା ପାଇଁ ୬୨୬ଟି ହାତଚାଳିତ ଓ ମୋଟରଚାଳିତ ଉପକରଣ ଏବଂ ୩୨୪ଟି ଯାନ ପ୍ରସ୍ତୁତ ରଖାଯାଇଅଛି । ଏହା ସହିତ ୬୨୧ଟି ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର, ୧୦ଟି ପାୱାର୍ ଟ୍ରାନ୍ସଫର୍ମର, ୧୦,୯୫୦ଟି ବିଦ୍ୟୁତ୍ ଖୁଣ୍ଟି ଏବଂ ଆବଶ୍ୟକ ପରିମାଣର ତାର, କେବୁଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି।
ବୁର୍ଲାସ୍ଥିତ କେନ୍ଦ୍ରୀୟ ପାୱାର୍ ସିଷ୍ଟମ୍ କଣ୍ଟ୍ରୋଲ୍ ସେଣ୍ଟର୍ (PSCC) ୨୪ ଘଣ୍ଟା ବିଦ୍ୟୁତ୍ ନେଟୱର୍କ ଉପରେ ନଜର ରଖିବା ସହ ଜରୁରୀ ପଦକ୍ଷେପଗୁଡ଼ିକର ସମନ୍ୱୟ କରିବ । ବଲାଙ୍ଗୀର ଓ କଳାହାଣ୍ଡିରେ ଥିବା ଆଞ୍ଚଳିକ ନିୟନ୍ତ୍ରଣ କେନ୍ଦ୍ର ଏବଂ ବିଭାଗୀୟ ନିୟନ୍ତ୍ରଣ କକ୍ଷଗୁଡ଼ିକ ମଧ୍ୟ ସକ୍ରିୟ ରହିବ। ଜରୁରୀ ପରିସ୍ଥିତିରେ ଯୋଗାଯୋଗ ଅବ୍ୟାହତ ରଖିବା ପାଇଁ ମୁଖ୍ୟ ଅଧିକାରୀମାନଙ୍କୁ ସାଟେଲାଇଟ୍ ଫୋନ୍ ଯୋଗାଇ ଦିଆଯାଇଛି ।

ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ଅଭିଯୋଗ ଜଣାଇବା ପାଇଁ ଉପଭୋକ୍ତାମାନେ ୨୪ ଘଣ୍ଟିଆ ଟୋଲ୍-ଫ୍ରି ନମ୍ବର ୧୯୧୨ ଏବଂ ୧୮୦୦-୨୦୨୮ରେ ଯୋଗାଯୋଗ କରିପାରିବେ । ଏହା ବ୍ୟତୀତ କମ୍ପାନୀର ୱେବସାଇଟ୍, My Tata Power App, ହ୍ୱାଟ୍ସଆପ୍, IVRS ଏବଂ ୯୭୭୭୭୭୪୫୧୧ ନମ୍ବରକୁ ମିସ୍ଡ କଲ୍ ଦେଇ ମଧ୍ୟ ଅଭିଯୋଗ ଦାଖଲ କରିହେବ । ବିଦ୍ୟୁତ୍ ବିଭ୍ରାଟ ସମ୍ପର୍କିତ ସୂଚନା କମ୍ପାନୀର ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ମାଧ୍ୟମରେ ମଧ୍ୟ ଦିଆଯିବ ।
ଟିପିଡବ୍ଲୁଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “ବାତ୍ୟା ‘ଅର୍ଣ୍ଣବ’ ଆସୁଥିବାରୁ ଜନସାଧାରଣଙ୍କ ସୁରକ୍ଷା ଏବଂ ବିଦ୍ୟୁତ୍ ବିଭ୍ରାଟକୁ ସର୍ବନିମ୍ନ ରଖିବା ଆମର ପ୍ରାଥମିକତା । ଆଗୁଆ ଯୋଜନା ଓ ସମନ୍ୱିତ ପଦକ୍ଷେପ ମାଧ୍ୟମରେ ଆମର କର୍ମଚାରୀ, ଉପକରଣ ଓ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରହିଛି । ଯେଉଁଠାରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେବ, ସେଠାରେ ଯଥାଶୀଘ୍ର ସେବା ସ୍ୱାଭାବିକ କରିବାକୁ ଆମେ ସମସ୍ତ ପ୍ରୟାସ କରିବୁ ।”
ଏହି ସମୟରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଉପଭୋକ୍ତାମାନଙ୍କୁ ବର୍ଷା ଓ ଜଳବନ୍ଦୀ ସମୟରେ ବିଦ୍ୟୁତ୍ ଖୁଣ୍ଟି, ତାର କିମ୍ବା ଯନ୍ତ୍ରପାତି ନ ଛୁଇଁବାକୁ, ଓଦା ହାତରେ କିମ୍ବା ପାଣିରେ ଠିଆ ହୋଇ ବିଦ୍ୟୁତ୍ ଉପକରଣ ବ୍ୟବହାର ନ କରିବାକୁ ଏବଂ ପ୍ରବଳ ପବନ ସମୟରେ ଘର ଭିତରେ ଓ ଗଛ ତଥା ଅସ୍ଥାୟୀ ସଂରଚନାଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଉଅଛି । ଅଭିଭାବକମାନେ ପିଲାମାନଙ୍କୁ ଖୋଲା ଡ୍ରେନ୍ ଓ ଜଳବନ୍ଦୀ ଅଞ୍ଚଳଠାରୁ ଦୂରେଇ ରଖିବାକୁ ମଧ୍ୟ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଉଅଛି ।
ବାତ୍ୟା ମୁକାବିଲା ସମୟରେ ଜନସୁରକ୍ଷା, ବିଦ୍ୟୁତ୍ ନେଟୱର୍କର ସ୍ଥିରତା ଏବଂ ବିଦ୍ୟୁତ୍ ସରବରାହର ଶୀଘ୍ର ପୁନରୁଦ୍ଧାର ପାଇଁ ଟିପିଡବ୍ଲୁଓଡିଏଲ୍ ସଦା ପ୍ରତିବଦ୍ଧ ।